ଭୁବନେଶ୍ବର : ଇନ୍‌ଫୋସିଟି ଥାନା ଅଧୀନ ଚିରଗୋଲଟୋଲା ବସ୍ତିରେ ରବିବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ମୋଟ ୮ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମୁଣ୍ଡ ଫାଟିବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଖବର ପାଇ ଇନ୍‌ଫୋସିଟି ଥାନା ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଛି। ଘଟଣାର ଆପୋସ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ହେଁ ପୁଲିସ୍‌ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ପରସ୍ପରକୁ ପୁଣିଥରେ ଆକ୍ରମଣ କରିବାରୁ ସେଠାର‌େ ଉତ୍ତେଜନା ଲାଗି ରହିଛି। କୌଣସି ବଡ଼ଧରଣର ଅଘଟଣକୁ ଏଡ଼ାଇବା ପାଇଁ ଥାନା ପକ୍ଷରୁ ବସ୍ତିରେ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ଉପରେ ପୁଲିସ୍‌ ତୀକ୍ଷ୍ଣ ନଜର ରଖିଛି।

Advertisment

ମକର ଉତ୍ସବ ପାଳନକୁ କେନ୍ଦ୍ର କରି ଆଜି ବସ୍ତିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। କଥା ବଢ଼ିବାରୁ ପ୍ରତି ଗୋଷ୍ଠୀରେ ଶହେରୁ ଊର୍ଦ୍ଧ୍ବ ଲୋକ ସାମିଲ ହୋଇ ପରସ୍ପରକୁ ଆକ୍ରମଣ କରିଥିଲେ। ସେମାନଙ୍କ ପାଟିତୁଣ୍ଡ, ହୋ-ହଲ୍ଲା ଓ ମାରପିଟ୍‌ରେ ପୂରା ବସ୍ତିରେ ଭୟର ବାତାବରଣ ଖେଳି ଯାଇଥିଲା। ଖବର ପାଇ ଇନ୍‌ଫୋସିଟି ଥାନା ପୁଲିସ୍‌ ଓ ସ୍ଥାନୀୟ ଜନପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବୁଝାମଣା କରାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଦୁଇ ଗୋଷ୍ଠୀର କିଛି ଯୁବକ ପରସ୍ପରକୁ ମାଡ଼ ମାରିଥିଲେ। ଫଳରେ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା।