ସଂଘବଦ୍ଧ ଆକ୍ରମଣରୁ ବର୍ତିଗଲେ ଠିକାଦାର

୨ କାର୍‌, ଖଣ୍ଡା ଓ ବଲ୍‌ହା ଜବତ, ୨ ନାବାଳକ ଗିରଫ, ୧୨ ଫେରାର୍‌

ଖଣ୍ଡଗିରି: ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଡୁମୁଡୁମାର ରାଜେଶ ପାତ୍ର ଏକ ସଂଘବଦ୍ଧ ଆକ୍ରମଣରୁ ଅଳ୍ପକେ ବର୍ତି ଯାଇଛନ୍ତି। ପ୍ରାୟ ୧୪ଜଣ ସଶସ୍ତ୍ର ଦୁର୍ବୃତ୍ତ ତାଙ୍କୁ ଘେରି ଯାଇଥିବା ବେଳେ ହଠାତ୍‌ ପିସିଆର୍‌ ଭ୍ୟାନ୍‌ ପହଞ୍ଚି ଯିବାରୁ ସେ ବଞ୍ଚି ଯାଇଛନ୍ତି। ପୁଲିସକୁ ଦେଖି ଫେରାର୍‌ ହେବାକୁ ଉଦ୍ୟମ କଲା ବେଳେ ଦୁଇ ଜଣ ନାବାଳକ ଦୁର୍ବୃତ୍ତ ଧରା ପଡ଼ି ଥିବା ବେଳେ ଅନ୍ୟମାନେ ଖସି ପଳାଇଛନ୍ତି। ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ୨ଟି କାର୍‌ ଓ ଗୋଟିଏ ଖଣ୍ଡା ଓ ୭/୮ଟି ବଲ୍‌ହା ଜବତ କରାଯାଇଛି। ଖଣ୍ଡଗିରି ଥାନା ପୁଲିସ ଆଜି ଏକ ଅପହରଣ ଓ ସଂଘବଦ୍ଧ ଆକ୍ରମଣ ମାମଲା ରୁଜୁ କରି ଦୁଇ ନାବାଳକଙ୍କୁ ଚାଇଲ୍ଡ ଲାଇନ୍‌ରେ ରଖିଛି ଓ ଆସନ୍ତାକାଲି ସେମାନଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯିବ ବୋଲି ସୂଚନା ମିଳିଛି।

ସୂଚନାନୁସାରେ ଗତକାଲି ରାତି ପ୍ରାୟ ୧୨ଟା ବେଳେ ରାଜେଶ ତାଙ୍କ ନୂଆ ନମ୍ବରବିହୀନ କାର୍‌ ଯୋଗେ ଘରକୁ ଫେରୁଥିଲେ। ସେ ଗଣ୍ଡମୁଣ୍ଡା ଛକରୁ ଆଇଟିଇଆର୍‌ କଲେଜ ରାସ୍ତା ଦେଇ ଡୁମୁଡୁମା ଫେରୁଥିଲେ। ରାସ୍ତା ନିଛାଟିଆ ହୋଇ ଯାଇଥିଲା। ଏକ ମନ୍ଦିର ନିକଟରେ ସେ ପହଞ୍ଚିଥିବା ବେଳେ ହଠାତ୍‌ ଦୁଇଟି ନାଲି ରଙ୍ଗର କାର୍‌ ତାଙ୍କ ଗାଡ଼ି ଆଗରେ ଅଟକି ଯାଇଥିଲା। ସେ କିଛି ବୁଝିବା ପୂର୍ବରୁ ଦୁଇ ନାଲି କାର୍‌ ଭିତରୁ ପ୍ରାୟ ୧୪ ଜଣ ଯୁବକ ବାହାରି ଆସିଥିଲେ। ସେମାନେ ହାତରେ ବଲ୍‌ହା ଓ ଖଣ୍ଡା ଆଦି ଧରିଥିଲେ। ରାଜେଶ ବୁଝିଗଲେ ଯେ ତାଙ୍କୁ ଆକ୍ରମଣ ହେବ। ତେଣୁ ସେ ତାଙ୍କ କାର୍‌ ଡୋର୍‌କୁ ଭଲ କରି ବନ୍ଦ କରିଦେବା ସହ ତୁରନ୍ତ ଖଣ୍ଡଗିରି ଥାନାକୁ ଫୋନ୍‌ କରି ଜଣାଇଥିଲେ। ଏତିକିବେଳେ ଦୁର୍ବୃତ୍ତମାନେ ତାଙ୍କ କାର୍‌କୁ ଘେରି ଯାଇ ବଲ୍‌ହାରେ ପିଟିବାକୁ ଲାଗିଥିଲେ। ମାତ୍ର ରାଜଶେଙ୍କ ସୌଭାଗ୍ୟକୁ ଠିକ୍‌ ସେତିକିବେଳେ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ପୁଲିସକୁ ଦେଖି ଦୁର୍ବୃତ୍ତମାନେ କାର୍‌ ଛାଡ଼ି ଦୌଡ଼ିଥିଲେ। କିନ୍ତୁ ପୁଲିସ ଗୋଡ଼ାଇ ଗୋଡ଼ାଇ ୨ଜଣଙ୍କୁ କାବୁ କରି ନେଇଥିଲା। ଜଣେ ମୋଟା ଥିବାରୁ ଦୌଡ଼ି ପାରିନଥିଲା ଓ ଅନ୍ୟଜଣଙ୍କ ଆଖିରୁ ଚଷମା ଖସିଯିବାରୁ ବାଧ୍ୟ ହୋଇ ରହି ଯାଇଥିଲା। ପୁଲିସ ସୂଚନାନୁସାରେ ରାଜେଶଙ୍କ ସହ ଏହି ଦୁର୍ବୃତ୍ତମାନଙ୍କ ପୂର୍ବ ଶତ୍ରୁତା ରହିଛି। ତେଣୁ ପ୍ରତିଶୋଧ ପରାୟଣ ହୋଇ ଏହି ଗୋଷ୍ଠୀ ଏଭଳି ଆକ୍ରମଣ କରିଥିଲେ। ଏହି ଗ୍ୟାଙ୍ଗ୍‌ରେ ଜଣେ ପୁଲିସ ଡ୍ରାଇଭରଙ୍କ ପୁଅ ଦେବୀ ଓ ବିଶ୍ୱଜିତ୍‌ଙ୍କ ସମେତ ମହମ୍ମଦ ରସିଦ୍‌, ପ୍ରତୀକ, ପ୍ରଭୁ, ସୌମ୍ୟ, ଜନ୍‌, ଆଶୁତୋଷ, ରଶ୍ମି, ରାଜେଶ, ଶ୍ରତିକି ପ୍ରମୁଖ ସାମିଲ୍‌ ରହିଛନ୍ତି। ଦୁଇ ପୁଲିସ ପୁଅ ବିଭିନ୍ନ ଅପରାଧରେ ପୂର୍ବରୁ ଗିରଫ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର