ସଂଘବଦ୍ଧ ଆକ୍ରମଣ ମାମଲା: ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ଡିସିପିଙ୍କୁ ଦାବିପତ୍ର

ଭୁବନେଶ୍ୱର: ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ମାମଲାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଅଭିଯୁକ୍ତ ଗାଁରେ ବୁଲିବା ସହ ପାଲଟା ଧମକ ଦେଉଥିବାରୁ ସମ୍ପୃକ୍ତ ଅଂଚଳର ବାସିନ୍ଦା ଭୟଭୀତ ଅବସ୍ଥାରେ ରହିଛନ୍ତି। ମଞ୍ଚେଶ୍ବର ଥାନା ପୁଲିସର ଏଭଳି ନିଷ୍କ୍ରିୟତା ପ୍ରତିବାଦରେ ଆଜି ସମେଇଗାଡ଼ିଆର ଶତାଧିକ ପୁରୁଷ ମହିଳା ଡିସିପି ଅନୁପ ସାହୁଙ୍କୁ ଭେଟିଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିବା ସହ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଉଦ୍ୟମ କରିବାକୁ ଦାବି କରିଥିଲେ। ସୂଚନା ମୁତାବକ, ଉପେନ୍ଦ୍ର ଓ ତାଙ୍କ ପଡ଼ୋଶୀ ରମେଶ ବେହେରାଙ୍କର ପାରିବାରିକ ଶତ୍ରୁତା ରହିଛି। ଗତ ୫ ତାରିଖ ଦିନ ଉପେନ୍ଦ୍ରଙ୍କ ଘର ସାମ୍ନାରେ ରମେଶ ଆବର୍ଜନା ଗଦାଇବାରୁ ଉପେନ୍ଦ୍ର ବାରଣ କରିଥିଲେ। ମାତ୍ର ରମେଶ ଏଥିରେ ଉତ୍‌କ୍ଷିପ୍ତ ‌ହୋଇ ଆକ୍ରମଣ କରିଥିଲେ। ବାପାଙ୍କୁ ଆକ୍ରମଣ ହେଉଥିବା ଦେଖି ପୁଅ ସୁକାନ୍ତ, ସୁମନ୍ତ ଓ ପତ୍ନୀ ଦଉଡ଼ି ଆସିବାରୁ ରମେଶଙ୍କ ପୁଅ, ଝିଅ ମିଶି ଲୁହା ଛଡ଼ ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଉପେନ୍ଦ୍ରଙ୍କର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର