କଟକ: ପଟ୍ଟାପୋଲ ଅଞ୍ଚଳରେ ଗାଡ଼ି ସାଇଡ୍ ମାରିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଦୁଇଟି ସମ୍ପ୍ରଦାୟର ଯୁବ ଗୋଷ୍ଠୀ ପରସ୍ପର ଉପରକୁ ଢେଲା ଓ କାଚ ବୋତଲ ମାଡ଼ କରିଛନ୍ତି। କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଖବର ପାଇବା ପରେ ସେଠାରେ ପର୍ଯ୍ୟାପ୍ତ ଫୋର୍ସ ମୁତୟନ କରିଛି। ସଂଘର୍ଷରେ ଦୁଇ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି। ପୁଲିସ ୬ ଜଣଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି। ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ୪ଟା ବେଳେ ପଟ୍ଟାପୋଲ ଅଞ୍ଚଳର କେ.ରାଜୁ କାର୍‍ ଚଳାଇ ପଟ୍ଟାପୋଲ ଛକ ଆଡ଼କୁ ଯାଉଥିଲା। ଏହି ସମୟରେ ବାଇକ୍‍ ଧରି ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ଯୁବକଙ୍କୁ ରାଜୁ ବାଇକ୍‍କୁ ଟିକେ ସାଇଡ୍‌ କରିବାକୁ କହିଥିଲା। କିନ୍ତୁ ସମ୍ପୃକ୍ତ ଯୁବକ ଜଣକ ତାଙ୍କ କଥା ଶୁଣି ନଥିଲା। ରାଜୁର କାର୍‍ ଉକ୍ତ ବାଇକ୍‍ ସହିତ ଧକ୍କା ହେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ ରାଜୁଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲା। ଏହାପରେ ରାଜୁ ସେଠାରୁ ପଳାଇ ଯାଇ ନିଜ ସାହିରେ କହିଥିଲେ। ପରେ ସାହିର ଏକାଧିକ ଯୁବକ ଉତ୍ତ୍ୟକ୍ତ ହୋଇ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ।

Advertisment

ଢେଲା, କାଚ ବୋତଲ ମାଡ଼; ୪ ଆହତ, ୬ ଜଣଙ୍କୁ ଟେକିନେଲା ପୁଲିସ

ଅନ୍ୟପଟେ ମାଡ଼ ମାରିଥିବା ଯୁବକର ମଧ୍ୟ ସମର୍ଥକମାନେ ସେଠାରେ ପହଞ୍ଚିଥିଲେ। ପରସ୍ପର ମଧ୍ୟରେ ଢ଼େଲା ପଥର ମାଡ଼ ସହିତ କାଚ ବୋତଲ ଫିଙ୍ଗିଥିଲେ। ଏହି ସଂଘର୍ଷରେ ୪ ଜଣ ଆହତ ହୋଇଥିବା ବେଳେ ରାସ୍ତା ପାର୍ଶ୍ବରେ ଥିବା କେତେକ ଗାଡ଼ି ଓ ଦୋକାନ ଭାଙ୍ଗିରୁଜି ଯାଇଥିଲା। ଖବର ପାଇ ଡିସିପି ଜଗମୋହନ ମୀନାଙ୍କ ସମେତ ଅତିରିକ୍ତ ଡିସିପି ଦେବଦତ୍ତ କର, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ପ୍ରମୋଦ କୁମାର ପଟ୍ଟନାୟକ ଓ ଦରଘାବଜାର ଥାନା ଆଇଆଇସି ଚିନ୍ତେଶ୍ୱର ମୁଣ୍ଡା ପ୍ରମୁଖ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଫୋର୍ସଙ୍କୁ ଦେଖିବା ପରେ ଗଣ୍ଡଗୋଳକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍‌କୁ ଯାଞ୍ଚ କରିବା ପରେ ପୁଲିସ ଗଣ୍ଡଗୋଳକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଏହି ଘଟଣାରେ ସାମିଲ ଥିବା ୬ଜଣଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରୁଥିବା କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।