ବିଦ୍ୟୁତ୍‌ ସଂଯୋଗ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ : ଆକ୍ରମଣରେ ଜଣେ ଗୁରୁତର, ଏକ ପ୍ଲାଟୁନ ଫୋର୍ସ ମୁତୟନ

ବାଲିପାଟଣା : ବାଲିପାଟଣା ଥାନା ଅଧୀନ ଗୁଆପୁର ଓ ମଝିହରା ଗ୍ର‌ାମ ମଧ୍ୟରେ ୧୧ କେଭି ବିଦ୍ୟୁତ୍‌ ସଂଯୋଗକୁ ନେଇ ଗଣ୍ଡଗୋଳ ହୋଇଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ମଝିହରା ଗ୍ରାମର ଅଭିମନ୍ୟୁ ମହାନ୍ତି। ତାଙ୍କୁ ପ୍ରଥମେ ଅଠାନ୍ତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସେଠାରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ମେଲଣ ପଡ଼ିଆରୁ ଗୁଆପୁର ଓ ମଝିହରା ଗାଁକୁ ୧୧ କେଭି ବିଦ୍ୟୁତ୍‌ ସଂଯୋଗ ଯାଇଛି। ବାତ୍ୟାରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିବା ବେଳେ ୪/୫ ଦିନ ତଳେ ଗୁଆପୁର ଗାଁକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ମାତ୍ର ମଝିହରା ଗାଁକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ଖୁଣ୍ଟ ପୋତାଯିବାକୁ ଗୁଆପୁର ଗ୍ରାମବାସୀ ବିରୋଧ କରିଥିଲେ। ମେଲଣ ପଡ଼ିଆ ମହାଦେବଙ୍କ ରାସ୍ତାରେ ସେମାନେ ‌ଖୁଣ୍ଟ ପୋତିବାକୁ ଦେଉନଥିଲେ। ଏ ସମ୍ପର୍କରେ ମଝିହରା ଗ୍ରାମବାସୀ ପଚାରିବାରୁ ଏହାକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଘଟଣା ସମ୍ପର୍କରେ ଗତକାଲି ବାଲିପାଟଣା ଥାନାରେ ଅଭିଯୋଗ ପରେ ଆଜି ଉଭୟ ଗ୍ରାମର ଭଦ୍ରଲୋକଙ୍କ ଜରିଆରେ ସମସ୍ୟାର ସମାଧାନ ପାଇଁ ସ୍ଥିର ହୋଇଥିଲା। ମାତ୍ର ଆଜି ସକାଳେ ମଝିହରା ଗ୍ରାମବାସୀ ଖୁଣ୍ଟ ପୋତିବାକୁ ଯାଇଥିବା ବେଳେ ସେଠାରେ ମଳତ୍ୟାଗ କରାଯାଇଥିବା ଦେଖିବାକୁ ପାଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମଝିହରା ଗ୍ରାମବାସୀ କୁଞ୍ଚପଦାରୁ ଆସିଥିବା ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରିଦେଇ ଗୁଆପୁର-ମଝିହରା ରାସ୍ତାରେ ପଥର ରଖି ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ଗୁଆପୁରର କିଛି ଯୁବକ ଉକ୍ତ ରାସ୍ତାରେ ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଘଟଣାସ୍ଥଳରେ ଗୁଆପୁରର ୧୦/୧୫ ଜଣ ଯୁବକ ପହଞ୍ଚି ମଝିହରାର ଅଭିମନ୍ୟୁ ମହାନ୍ତିଙ୍କୁ ବଟାଳିରେ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର