ଢାବା ସାମ୍ନାରେ ଗୋଷ୍ଠୀ ସଂଘର୍ଷ, ଫଟୋ ଉଠାଇଲେ ବୋଲି ମୋବାଇଲ ଭାଙ୍ଗିଦେଲେ

ଭୁବନେଶ୍ୱର : ଗତ ରାତିରେ ନୂଆପଲ୍ଲୀ ଅଞ୍ଚଳରେ ଥିବା ବେହେରା ଢାବା ସାମ୍ନାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀ ଅପରଗୋଷ୍ଠୀର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ପ୍ରବଳ ମାଡ଼ରେ ଯୁବକ ଜଣକ ଲହୁଲୁହାଣ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣ କରିଥିବା ଯୁବକମାନେ ହତ୍ୟା ଧମକ ଦେଇଥିବାରୁ ଭୟରେ ଆହତ ଯୁବକ ଅଭିଯୋଗ କରିନାହାନ୍ତି। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ଏଭଳି ଦୃଶ୍ୟର ଫଟୋ ଉତ୍ତୋଳନ କରୁଥିବା ବେଳେ ଜଣେ ଯୁବକଙ୍କୁ ଅଭିଯୁକ୍ତମାନେ ମାଡ଼ ମାରିବା ସହ ତାଙ୍କ ମୋବାଇଲ ଭାଙ୍ଗି ଦେଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଉଛନ୍ତି, ଭଦ୍ରକ ଜିଲ୍ଲା କରଞ୍ଜମାଳର ଆଶିଷ ମହାନ୍ତି। ସେ ରସୁଲଗଡ଼ରେ ରୁହନ୍ତି। ଗତ ରାତି ପ୍ରାୟ ୧୦ଟା ବେଳେ ସେ ବେହେରା ଢାବାକୁ ଖାଇବାକୁ ଯାଇଥିଲେ। ଖାଉଥିବା ବେଳେ ଚିତ୍କାର ଶୁଣି ବାହାରକୁ ଆସିଥିଲେ। ରାସ୍ତା ଉପରେ ୫ଜଣ ମିଶି ଜଣେ ଯୁବକକୁ ବାଡ଼ିରେ ପିଟିବା ସହ ଗୋଇଠା ମାରୁଥିଲେ। ଯୁବକଜଣକ ଚିତ୍କାର କରି ତଳେ ଗଡ଼ୁଥିଲେ। ଏହି ଦୃଶ୍ୟର ଫଟୋ ଉଠାଉଥିବା ବେଳେ ଆକ୍ରମଣକାରୀଙ୍କ ଭିତରୁ ଜଣେ ଯୁବକ ଆସି ଆଶିଷଙ୍କୁ ପିଟିବା ସହ ମୋବାଇଲ ଭାଙ୍ଗି ଦେଇଥିଲା। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର