ପୁରୁଣା ଭୁବନେଶ୍ବର: ସ୍କୁଲ୍‌ ପଡ଼ିଆରେ ଖେଳିବାକୁ ଗ୍ରିଲ୍‌ ଗେଟ୍‌ ଡେଇଁବା ବେଳେ ଜଣେ ନାବାଳକଙ୍କ ହାତରେ ରଡ୍‌ ଗଳିଯାଇଥିଲା। ମୁନିଆ ରଡ୍‌ ମଣିବନ୍ଧ ତଳୁ ଗଳି ପାପୁଲିରେ ଫୁଟି ବାହାରିପଡ଼ିଥିଲା। ସୌଭାଗ୍ୟକୁ ତୁରନ୍ତ ନାବାଳକଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବାରୁ ସେ ବର୍ତ୍ତିଯାଇଛନ୍ତି। ଅସ୍ତ୍ରୋପଚାର ପରେ ରଡ୍‌ ବାହାର କରାଯାଇଛି ଏବଂ ନାବାଳକଜଣକ ସୁସ୍ଥ ଅଛନ୍ତି। ଆଜି ଅପରାହ୍ଣରେ ବଡ଼ଗଡ଼ ସ୍କୁଲ୍‌ ପଡ଼ିଆରେ ଏହି ଘଟଣାଟି ଘଟିଛି। ସ୍ଥାନୀୟ କ‌ର୍ପୋରେଟର୍‌ ଅଜିତ ବେହେରା ନାବାଳକକୁ ଉଦ୍ଧାର ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଛନ୍ତି। ବଡ଼ଗଡ଼ ସ୍କୁଲ୍‌ ନିକଟରେ ରହୁଥିବା ସେକ୍ ମଜିଦ୍‌ଙ୍କ ୯ବର୍ଷ ବୟସର ପୁଅ ସେକ୍‌ ମୁକ୍ତାର ଖେଳିବା ପାଇଁ ଯାଇଥିଲେ। 

Advertisment

ସେ ପଡ଼ିଆ ଭିତରକୁ ଯିବା ଲାଗି ଗେଟ୍‌ରେ ଚଢ଼ି ଡେଇଁବାକୁ ଉଦ୍ୟମ କରୁଥିଲେ। ଗ୍ରିଲ୍‌ ଉପରୁ ତଳକୁ ଡେଇଁବା ବେଳେ ମୁନିଆ ରଡ୍‌ ତାଙ୍କ ହାତରେ ଗଳି ଯାଇଥିଲା। ରଡ୍‌ଟି ପାପୁଲ‌ିରେ ଗଳି ଲାଗିରହିଥିଲା। ମୁକ୍ତାରଙ୍କ ଚିତ୍କାର ଶୁଣି ପଡ଼ିଆରେ ଖେଳୁଥିବା ପିଲାମାନେ ଧାଇଁ ଆସିଥିଲେ। ଖବର ପାଇ କର୍ପୋରେଟର୍‌ ଅଜିତ ବେହେରା ସେଠାରେ ପହଞ୍ଚି ରଡ୍‌ କାଟିବାକୁ ବ୍ୟବସ୍ଥା କରିଥିଲେ। ଏହା ଭିତରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍‌ସକୁ ଫୋନ୍‌ କରିଥିଲେ। ମାତ୍ର ଆମ୍ବୁଲାନ୍‌ସ ପହଞ୍ଚିବା ବିଳମ୍ବ ହୋଇଥିଲା। ରଡ୍‌ କଟା ସରିବା ପରେ କର୍ପୋରେଟର୍‌ ଶ୍ରୀ ବେହେରା ପୁଲିସ ଗାଡ଼ିରେ ମୁକ୍ତାରକୁ ଏକ ଘରୋଇ ହସ୍ପିଟାଲ୍‌କୁ ନେଇ ଚିକିତ୍ସା କରାଇଥିଲେ।