ଶ୍ରୀରାମନଗର ବସ୍ତିରେ କାନ କଟିଲା, ବିଏମ୍ସି ପାଖରେ ଖବର ନାହିଁ
ବସ୍ତି କମିଟି, ସଚେତକ ଖବର ଦେଉ ନାହାନ୍ତି
ଭୁବନେଶ୍ବର : ବସ୍ତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏହାଛଡ଼ା ରାଜଧାନୀରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ୁଥିବାରୁ ବିଏମ୍ସି ପକ୍ଷରୁ ୫ ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଲାଗିଛି। ଗଞ୍ଜାମ, ଗଜପତି, ବାଲେଶ୍ବର, ଯାଜପୁର ଓ କଟକ ଜିଲ୍ଲାରୁ ଆସୁଥିବା ଲୋକମାନେ ୧୪ଦିନ ସଙ୍ଗରୋଧରେ ରହିବାକୁ କୁହାଯାଇଛି। କିନ୍ତୁ ଏବେ ରାଜଧାନୀ ବାହାରୁ ଯଦି କେହି ଫେରୁଛନ୍ତି ତାଙ୍କୁ ଲୋକ ବସ୍ତି/କଲୋନି କି ଆପାର୍ଟମେଣ୍ଟମେଣ୍ଟରେ ପୂରାଉନାହାନ୍ତି। ବସ୍ତି ଅଞ୍ଚଳରେ ତ ଏହାକୁ ନେଇ ସ୍ଥିତି ସାଂଘାତିକ ହେବାରେ ଲାଗିଲାଣି।
ରାଜଧାନୀର ପ୍ରାୟ ୧୫ଟି ବସ୍ତିରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବସ୍ତିବାସିନ୍ଦା ଭୟଭୀତ ହୋଇଯାଇଛନ୍ତି। ତେଣୁ ବାହାର ଜିଲ୍ଲାରୁ ଆସୁଥିବା ଲୋକଙ୍କୁ ଏବେ ବସ୍ତିରେ ପୂରାଇ ଦେଉନାହାନ୍ତି। ନିକଟରେ ଏହାକୁ ନେଇ ସାଲିଆସାହିସ୍ଥିତ ଶ୍ରୀରାମନଗର ବସ୍ତିରେ ଉତ୍ତେଜନା ଦେଖିବାକୁ ମିଳିଛି। ଗଞ୍ଜାମରୁ ଆସିଥିବା ୪ଜଣଙ୍କୁ ବସ୍ତିରେ ରହିବାକୁ ନଦେବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଉଭୟ ପକ୍ଷର ୪ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ଜଣଙ୍କର କାନ କଟିଛି। ହେଲେ ବିଏମ୍ସି କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଖବର ନାହିଁ।
/sambad/media/post_attachments/wp-content/uploads/2020/02/clash-300x172.jpg)
ବସ୍ତି ଅଞ୍ଚଳରେ ଯେପରି କେହି ବାହାର ରାଜ୍ୟ ଫେରନ୍ତା କି ଉପରୋକ୍ତ ୫ଜିଲ୍ଲାରୁ କେହି ଆସି ଲୁଚିକି ରହିଯିବେନି ସେଥିପାଇଁ ବିଏମ୍ସି ପକ୍ଷରୁ ସବୁ ବସ୍ତିରେ ବସ୍ତି କମିଟି ଓ ସଚେତକମାନଙ୍କୁ ସଜାଗ କରାଯାଇଛି। ସାଲିଆସାହିରେ ବି ଏହିଭଳି ବସ୍ତି କମିଟି ଓ ସଚେତକମାନଙ୍କୁ ନିୟୋଜିତ କରାଯାଇଛି। ଏପରିକି ପ୍ରତି ୱାର୍ଡରେ ୨୫ରୁ ୩୦ଜଣ ସଚେତକଙ୍କୁ ପରିଚୟ ପତ୍ର ଦେଇ ନିୟୋଜିତ କରଯାଇଥିବାରୁ ସାଲିଆସାହିରେ ପ୍ରାୟ ୧୦୦ ସଚେତକ ଅଛନ୍ତି। କିନ୍ତୁ ନିକଟରେ ଗଞ୍ଜାମରୁ ୪ଜଣ ଆସିଲେ, ତାଙ୍କୁ ବସ୍ତିରେ ପୂରାଇ ନଦେବା ସତ୍ତ୍ବେ ସେ ଘରେ ଦିନେ ରହିଲେ, ଫେରିବାର ଦିନକ ପରେ ଗୋଷ୍ଠୀ ସଂଘର୍ଷ ହୋଇ ଜଣଙ୍କର କାନ କଟିଲା, ସେ ଡାକ୍ତରଖାନା ଗଲେ। କିନ୍ତୁ ଏନେଇ ବିଏମ୍ସିରେ ଖବର ପହଞ୍ଚିଲାନି।
ଯଦି ଏତେ କାଣ୍ଡ ହେବା ପରେ ବିଏମ୍ସିକୁ ସଚେତକ ଓ ବସ୍ତି କମିଟି ଖବର ଦେଉନାହାନ୍ତି ଏବଂ ଯେଉଁଠି ସଲାସୁତରାରେ ଉପରୋକ୍ତ ୫ ଜିଲ୍ଲାର ଲୋକ ଆସି ରହିବେ ଓ ସଙ୍ଗରୋଧ ନିୟମ ମାନିବେନି ତେବେ ବିଏମ୍ସି କିପରି ଲୋକଙ୍କ ଉପରେ ନଜର ରଖିବ ସେନେଇ ପ୍ରଶ୍ନ ଉଠିଲାଣି।
ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀରାମନଗର ବସ୍ତିକୁ ଜୁନ୍ ୩୦ତାରିଖରେ ୪ଜଣ ଗଞ୍ଜାମ ଜିଲ୍ଲାରୁ ଫେରିଥିଲେ। ଏହି ଲୋକମାନଙ୍କର ଏଠାରେ ଘର ଥିବାରୁ ସେମାନେ ଘରକୁ ଫେରିଥିଲେ। କିନ୍ତୁ ବସ୍ତିବାସିନ୍ଦା ତାଙ୍କୁ ଘରେ ପୂରାଇ ଦେଇନଥିଲେ। ବସ୍ତିର ଦୁଇ ଜଣ ତାଙ୍କୁ ସମର୍ଥନ କରିବାରୁ କେବଳ କଥା ଉଚ୍ଚବାଚରେ ସୀମିତ ରହିଯାଇଥିଲା। ଏହାପରେ ସେମାନେ ୧୦୪କୁ ଫୋନ୍ କରିଥିଲେ। ୧୦୪ରେ ଫୋନ୍ ଉଠାଇଥିବା କର୍ମଚାରୀ କହିଥିଲେ ଯେ, ଆପଣ ୧୪ଦିନ ଘରେ ସଙ୍ଗରୋଧ ରୁହନ୍ତୁ। ଏହାପରେ ସେ ଘରକୁ ଯାଇଥିଲେ। କିନ୍ତୁ ତା’ପରଦିନ ଆବଶ୍ୟକ ସାମଗ୍ରୀ କିଣିବାକୁ ଦୋକାନକୁ ଯିବାବେଳେ ବସ୍ତିର କିଛି ଲୋକ ତାଙ୍କୁ ଗାଳିଗୁଲଜ କରିଥିଲେ। ଆଉ ୧ତାରିଖ ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ପରସ୍ପରକୁ ଆକ୍ରମଣ କରିଥିଲେ।
/sambad/media/post_attachments/wp-content/uploads/2020/04/bmcc-300x225.jpg)
ବସ୍ତିରେ ଏତେ ଘଟଣା ଘଟିବା ପରେ ବି ଆମ ପାଖରେ କିଛି ଖବର ନାହିଁ ବୋଲି ବିଏମ୍ସିର ଉତ୍ତର ଜୋନ୍ ଡେପୁଟି କମିସନର ପ୍ରମୋଦ ପୃଷ୍ଟି କହିଛନ୍ତି। ସେ କହିଛନ୍ତି ଯେ, ବାହାର ରାଜ୍ୟରୁ ବା ଗଞ୍ଜାମ, ଗଜପତି, ବାଲେଶ୍ବର, ଯାଜପୁର ଓ କଟକ ଜିଲ୍ଲାରୁ ଯଦି କେହି ବସ୍ତିକୁ ଆସନ୍ତି ତେବେ ଆମକୁ ବସ୍ତି କମିଟି ଓ ସଚେତକମାନେ ଖବର ଦେବାକୁ କୁହାଯାଇଛି। ଏହାପରେ ଆମେ ସେମାନଙ୍କୁ ବିଏମ୍ସିର ସଙ୍ଗରୋଧ କେନ୍ଦ୍ରରେ ରଖିବୁ। ୧୪ଦିନ ସଙ୍ଗରୋଧରେ ରହିବା ପରେ ସେମାନେ ପୁଣି ଆସି ବସ୍ତିରେ ରହିପାରିବେ।
ବିଏମ୍ସି ବସ୍ତି କମିଟି ଉପରେ ଦାୟିତ୍ବ ଛାଡ଼ିଥିଲେ ହେଁ କମିଟି ବହୁ ସ୍ଥାନରେ ବିଏମ୍ସିକୁ ଖବର ଦେଉନାହାନ୍ତି। ଏପରିକି କେତେକ ବସ୍ତିରେ ଉପରୋକ୍ତ ୫ଜିଲ୍ଲା ବାଦ୍ ଅନ୍ୟ ଜିଲ୍ଲାରୁ ବି ଯଦି କେହି ଆସୁଛନ୍ତି ତେବେ ତାଙ୍କୁ ବି ପୂରାଯାଉନି। ତେଣୁ ଅଧିକାଂଶ ବସ୍ତିରେ ଏବେ ଚାପା ଉତ୍ତେଜନା ଦେଖାଦେଲାଣି।
ବିଏମ୍ସି ଏମିତି ନିୟମ କରିଥିଲେ ହେଁ ଅଧିକାଂଶ ୱାର୍ଡରେ ସଚେତକମାନେ କେବଳ ବିଏମ୍ସି ପରିଚୟପତ୍ର ହାତେଇବା ଆଶାରେ ସଚେତକ ହୋଇଯାଉଛନ୍ତି। ଆଉ ଏହି ପରିଚୟପତ୍ରକୁ ବ୍ୟବହାର କରି ସଟ୍ଡାଉନ୍ ସମୟରେ, ବିଳମ୍ବିତ ରାତିରେ ବୁଲୁଛନ୍ତି। କିନ୍ତୁ ମୂଳ କାମ କରୁନାହାନ୍ତି।