ଭୁବନେଶ୍ୱର : ‘ଫାର୍ମାସି’ ବିଭାଗ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଅଶାନ୍ତ ହୋଇପଡ଼ିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ପ୍ରତିଶ୍ରୁତି ମୁତାବକ ନିର୍ଧାରିତ ସମୟ ମଧ୍ୟରେ ଫାର୍ମାସି ଛାତ୍ରଛାତ୍ରୀଙ୍କ ଦାବି ପୂରଣ ହେଉ ନଥିବାରୁ ଆଜି ବିଭାଗର ଛାତ୍ରଛାତ୍ରୀ ପ୍ରଥମେ ବିଭାଗ ସମ୍ମୁଖରେ ଧାରଣା ଦେଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଦାବି ପୂରଣ ଦିଗରେ କର୍ତୃପକ୍ଷ ଦୃଷ୍ଟି ନ ଦେବାରୁ ଛାତ୍ରଛାତ୍ରୀ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ଏହାକୁ ବିରୋଧ କରି ଅନ୍ୟ ଏକ ଛାତ୍ରଗୋଷ୍ଠୀର କେତେଜଣ ଛାତ୍ର ଧାରଣାରତ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ। ଯେଉଁଥିପାଇଁ ଉଭୟ ଗୋଷ୍ଠୀର ଛାତ୍ରଛାତ୍ରୀ କ୍ୟାମ୍ପସ ସମ୍ମୁଖରେ ହାତାହାତି ହୋଇଥିଲେ। ଏଥିରେ ୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ପୁଲିସ ପହଞ୍ଚିବା ପରେ ଉଭୟ ଗୋଷ୍ଠୀର ଛାତ୍ରଛାତ୍ରୀ କ୍ୟାମ୍ପସ ସମ୍ମୁଖରୁ ଛତ୍ର ଭଙ୍ଗ ଦେଇଥିବା ବେଳେ ଗଣ୍ଡଗୋଳ ଘଟଣାରେ ୬ ଜଣ ଛାତ୍ରଙ୍କୁ ଅଟକ ରଖାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଫାର୍ମାସି ବିଭାଗ ଅଧ୍ୟାପକଙ୍କୁ ନିୟମିତ କରିବା, ଭିତ୍ତିଭୂମି ସୁଦୃଢ଼ କରିବା ପରି ବିଭିନ୍ନ ଦାବିରେ ବିଭାଗ ଛାତ୍ରଛାତ୍ରୀ ୭ ଦିନ ତଳେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସେତେବେଳେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଥିଲେ, ଯେ ୩ରୁ ୪ ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ। ହେଲେ ୭ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଛାତ୍ରଛାତ୍ରୀ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ। ପ୍ରଥମେ ବିଭାଗ ସମ୍ମୁଖରେ ଧାରଣା ଦେବା ସହ ଟାୟର ଜାଳିଥିଲେ। ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟର କୌଣସି ଅଧିକାରୀ ହସ୍ତକ୍ଷେପ କରି ନ ଥିଲେ।
ଯେଉଁଥିପାଇଁ ପରବର୍ତୀ ସମୟରେ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ଧାରଣାରେ ବସିଥିଲେ। ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅପରାଗତାକୁ ନେଇ ସ୍ୱର ଉଠାଇଥିଲେ। ହୋହଲ୍ଲା କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ସେମାନେ ଧାରଣାରେ ବସିଥିଲେ ମଧ୍ୟ କୁଳପତି, କୁଳସଚିବ କିମ୍ବା ପିଜି କାଉନସିଲ୍ ଅଧ୍ୟକ୍ଷଙ୍କ ଦେଖା ମିଳି ନଥିଲା। ସମସ୍ତେ ସବୁ ଜାଣିଥିଲେ ମଧ୍ୟ କେହି ହସ୍ତକ୍ଷେପ କରିବାକୁ ଆସିଲେ ନାହିଁ। ବରଂ ଛାତ୍ରଛାତ୍ରୀଙ୍କ ଧାରଣାକୁ ବିରୋଧ କରି ଏକ ନିର୍ଦିଷ୍ଟ ରାଜନୈତିକ ଛାତ୍ରଗୋଷ୍ଠୀର କେତେଜଣ ଛାତ୍ର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ। ମାରିବାକୁ ଧମକ ଦେଇଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ହାତାହାତି ହୋଇଥିଲା। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଘଟଣା ନିୟନ୍ତ୍ରଣ ବାହାରକୁ ଯାଇଥିଲେ ମଧ୍ୟ ବିଶ୍ୱବିିଦ୍ୟାଳୟ କର୍ତୃପକ୍ଷଙ୍କ ଦେଖା ମିଳି ନଥିଲା। ବରଂ ପୁଲିସ ପହଞ୍ଚି ଉଭୟ ଗୋଷ୍ଠୀର ଛାତ୍ରଙ୍କୁ ଫାଟକ ନିକଟରୁ ଘଉଡ଼ାଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍ରେ ପୁଲିସ ମୁତୟନ ଅଛନ୍ତି।
ରମାଦେବୀ ପାଇଁ ଛାତ୍ର ବିଜେଡିର ପ୍ରାର୍ଥୀ ଘୋଷଣା
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଛାତ୍ର ବିଜେଡି। ଛାତ୍ର ବିଜେଡି ଆଗୁଆ ପ୍ରାର୍ଥୀ ଚୟନ କରି ଏବିଭିପି ଓ ଛାତ୍ର କଂଗ୍ରେସକୁ ଚେକ୍ ଦେବାକୁ ଉଦ୍ୟମ କରିଛି। ଏଥର ଛାତ୍ର ବିଜେଡି ଉଭୟ ପିଜି ଓ ୟୁଜି ଛାତ୍ରୀଙ୍କୁ ଦୁଇ ପ୍ରମୁଖ ପଦ ପାଇଁ ଚୟନ କରି ଭୋଟ୍ ହାତେଇବାକୁ ଉଦ୍ୟମ କରିଛି। ଯୁକ୍ତ୩ ଛାତ୍ରୀ ସ୍ୱୀକୃତି ମିଶ୍ରଙ୍କୁ ସଭାପତି ପ୍ରାର୍ଥୀ କରାଯାଇଥିବା ବେଳେ ପିଜି ଛାତ୍ରୀ ମଧୁସ୍ମିତା ନାୟକଙ୍କୁ ସାଧାରଣ ସମ୍ପାଦକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ବାକି ପଦବି ଲାଗି ପ୍ରାର୍ଥୀ ଘୋଷଣା ହୋଇ ନ ଥିଲେ ମଧ୍ୟ ଉଭୟ ପିଜି ଓ ୟୁଜିରେ ସମାନ ସଂଖ୍ୟକ ପ୍ରାର୍ଥୀ ଦେଇ କ୍ୟାମ୍ପସରେ ବିଜୟର ବାନା ଉଡ଼ାଇବା ଲକ୍ଷ୍ୟରେ ରହିଛି ସଙ୍ଗଠନ। ବିଗତବର୍ଷଗୁଡ଼ିକରେ ସଙ୍ଗଠନ ଯେଉଁ ଭୁଲ୍ କରିଥିଲା ଏଥର ଯେମିତି ସେଭଳି ନ ହୁଏ ସେଥିପ୍ରତି ନେତାମାନେ ଦୃଷ୍ଟି ଦେଇଛନ୍ତି।
ରାଜଧାନୀ କଲେଜରେ ଛାତ୍ରଙ୍କ ଧାରଣା
ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ରାଜଧାନୀ କଲେଜରେ ଅଶାନ୍ତି ଲାଗିରହିଛି। ପୂର୍ବରୁ ଦୁଇ ଛାତ୍ର ସଙ୍ଗଠନ ମଧ୍ୟରେ ଏକାଧିକ ଥର ଗଣ୍ଡଗୋଳ ହୋଇଥିବା ବେଳେ ଆଜି ଏକ ଛାତ୍ରଗୋଷ୍ଠୀ କ୍ୟାମ୍ପସରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲା। ବିଶୃଙ୍ଖଳିତ ଛାତ୍ର ଓ ଅଣଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦେବାକୁ ଛାତ୍ରଛାତ୍ରୀ ଦାବି କରିଥିଲେ। ସେମାନେ କହିଥିଲେ ଯେ ଗତ କିଛି ଦିନ ହେଲା କ୍ୟାମ୍ପସ ଅଶାନ୍ତ ହେଉଥିବାରୁ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଅଣଛାତ୍ରମାନେ କ୍ୟାମ୍ପସରେ ପ୍ରବେଶ କରୁଛନ୍ତି। ସେମାନଙ୍କୁ ରୋକାଯାଇପାରୁନି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି। ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି।