ଭୁବନେଶ୍ବର: ପ୍ରାୟ ୪୫ ଡିଗ୍ରି ତାପମାତ୍ରା ଏଥର ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ସୂର୍ଯ୍ୟ ଉଦୟରୁ ଅସ୍ତ ଯାଏଁ ତାତିରେ ଆଉଟ ପାଉଟ ହୋଇଛନ୍ତି ଭୁବନେଶ୍ବରିଆ। ପରିସ୍ଥିତି ଏମିତି ହୋଇଛି ଯେ ଟ୍ରାଫିକ୍ ଛକଗୁଡ଼ିକରେ ଅସ୍ଥାୟୀ ଟେଣ୍ଟ କରିବାକୁ ବାଧ୍ୟ ହୋଇଛି ବିଏମ୍ସି। ହେଲେ ଏହା କ’ଣ ସ୍ଥାୟୀ ସମାଧାନ? ଅସ୍ଥାୟୀ ଟେଣ୍ଟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ବଦଳରେ ଟ୍ରାଫିକ୍ ପୋଷ୍ଟ ନିକଟରେ ଗଛ ଲଗାଇବାକୁ କାହିଁକି ଯୋଜନା ହେଉନି? ଏହାକୁ ନେଇ କିଛି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।
ସହରର କଳେବର ବୃଦ୍ଧି ଓ ବିଭିନ୍ନ ସମ୍ପ୍ରସାରଣ ବାହାନାରେ ୫୦-୬୦ ବର୍ଷର ବଡ଼ବଡ଼ ଗଛକୁ ବିଭିନ୍ନ ସ୍ଥାନରେ ବଳି ପକାଇ ଦିଆଯାଉଛି। କ୍ୟାପିଟାଲ୍ ହସ୍ପିଟାଲ୍, ବିଧାୟକ କଲୋନି, ଖଣ୍ଡଗିରି, ସିଆର୍ପିଏଫ୍ ଭିଆଇପି କଲୋନିରୁ କଳିଙ୍ଗଷ୍ଟୁଡିଓ ଛକ, ମାଷ୍ଟରକ୍ୟାଣ୍ଟିନ୍, ଗଙ୍ଗନଗର, ବମିଖାଲ, କଳ୍ପନା, କୋର୍ଟ ପରିସର ଭଳି ପ୍ରମୁଖ ସ୍ଥାନରୁ ଅତୀତରେ ବହୁ ପୁରୁଣା ବଡ଼ଗଛ ସବୁ କଟାଯାଇଛି। କଟା ଯାଇଥିବା କିଛି ଗଛର ବୟସ ୧୦୦ ବର୍ଷରୁ ଅଧିକ ହେବବୋଲି ମଧ୍ୟ କୁହାଯାଏ। ବ୍ୟାପକ ଗଛ କଟାଯାଉଥିବାରୁ ଗତ ୩୦ ବର୍ଷ ଭିତରେ ତାପମାତ୍ରା ୨୫ ଡିଗ୍ରିରୁ ବଢ଼ି ୪୪ ଡିଗ୍ରି ଡେଇଁବାକୁ ବସିଲାଣି। ତଥ୍ୟ ଅନୁସାରେ, ଭୁବନେଶ୍ବର ସିଟି ଫରେଷ୍ଟ ଡିଭିଜନ୍ ଅଧୀନରେ ଗତ ୫ ବର୍ଷ ଭିତରେ ମୋଟ୍ ୧୦ ହଜାର ୮୧ଟି ଗଛ କଟାଯାଇଛି। କିନ୍ତୁ ଏହା ତୁଳନାରେ ନିୟମାନୁସାରେ ଦଶଗୁଣ ଅଧିକ ଗଛ ଲଗାଯାଇ ପାରିନାହିଁ। ଯାହାକିଛି ଲଗା ଯାଇଛି, ସେଥିରୁ କେତେଟି ବଞ୍ଚିଛି ସେ ହିସାବ କାହା ପାଖରେ ନାହିଁ। ଚଳିତ ବର୍ଷ ତାପମାତ୍ରା ବଢ଼ିବା କାରଣରୁ ଟ୍ରାଫିକ୍ ପୋଷ୍ଟ୍ଗୁଡ଼ିକରେ ଖରାରେ ଟ୍ରାଫିକ୍ ପୁଲିସ ଏବଂ ସିଗନାଲ୍କୁ ଅପେକ୍ଷା କରୁଥିବା ଗାଡ଼ି ଚାଳକଙ୍କ କଷ୍ଟ ଲାଘବ କରିବାଲାଗି ବିଏମ୍ସି ପକ୍ଷରୁ ରାଜଧାନୀର ୨୦ରୁ ଅଧିକ ଟ୍ରାଫିକ୍ ଛକରେ ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯାଇଥିଲା। ହେଲେ କାଳବୈଶାଖୀ ପାଇଁ ବିଭିନ୍ନ ସ୍ଥାନରେ ଟେଣ୍ଟର କପଡ଼ା ଉଡ଼ିଯାଇଛି। ଖର୍ଚ୍ଚ ହୋଇଥିବା ଅର୍ଥ ତ ପାଣିରେ ପଡ଼ିଲା, ଗୋଟିଏ ମାତ୍ର ପବନରେ ସେ ଯୋଜନାର ବିଫଳତା ପ୍ରମାଣିତ ମଧ୍ୟ ହୋଇ ଯାଇଛି। ଏଭଳି ଅସ୍ଥାୟୀ ବ୍ୟବସ୍ଥା ଅପେକ୍ଷା ସ୍ଥାୟୀଭାବେ ସେହି ସ୍ଥାନରେ ଗଛ ଲଗାଇବାକୁ ଅନେକ ପରିବେଶପ୍ରେମୀ ପ୍ରସ୍ତାବ ଦେଇଛନ୍ତି।
ଭୁବନେଶ୍ବରରେ ପ୍ରାୟ ୬୦ଟି ଟ୍ରାଫିକ୍ ଛକ ଅଛି। ସେଗୁଡ଼ିକରେ ପ୍ରାୟ ୫୦୦ ଟ୍ରାଫିକ୍ ପୁଲିସ ନିୟୋଜିତ ହେଉଛନ୍ତି। ଖରାଦିନରେ ୨ ଫୁଟ୍ରେ ୨ ଫୁଟ୍ର ଏକ ଛୋଟସ୍ଥାନରେ ଖରା ଓ ଗରମରେ ଛିଡ଼ାହୋଇ ସିଗ୍ନାଲ୍ ପରିଚାଳନା କରିବା ଟ୍ରାଫିକ୍ ପୁଲିସଙ୍କ ପାଇଁ ଯନ୍ତ୍ରଣାଦାୟକ। ତେବେ ଚଳିତ ବର୍ଷ କମିସନରେଟ୍ ପୁଲିସ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ସହାୟତାରେ ୨୫ଟି ଟ୍ରାଫିକ୍ ପୋଷ୍ଟକୁ ବ୍ୟବସ୍ଥିତ କରିଛି। ସେଠାରେ ଚାର୍ଜ ପଏଣ୍ଟ ଓ ଫ୍ୟାନ୍ ଭଳି ସୁବିଧା ରହିଛି। ପୁଣି କିଛିସ୍ଥାନରେ କମିସନରେଟ୍ ପୁଲିସ ଖରାରୁ ରକ୍ଷା ପାଇବା ପାଇଁ ଟ୍ରାଫିକ୍ କର୍ମଚାରୀଙ୍କୁ ଏସି ହେଲ୍ମେଟ୍ ଦେଇଛି। କିନ୍ତୁ କେହି ଗଛ ଲଗାଇବା ପାଇଁ ଆଗଭର ନୁହନ୍ତି। ଟ୍ରାଫିକ୍ ପୋଷ୍ଟ ଠାରୁ ଅନ୍ତତଃ ୨୦ ମିଟର ପର୍ଯ୍ୟନ୍ତ ଅଧିକ ମୋଟା ହେଉନଥିବା, କିମ୍ବା ସେଡ୍ କରାଯାଇ ଲତା ଜାତୀୟ ଗଛ ଲଗାଗଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରନ୍ତା ବୋଲି ଅନେକ ମତ ଦେଇଛନ୍ତି। ଉଦାହରଣ ସ୍ବରୂପ, ଚଳିତ ଥର ଜାଭିୟର ଛକ, ଡମଣା, ପଟିଆ, ଶିଶୁଭବନ, ମାଣ୍ଟର କ୍ୟାଣ୍ଟିନ୍ ଭଳି ଛକରେ ଗଛ ନଥିବାରୁ ଟେଣ୍ଟ କରାଗଲା। ହେଲେ ସୈନିକ ସ୍କୁଲ୍ରୁ ନାଲ୍କୋ ଛକ, ରାଜଭବନରୁ ଏଜି ଛକ ଭଳି ସ୍ଥାନରେ ଟ୍ରାଫିକ୍ ପୋଷ୍ଟ ପାଖରେ ଗଛ ଥିବାରୁ ଟେଣ୍ଟ କରାଯାଇନାହିଁ। ଖରାରେ ଗାଡ଼ି ଚାଳକ ଛାଇରେ ଗଛ ତଳେ ହିଁ ଛିଡ଼ା ହେଉଛନ୍ତି। ଏନେଇ ସିଟି ଫରେଷ୍ଟ ଡିଏଫ୍ଓ ଅଜିତ ଶତପଥୀ କହିଛନ୍ତି, ଟ୍ରାଫିକ୍ ପୋଷ୍ଟ ନିକଟରେ ସବୁ ସ୍ଥାନରେ ବଡ଼ଗଛ ଲଗାଇବା ସମ୍ଭବ ହୋଇନପାରେ। କିନ୍ତୁ ଗ୍ରିନ୍ ଟନେଲ୍ କରାଯାଇପାରେ। ଟ୍ରାଫିକ୍ରୁ ୫୦ ମିଟର ଫ୍ରେମ୍ ତିଆରି କରି ଯଦି ତା’ଉପରେ ଫୁଲ ଜାତୀୟ ଲତାଗଛ ଲଗାଯାଏ, ତାହା ଛାଇ ଦେବା ସହ ପରିବେଶକୁ ସୁନ୍ଦର କରନ୍ତା। ଏଠାରେ ବଡ଼ଗଛ ବି ଲଗାଯାଇ ପାରେ, କିନ୍ତୁ ସେଭଳି ଟେକ୍ନୋଲୋଜି ଭାରତକୁ ଆସିନାହିଁ।