ଚନ୍ଦ୍ରଶେଖରପୁର : କୁଳୁକୁଞ୍ଚା ପାଣି ପକାଇବାରୁ ଗୋଷ୍ଠୀ ସଂଘ‌ର୍ଷ

ଚନ୍ଦ୍ରଶେଖରପୁର : କୁଳୁକୁଞ୍ଚା ପାଣି ପକାଇବାକୁ କେନ୍ଦ୍ର କରି ଆଜି ନୀଳାଦ୍ରିବିହାର କନ୍ୟାଶ୍ରମ ମୁଣ୍ଡା ବସ୍ତିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୩ଜଣ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ତେବେ କଥା ବଢ଼ିବା ପୂର୍ବରୁ ବସ୍ତିର ମୁରବୀମାନେ ବୁଝାଶୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବସ୍ତିର ମଧ୍ୟଭାଗରେ ଜଣେ ଯୁବକ ବାପି ସର୍ଦାର ଆଜି ସକାଳେ ଏକ ସିମେଣ୍ଟ ପିଣ୍ଡି ଉପରେ ବସି ଦାନ୍ତ ଘଷିବା ବେଳେ କୁଳୁକୁଞ୍ଚା ପାଣି ପିଣ୍ଡି ଉପରେ ପକାଉଥିଲେ। ଏହାକୁ ସେଠାରେ ଥିବା କିଛି ଯୁବକ ବିରୋଧ କରିଥିଲେ। କୁଳାକୁଚା ପାଣିରୁ କରୋନା ବ୍ୟାପିବାର ସମ୍ଭାବନା ଥିବା ଦର୍ଶାଇ ଏପରି ନ କରିବାକୁ ବାପିଙ୍କୁ କହିଥିଲେ। ଏହାକୁ ନେଇ ବାପିଙ୍କ ସହ ସେମାନଙ୍କର ବଚସା ହୋଇଥିଲା। ଏଥିରେ ରାଗିଯାଇ ବାପି ନିକଟରେ ଠିଆ ହୋଇଥିବା ଯୁବକମାନଙ୍କ ଉପରକୁ କୁଳୁକୁଞ୍ଚା ପାଣି ପକାଇ ଦେଇଥିଲେ। ପରେ ଉକ୍ତ ଯୁବକମାନେ ଘରକୁ ଚାଲି ଯାଇ ଠେଙ୍ଗା ଓ ମାରଣାସ୍ତ୍ର ଧରି ବାପି ଘର ନିକଟକୁ ଆସି ଗଣ୍ଡଗୋଳ କରିଥିଲେ। ଏହା ଦେଖି ବାପି ରହୁଥିବା ସାହିର ପିଲାମାନେ ମଧ୍ୟ ଠେଙ୍ଗା ବାଡ଼ି ଧରି ପରସ୍ପରକୁ ଆକ୍ରମଣ କରିଥିଲେ। ପରେ ବସ୍ତିର ମୁରବୀ ଏଥିରେ ହସ୍ତକ୍ଷେପ କରି ସେମାନଙ୍କୁ ବୁଝାଶୁଝା କରିବା ସହ ପୁଲିସ୍‌କୁ ଡାକିବା ନେଇ ଧମକ ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର