ଭୁବନେଶ୍ବର : ଶନିବାର ଦିନ ରାଜମହଲ ଛକ ନିକଟ ଫାଳିକିଆ ବସ୍ତି ଓ ଗୌତମନଗର ବସ୍ତିର ବାସିନ୍ଦାଙ୍କ ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ପ୍ରାୟ ୧୦ ଜଣ ଗୁରୁତର ହୋଇଛନ୍ତି। ଏନେଇ ଉଭୟ ବସ୍ତି ପକ୍ଷରୁ ବଡ଼ଗଡ଼ ଥାନା ଓ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଆହତମାନେ ଚିକିତ୍ସାଧୀନ ଥିବା ବେଳେ ଅନ୍ୟ ଗଣ୍ଡଗୋଳକାରୀମା‌ନେ ଫେରାର୍ ଥିବାରୁ ପୁଲିସ ଦୁଇ ପକ୍ଷରୁ କାହାକୁ ଗିରଫ କରିପାରିନଥିବା ଜଣାପଡ଼ିଛି। ଗତ ଗୁରୁବାର ଦିନ ଘଟିଥିବା ସଂଘର୍ଷରେ ଦୁଇ ପକ୍ଷରୁ ପ୍ରାୟ ୨୦ ଆହତ ହୋଇଥିବା ସତ୍ତ୍ବେ ପୁଲିସ କାହାକୁ ଗିରଫ କରିନଥିବାରୁ ଆଜି ପୁଣି ରକ୍ତାକ୍ତ ସଂଘର୍ଷ ଉପୁଜିଥିବା କୁହାଯାଇଛି।

Advertisment

publive-image

ଖବର ଅନୁଯାୟୀ, ଶନିବାର ସକାଳେ କ୍ୟାପିଟାଲ ଥାନା ଅଧୀନ ଫାଳିକିଆ ବସ୍ତିର ପ୍ରାୟ ୩୦ରୁ ୪୦ଜଣ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବଡ଼ଗଡ଼ ଥାନା ଅଧୀନ ଗୌତମନଗର ବସ୍ତି ଉପରେ ଆକ୍ରମଣ କରିଥିଲେ। ଅଭିଯୋଗ ଅନୁସାରେ ଫାଳିକିଆ ବସ୍ତିର କାଶୀ ରାଉତ ଓ ତା’ ସହଯୋଗୀମାନେ ଖଣ୍ଡା, ଭୁଜାଲି, ଲୁହାରଡ୍‌ ଭଳି ମାରଣାସ୍ତ୍ର ଧରି ଗୌତମନଗର ବସ୍ତିରେ ପଶି ଆକ୍ରମଣ କରିଥିଲେ। ସେମାନଙ୍କ ଖଣ୍ଡା ଚେଶଯରେ ଟି. ରାମା ରାଓ, ଟି. ନରସିଂହ ରାଓ ଓ ପ୍ରକାଶ କୁମାର ମାଳି ଗୁରୁତର ହୋଇଥିବା ଜଣାପଡ଼ିଛି। ୩ ଗୁରୁତରଙ୍କୁ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ନରସିଂହଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଏନେଇ ଗୁରୁତର ରାମାଙ୍କ ପତ୍ନୀ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି।

ଅପରପଟେ ଫାଳିକିଆ ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ଆଜି ଗୌତମନଗର ବସ୍ତିର ଶତାଧିକ ପୁରୁଷ ଓ ମହିଳା ଅପରାହ୍ନରେ ଫାଳିକିଆ ବସ୍ତିରେ ପଶି ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଫାଳିକିଆ ବସ୍ତିର ଜଣେ ମହିଳାଙ୍କ ସମେତ ୫ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଏନେଇ ଫାଳିକିଆ ବସ୍ତି ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି। ଚୋରା ମଦ କାରବାର ପାଇଁ ଏହି ଦୁଇ ବସ୍ତି ମଧ୍ୟରେ ବାରମ୍ବାର ଗୋଷ୍ଠୀ ସଂଘର୍ଷ ହୁଏ। ଗତ ଗୁରୁବାର ଦିନ ଫାଳିକିଆ ବସ୍ତିର ୨୦ରୁ ୩୦ଜଣ ମହିଳା ଓ ପୁରୁଷ ଗୌତମନଗର ବସ୍ତିରେ ପଶି ଆକ୍ରମଣ କରିଥିଲେ। ଏହାର ଫଟୋ ଓ ଭିଡିଓ ଥିବା ସତ୍ତ୍ବେ ବଡ଼ଗଡ଼ ଥାନା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ବୋଲି ଅଭିଯୋଗ ହୋଇଛି। ଏହା ପ‌ରଠାରୁ ଦୁଇ ବସ୍ତିବାସିନ୍ଦାମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲେ ବି ପୁଲିସ କିଛି ପଦକ୍ଷେପ ନେଇନଥିଲା।