ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଗୋଷ୍ଠୀ ସଂଘର୍ଷ ଘଟଣା: ମୁଖ୍ୟ ଅଭିଯୁକ୍ତ ରାଜା ଓ ସହ‌ଯୋଗୀ ଜେଲ୍ ଗଲେ

ଉଚ୍ଛେଦ ହେଲା ଦୁଇ ଭାଇଙ୍କ ଉଠା ଦୋକାନ , ମାରପିଟ୍‌ରେ ବ୍ୟବହୃତ ଲୁହା ରଡ୍ ଓ ମାରଣାସ୍ତ୍ର ଜବତ

ଭୁବନେଶ୍ବର: ନିଶା କାରବାରକୁ କେନ୍ଦ୍ର କରି ସୋମବାର ଦିନ ଦ୍ବିପ୍ରହରରେ ମାଷ୍ଟରକ୍ୟାଣ୍ଟିନ୍‌ର ପ୍ରବେଶ ପଥରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତ ଫାଳିକିଆ ବସ୍ତିର ରାଜା ବେହେରା ଓ ତା’ର ସହଯୋଗୀ ପଶ୍ଚିମବଙ୍ଗର ପରିତୋଷ ମାଳିକୁ ଗିରଫ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହା ସହିତ ପୁଲିସ ମାରପିଟରେ ବ୍ୟବହୃତ ଏକାଧିକ ଲୁହା ରଡ୍ ଓ ମାରଣାସ୍ତ୍ର ମଧ୍ୟ ଜବତ କରିଛି। କେବଳ ସେତିକି ନୁହେଁ; ଆଜି ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା ରାଜା ଓ ତା’ର ଭାଇ ରା‌କେଶର ଉଠା ଦୋକାନକୁ ମଧ୍ୟ ବୁଲ୍‌ଡୋଜର ଲଗାଇ ଉଚ୍ଛେଦ କରାଯାଇଛି। ଆକ୍ରମଣରେ ଗୁରୁତର ହୋଇଥିବା ସାହିଦ ଓ ଅନ୍ୟ ଦୁଇ ଜଣଙ୍କୁ ଆଜି କ୍ୟାପିଟାଲ୍ ହସ୍ପିଟାଲ୍‌ରୁ ହାଇଟେକ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଅପରପକ୍ଷରେ ଘଟଣା ସଂପର୍କରେ ଆଜି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଯେଉଁ ଦେଇଥିଲା ଆଜି ତାକୁ ପୁନର୍ବାର ଦୋହରାଇଛି। ସାମାନ୍ୟ ଗୁଟ୍‌ଖାକୁ ନେଇ ବଚସା ହେବା ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଏହା ପରେ ରାଜା, ରାକେଶ ଓ ତା’ର ୪ରୁ ୫ଜଣ ସହଯୋଗୀ ମିଶି ୟୁନିଟ୍-୩ ମସଜିଦ୍ କଲୋନିର ଅଟୋଚାଳକ ସେକ୍ ସାହିଦ, ସେକ ରୁଲାମିନ, ସେକ୍ ରାଜା ଓ ସେକ୍ କାମାଲ୍‌କୁ ଆକ୍ରମଣ କରିଥିଲେ। ଲୁହାରଡ୍‌ରେ ସେମାନଙ୍କ ମୁହଁ, ମୁଣ୍ଡ, ଛାତି, ହାତକୁ ଆଘାତ କରି ଲହୁଲୁହାଣ କରି ଦେଇଥିଲେ। ମାତ୍ର ସାହିଦ୍‌ଙ୍କ ପତ୍ନୀ ପୁଲିସ ଦର୍ଶାଇଥିବା କାରଣକୁ ମିଛ ବୋଲି କହି ସଂଘର୍ଷ ପଛରେ ନିଶା କାରବାର ହିଁ ମୁଖ୍ୟ କାରଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ରାଜାର ପାନ ଦୋକାନରେ ରୁଲାମିନ, କାମାଲ୍ ଓ ସେକ୍ ରାଜା ବସି ବ୍ରାଉନସୁଗାର ଖାଉଥିଲେ। ଏହି ସମୟରେ ତାଙ୍କ ସ୍ବାମୀ ସାହିଦ୍ ଏହାକୁ ବିରୋଧ କରିବାରୁ ରାଜା ଗୋଷ୍ଠୀ ଅତର୍କିତ ଆକ୍ରମଣ କରିଥିଲେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପ୍ରାୟ ୮ରୁ ୧୦ଦିନ ତଳେ ରାଜା ଦୋକାନରେ ନିଶା କାରବାରକୁ ନେଇ ଅଟୋଚାଳକ ସାହିଦ ଓ ପାନ ଦୋକାନୀ ରାଜା ସହ ଝଗଡ଼ା ହୋଇଥିଲା। ଯାହାକୁ ନେଇ ରାଜା ଥାନାରେ ଅଭିଯୋଗ କରିଥିଲା। ମାମଲା ରଫାଦଫା କରିବାକୁ ସାହିଦ ବାରମ୍ବାର ରାଜା ଉପରେ ଚାପ ପକାଉଥିଲେ ହେଁ ସେ ରାଜି ହେଉନଥିଲା। ଏହି ଘଟଣାକୁ ନେଇ ସାହିଦ୍ ତା’ର ୩ ସହଯୋଗୀଙ୍କ ସହ ଲୁହା ରଡ୍ ଧରି ଗଣ୍ଡଗୋଳ କରିବାକୁ ଆସିଥିବା ବେଳେ ରାଜା ଓ ତା’ର ସହଯୋଗୀମାନେ ସାହିଦ୍ ପିଲାଙ୍କ ପାଖରୁ ଲୁହା ରଡ୍ ଛଡ଼ାଇ ନେଇ ସେମାନଙ୍କୁ ପାଲଟା ଆକ୍ରମଣ କରିଥିଲେ।

ଅଭ୍ୟାସଗତ ଅପରାଧୀ ରାଜା, ୧୧୦ ଦଫା ଲଗାଇବାକୁ ଆବେଦନ କରିବ ପୁଲିସ

ପାନ ଦୋକାନୀ ରାଜା ଗୋଷ୍ଠୀ ଓ ଅଟୋଚାଳକ ସାହିଦ୍ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷର ମୁଖ୍ୟ ଅଭିଯୁକ୍ତ ରାଜା ସମେତ ଆଉ ଜଣେ ଅଭିଯୁକ୍ତଙ୍କ ବିରୋଧରେ ୧୧୦ ଦଫା ବାଉଣ୍ଡ ଡାଉନ୍ ପାଇଁ କ୍ୟାପିଟାଲ୍ ପୁଲିସ୍ ଆସନ୍ତାକାଲି କୋର୍ଟରେ ଆବେଦନ କରିବ। କାରଣ ଗତକାଲିର ଅଘଟଣ ପୂର୍ବରୁ ରାଜା ଅନେକ ଥର ଷ୍ଟେସନ୍ ଛକରେ ଗଣ୍ଡଗୋଳ କରି ଜେଲ୍ ଯାଇଛି। ଛୋଟମୋଟ କଥାକୁ ନେଇ ରାଜା ସବୁବେଳେ ଅନ୍ୟ ସ୍ଥାନୀୟ ବ୍ୟବସାୟୀଙ୍କୁ ମାଡ଼ ମାରିବା ସହିତ ବାରମ୍ବାର ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ରହିଛି। ଯେଉଁଥି ପାଇଁ କ୍ୟାପିଟାଲ୍, ଖାରବେଳନଗର ଓ ଜିଆର୍‌ପି ଥାନାରେ ରାଜା ନାଁରେ ଏକାଧିକ ମାମଲା ରହିଛି। ବାରମ୍ବାର ଷ୍ଟେସନ୍ ପରିସରରେ ଗଣ୍ଡଗୋଳ କରି ଅଶାନ୍ତି ସୃଷ୍ଟି କରୁଥିବାରୁ ପୁଲିସ ରାଜା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର