କ୍ରିକେଟ୍‌ ଖେଳକୁ ନେଇ ତୁମୁଳକାଣ୍ଡ: ସୂର୍ଯ୍ୟନଗରରେ ବୁଲିଲା ଖଣ୍ଡା, ଭୁଜାଲି

ଉଭୟ ପକ୍ଷର ୫ରୁ ଅଧିକ ଆହତ

ଭୁବନେଶ୍ବର : ଗୁରୁବାର ଅପରାହ୍‌ଣରେ ସୂର୍ଯ୍ୟନଗର ଅଶାନ୍ତ ହୋଇ ଉଠିଥିଲା। ଦୁଇ ଗୋଷ୍ଠୀର ଯୁବକମାନେ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ। ପ୍ରାୟ ଘଣ୍ଟାଏ କାଳ ଦୁର୍ଗାମଣ୍ଡପ ବସ୍ତି ରଣକ୍ଷେତ୍ର ପାଲଟିଥିଲା। ଯୁବକମାନଙ୍କ ଏଭଳି ଗଣ୍ଡଗୋଳ ଦେଖି ଆଖପାଖର ଲୋକମାନେ ଜୀବନ ବିକଳରେ ଘରେ ପଶିଯାଇଥିଲେ। ଆକ୍ରମଣ ପ୍ରତିଆକ୍ରମଣ ଯୋଗୁଁ ଉଭୟ ପକ୍ଷରୁ ୫ରୁ ଊର୍ଧ୍ବ ଆହତ ହୋଇଥିଲେ। ଖବର ପାଇ କ୍ୟାପିଟାଲ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ତେବେ ଗୋଟିଏ ପକ୍ଷର ରାଜା ‌ବେହେରା ଓ ତୋଫାନ ବେହେରା ଗୁରୁତର ହୋଇଥିବା ବେଳେ ଅନ୍ୟ ପକ୍ଷର ସନ୍ତୋଷ ମିଶ୍ର ଏବଂ ଅନ୍ୟମାନେ ଆହତ ହୋଇଥିଲେ।

ସୂଚନା ମୁତାବକ, ସବୁଦିନ ଭଳି ଆଜି ଅପରାହ୍‌ଣରେ ମଧ୍ୟ କ୍ରିକେଟ୍‌ ଖେଳିବା ପାଇଁ ରାଜା, ତୋଫାନ ଏବଂ ସେମାନଙ୍କ ସହଯୋଗୀ ସ୍ଥାନୀୟ ଦୁର୍ଗାମଣ୍ଡପ ବସ୍ତି ପଡ଼ିଆକୁ ଯାଇଥିଲେ। ଖେଳୁଥିବା ସମୟରେ ବଲ୍‌ଟି ସନ୍ତୋଷ ମିଶ୍ରଙ୍କ ଘରେ ପଡ଼ିଥିଲା। ରାଜା ବଲ୍‌ ପାଇଁ ଯାଇଥିବା ବେଳେ ସନ୍ତୋଷ ଏବଂ ପରିବାର ଲୋକ ବଲ୍‌ ଦେଇନଥିଲେ। ଯାହାକୁ ନେଇ ଆରମ୍ଭ ହୋଇଥିଲା ପାଟିତୁଣ୍ଡ। ପାଟିତୁଣ୍ଡ ବଢ଼ିବାରୁ ଜଣଙ୍କ ପରେ ଜଣେ ଯୁବକ ସନ୍ତୋଷଙ୍କ ଘର ନିକଟକୁ ଯାଇ ବଲ ଫେରାଇବାକୁ କହିଥିଲେ। ଧୀରେ ଧୀରେ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଉଭୟ ପକ୍ଷ ଖଣ୍ଡା, ଭୁଜାଲି, ଷ୍ଟିକ୍‌ରେ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ ରାଜାଙ୍କ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। ତୋଫାନଙ୍କ ମୁଣ୍ଡକୁ ଖଣ୍ଡା ଚୋଟ ପକାଉଥିବା ବେଳେ ସେ ହାତରେ ଧରିପକାଇବାରୁ ପାପୁଲି ଦୁଇ ଫାଳ ହୋଇଯାଇଥିଲା। ପ୍ରତିପକ୍ଷ ସନ୍ତୋଷଙ୍କୁ ଆକ୍ରମଣ କରିବା ଯୋଗୁଁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏମିତି ଦୁଇ ପକ୍ଷ ଘଣ୍ଟାଏ କାଳ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ରଚିଥିଲେ।

ଖବରପାଇ କ୍ୟାପିଟାଲ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଲୋକଙ୍କୁ ବୁଝାସୁଝା ପରେ ସ୍ଥିତି ଆୟତ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁକରି ତିନି ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଥିବାରୁ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର