ରାଜଧାନୀ ରାସ୍ତାରେ ଆତଙ୍କରାଜ ପ୍ରସଙ୍ଗ : ପୁଲିସ ଖୋଜୁଛି କେଟିଏମ୍‌, ବୁଲେଟ୍‌, ଅଭିଯୁକ୍ତ ଏବେ ବି ଫେରାର

ଭୁବନେଶ୍ୱର : ଗତ ରାତିରେ ମହର୍ଷି କଲେଜ୍‌ ରାସ୍ତାରେ ଘଟିଥିବା ଉନ୍ମତ୍ତ କାଣ୍ଡରେ କେଉଁମାନେ ସମ୍ପୃକ୍ତ ତାହା ଏବେ ବି ସ୍ପଷ୍ଟ ହୋଇ ନାହିଁ। ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ଯୁବକ ଫେରାର ଅଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ବା ଚିହ୍ନଟ କରିବା ଏବେ ପୁଲିସ ପାଇଁ କାଠିକାର ପାଠ ହୋଇଛି। ଅଜଣା ଯୁବକମାନେ କେଟିଏମ୍‌ ଓ ବୁଲେଟ୍‌ରେ ଆସିଥିବା ପୁଲିସ ଜାଣିବା ପରେ ଏହି ସବୁ ବାଇକ୍‌ ଉପରେ ନଜର ପକାଇ ଯାଞ୍ଚ କଡ଼ାକଡ଼ି କରିଛି।

ଅନ୍ୟ କେତେକ, ଏଥିରେ କିଛି ବଡ଼ବଡ଼ିଆଙ୍କ ପୁଅ ସାମିଲ ଥିବାରୁ ମାମଲାକୁ ଜଗିରଖି ବିଚାର କରିବା ପାଇଁ ପୁଲିସ ଉପରେ ପ୍ରବଳ ଚାପ ପଡ଼ୁଛି ବୋଲି ସନ୍ଦେହ କରୁଛନ୍ତି। ଏପରିକି ବଡ଼ବଡ଼ିଆଙ୍କ ପୁଅଙ୍କୁ ପୁଲିସ ଚିହ୍ନଟ କରିସାରିଥିଲେ ମଧ୍ୟ ଜାଣି ଜାଣି ଧରୁ ନାହିଁ। ଏହାକୁ ଅଜଣା ଯୁବକଙ୍କ ଆକ୍ରମଣ ବୋଲି କହୁଥିବା କୁହାଯାଉଛି। ଅନ୍ୟପଟେ ପୁଲକ ମହାନ୍ତି ନାମକ ବ୍ୟକ୍ତି ତତ୍‌କ୍ଷଣାତ୍‌ ଏହାର ପ୍ରତିବାଦ କରିବା ସହ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରି ନାହିଁ। ଏଣୁ ପୁଲିସର ଭୂମିକା ନେଇ ସନ୍ଦେହ ପ୍ରକାଶ ପାଇଛି।

ପ୍ରକାଶ ଥାଉକି, ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ମହର୍ଷି କଲେଜ୍‌ ରୋଡ୍‌ରେ ୧୦ରୁ ୧୫ ଜଣ ଯୁବକ ପରସ୍ପର ମଧ୍ୟରେ ବାଡାପିଟା ହେବା ସହ ପଥଚାରୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ଏହି ରାସ୍ତା କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଥିଲ‌‌ା। ଏହି ରାସ୍ତା ଦେଇ ଯାଉଥିବା ପଥଚାରୀଙ୍କୁ ଅଟକାଇ ମାଡ଼ ମାରିବା ସହ ଗାଡ଼ି ଭଂଗାରୁଜା ବି କରିଥିଲେ। ଆକ୍ରମଣକାରୀଙ୍କ କବଳରୁ ମହିଳା, ଯୁବତୀ ଓ ଶିଶୁ ମଧ୍ୟ ବର୍ତ୍ତି ନ ଥିଲେ। ଦୀର୍ଘ ସମୟ ଧରି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ପୁଲିସ ଖବର ପାଇ ଆସିବା ବେଳକୁ ଗଣ୍ଡଗୋଳକାରୀମାନେ ଘଟଣାସ୍ଥଳରୁ ଫେରାର ‌ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର