ଭୁବନେଶ୍ବର : କରୋନା କଟକଣା ପରେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଖୋଲୁ ଖୋଲୁ ପୁଣି ଅଶାନ୍ତ ହୋଇଉଠିଛି। କ୍ୟାଣ୍ଟିନ୍ରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗୋଟିଏ ଗୋଷ୍ଠୀର ଆକ୍ରମଣେର ଅନ୍ୟଗୋଷ୍ଠୀର ଜଣେ ଛାତ୍ର ଗୁରୁତର ଆହତ ହୋଇଛି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରଙ୍କ ନାଁ ରଶ୍ମିରଞ୍ଜନ ସାହୁ ବୋଲି ଜଣାପଡ଼ିଛି। ଏ ନେଇ ଭବରଞ୍ଜନ ବେହେରା ଥାନାରେ ଏତଲା ଦେଇଛନ୍ତି। ଏହାର ପ୍ରତିବାଦ କରିବା ସହ କ୍ୟାମ୍ପସରେ ଦାଦାଗିରି ବନ୍ଦ କରିବା ଦାବିରେ ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ଏହି ଗୋଷ୍ଠୀର ଛାତ୍ରମାନେ ଧାରଣା ଦେଇଛନ୍ତି। ଫଳରେ ଉତ୍ତେଜନା ସୃଷ୍ଟି ହୋଇଛି।
କ୍ୟାଣ୍ଟିନ୍ରେ ଖାଦ୍ୟ ଖରାପ ଥିବା ଅଭିଯୋଗ ହେବା ପରେ ଏହି ତୁମୁଳକାଣ୍ଡ ହୋଇଥିବା କୁହାଯାଉଥିଲେ ମଧ୍ୟ ଏହା ପଛରେ ପୂର୍ବ ବିବାଦ ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଉଭୟ ପକ୍ଷରୁ ଦୁଇଟି ଏତଲା ହୋଇଛି। ଏତଲାକୁ ଆଧାର କରି ପୁଲିସ ତଦନ୍ତ କରୁଛି। ରାତିରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। ଆସନ୍ତାକାଲି କୁଳପତିଙ୍କ ଉପସ୍ଥିତରେ ଆଲୋଚନା କରି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ପିଜି କାଉନସିଲ ଚେୟାରମ୍ୟାନ ବସନ୍ତ ମଲ୍ଲିକ ପ୍ରତିଶ୍ରୁତି ଦେବା ପରେ ଛାତ୍ରମାନେ ଧାରଣାରୁ ଉଠିଛନ୍ତି।
ସୂଚନା ମୁତାବକ, ଆଜି ସକାଳେ ବିଶ୍ବବିଦ୍ୟାଳୟ ପରିସରରେ ସଫେଇ ଚାଲିଥିଲା। କାମ କରୁଥିବା ଯୁବକ ଟେଣ୍ଡର ନେଇ ନ ଥିବା ଅଭିଯୋଗ କରି କାମ ବନ୍ଦ କରିବାକୁ କେତେ ଛାତ୍ର କହିଥିଲେ। ଫଳରେ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ଏ ନେଇ ଠିକାଦାରଙ୍କୁ ଛାତ୍ରମାନେ ଦାଦାବଟି ମାଗୁଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ପରେ ଅପରଗୋଷ୍ଠୀ ମଧ୍ୟ ପାଲଟା ଏତଲା ଦେଇଥିଲେ। କଥା ସେତିକିରେ ରହିଥିଲା।
ତେବେ ସନ୍ଧ୍ୟାରେ କ୍ୟାଣ୍ଟିନରେ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ନେଇ କିଛି ଛାତ୍ର ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ। କିନ୍ତୁ କ୍ୟାଣ୍ଟିନ୍ କର୍ମଚାରୀଙ୍କୁ ସମର୍ଥନ କରି ଅନ୍ୟ କେତେକ ଛାତ୍ର ଅଭିଯୋଗକାରୀ ଛାତ୍ରଙ୍କୁ ଗାଳିଗୁଲଜ କରିଥିଲେ। ‘ଘରେ ପଲଉ ଖାଉଥିବ’ କହି କମେଣ୍ଟ କରିବାରୁ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଅପର ଗୋଷ୍ଠୀର ମାଡ଼ରେ ଅଭିଯୋଗକାରୀ ଗୋଷ୍ଠୀର ଜଣେ ଛାତ୍ର ଆହତ ହେବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତିବାଦରେ ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ଛାତ୍ରମାନେ ଧାରଣାରେ ବସି ଯାଇଥିଲେ। ଖବର ପାଇ ପିଜି କାଉନସିଲ୍ ଚେୟାରମ୍ୟାନ ବସନ୍ତ ମଲ୍ଲିକ, ଜୋନ ଏସିପି ଅନୀଲ କୁମାର ମିଶ୍ର ଓ ସହିଦନଗର ଥାନା ଇନ୍ସ୍ପେକ୍ଟର ହିମାଂଶୁ ସ୍ବାଇଁ ପହଞ୍ଚି ଛାତ୍ରଙ୍କୁ ବୁଝାସୁଝା କରିଛନ୍ତି। ତେବେ ସକାଳ ଏତଲା ଓ ପାଲଟା ଏତଲାର ଏହା ପରିଣାମ ବୋଲି ପୁଲିସ ଆଶଙ୍କା କରୁଛି। ତେବେ କୌଣସି ଏତଲାକୁ ଆଧାର କରି ପୁଲିସ ମାମଲା ରୁଜୁ କରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Utkal-university.jpg)