ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପାଞ୍ଚଟି ବସ୍ତିରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି। ବିଏମ୍ସି କର୍ତ୍ତୃପକ୍ଷ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି ସ୍ବୀକାର କରୁନଥିଲେ ହେଁ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ଯେପରି ଏହା ବ୍ୟାପିଛି, ସେଥିରୁ ଗୋଷ୍ଠୀସଂକ୍ରମଣ ହୋଇଛି ବୋଲି ଏକରକମ ସ୍ପଷ୍ଟ ହୋଇଗଲାଣି।
ନୂଆପଲ୍ଲୀସ୍ଥିତ ତ୍ରିନାଥ ବସ୍ତି, ଗଣପତି ନଗର, ସୀତାପୁର ବସ୍ତି, ମହିଷାଖାଲ ନିକଟସ୍ଥ ହରିନଗର ଏବଂ ୟୁନିଟ-୧ସ୍ଥିତ ଆଖଣ୍ଡଳମଣି ବସ୍ତିରେ ଏବେ ଗୋଷ୍ଠୀ ସଂକ୍ରମଣ ହୋଇଯାଇଛି। ଏଠାରେ କରୋନା ନିୟନ୍ତ୍ରଣ ବାହାରକୁ ପଳାଇଲାଣି। ବିଏମ୍ସି ପକ୍ଷରୁ ଏଠାରେ ଯେତେ କଟକଣା କରିବା କଥା କରାଗଲାନି, ଯାହା ବି ହେଲା ତାକୁ ବସ୍ତି ବାସିନ୍ଦା ମାନିଲେନି। ଫଳରେ କରୋନା ଏବେ ଏଠାରେ ମାଡ଼ି ଯାଇଛି।
/sambad/media/post_attachments/wp-content/uploads/2020/06/Slum-1571983769.jpg)
ନୂଆପଲ୍ଲୀ ଅଞ୍ଚଳ ଏବେ ରାଜଧାନୀର ହଟସ୍ପଟ୍ ପାଲଟିଛି। ଏଠାରେ ମାଳମାଳ ସୁପରସ୍ପ୍ରେଡର୍ ବୁଲୁଛନ୍ତି। ଫଳରେ ଏହି ଅଞ୍ଚଳରେ ଥିବା ତିନିଟି ବସ୍ତିିରେ ଏବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି। ଏଠାରେ ହଟସ୍ପଟ୍ ଜିଲ୍ଲାରୁ ଆସିଥିବା ଲୋକଙ୍କୁ ବିଏମ୍ସି ସଙ୍ଗରୋଧ କେନ୍ଦ୍ରରେ ରଖାନଯିବା, କଣ୍ଟେନମେଣ୍ଟ ଜୋନ୍ ହେବା ପରେ ବି ଲୋକ ବାହାରକୁ ଏକାଠି ହୋଇ ଯିବା, ପରସ୍ପର ସହ ମିଶିବା, ଏକାଠି ନିଶାଦ୍ରବ୍ୟ ସେବନ କରିବା ବସ୍ତିବାସିନ୍ଦାଙ୍କ ପାଇଁ ମହଙ୍ଗା ପଡ଼ିଛି। ଅଧିକାଂଶ ଘରେ କରୋନା ଆକ୍ରାନ୍ତ ଦେଖାଦେଇଛନ୍ତି। ଏବେ ବି ସ୍ଥିତି ନିୟନ୍ତ୍ରଣକୁ ଆସି ନଥିବାରୁ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବାକୁ ଯାଉଛି।
ତ୍ରିନାଥ ବସ୍ତିରେ ଆଜି ୪୪ ଜଣ ଆକ୍ରାନ୍ତ ହେବା ଏବଂ ଏହି ବସ୍ତିରେ ପ୍ରାୟ ୯୦ଆକ୍ରାନ୍ତ ବାହାରିବା ଦର୍ଶାଇ ଦେଇଛି ଏଠାରେ କରୋନା କିପରି ମାଡ଼ିଛି। ମାତ୍ର ଦୁଇ ସପ୍ତାହ ଭିତରେ ପ୍ରାୟ ୯୦ ଆକ୍ରାନ୍ତ ଚିହ୍ନଟ ହେବା କମ୍ କଥା ନୁହେଁ। ପୂର୍ବ ଏଠାରୁ ଏକ ସଙ୍ଗେ ୧୩ଜଣ, ୬ଜଣ, ୮ଜଣ, ୪ଜଣ, ୮ଜଣ ଲେଖାଏଁ ଆକ୍ରାନ୍ତ ଗୋଟିଏ ଗୋଟିଏ ଦିନରେ ଚିହ୍ନଟ ହୋଇଥିଲେ। ଏବେ ଏହି ବସ୍ତି କଣ୍ଟେନମେଣ୍ଟ ଜୋନ୍ରେ ଥିଲେ ବି ଏଠାରେ କେହି ନିୟମ ମାନୁନାହାନ୍ତି। ପୂର୍ବରୁ ଯେମିତି ବାହାରେ ବୁଲୁଥିଲେ ଏବେ ବି ସେମିତି ବୁଲୁଛନ୍ତି।
ଆଶ୍ଚର୍ଯ୍ୟର ବିଷୟ, ଏହି ବସ୍ତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ୁଥିଲେ ହେଁ ବିଏମ୍ସି ଏହି ଅଞ୍ଚଳ ପାଇଁ କିଛି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିନି। ସଚେତକମାନେ ବି ଘରକୁ ଘର ବୁଲିବାକୁ ଡରୁଛନ୍ତି। ଏହି ଅଞ୍ଚଳରେ ଆଶାକର୍ମୀ କରୋନା ଆକ୍ରାନ୍ତ ହେବା ପରେ ଏଠାରେ ଆକ୍ଟିଭ୍ ସର୍ଭେଲାନ୍ସ ବି ବାଧାପ୍ରାପ୍ତ ହୋଇଛି। ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲେ ହେଁ କେହି ସଙ୍ଗରୋଧରେ ରହିଲେନି। ଯାହା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ାଇଦେଲା ବୋଲି କୁହାଯାଉଛି।
ବିଏମ୍ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ତ୍ରିନାଥ ବସ୍ତିେର ଅଧିକ ବାହାର ଜିଲ୍ଲାର ଶ୍ରମିକ ରହୁଛନ୍ତି। ସେମାନେ ନିୟମ ମାନୁନାହାନ୍ତି। ଏକାଠି ବୁଲିବା ସହ କାମ କରିବାକୁ ଯାଉଛନ୍ତି। ତେଣୁ ଏବେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି।
କେବଳ ତ୍ରିନାଥ ନଗର ବସ୍ତି ନୁହେଁ, ସୀତାପୁର ବସ୍ତିରେ ବି ସମାନ ଅବସ୍ଥା। ଏଠାରେ ୩୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଗଣପତି ନଗରରେ ୨୦ରୁ ଅଧିକ ଆକ୍ରାନ୍ତ ବାହାରି ସାରିଲେଣି। ଗାନ୍ଧୀନଗର ବସ୍ତିରେ ୨୦ରୁ ଅଧିକ ଆକ୍ରାନ୍ତ ବାହାରିଛନ୍ତି। ସାଲିଆ ସାହିର ବିଭିନ୍ନ ବସ୍ତିରୁ ୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି। ଯାହା ଏବେ ରାଜଧାନୀ ପାଇଁ ବିପଦ ସାଜିଛି।
ଏପଟେ ମହିଷାଖାଲ ନିକଟସ୍ଥ ହରିନଗରରୁ ଦିନକରେ ୪୫ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବି ୫୦ ଛୁଇଁଲାଣି। ଏହି ବସ୍ତି ଏବେ କଣ୍ଟେନମେଣ୍ଟ ଜୋନ୍ ହୋଇଥିଲେ ବି ଅଧିକାଂଶ ନିୟମ ମାନୁନାହାନ୍ତି।
ୟୁନିଟ-୧ସ୍ଥିତ ଆଖଣ୍ଡଳମଣି ବସ୍ତିରୁ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ବି ୨୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହି ବସ୍ତି ଏବେ ସୁପରସ୍ପ୍ରେଡର ହୋଇପାରେ। କାରଣ ଏହା ୟୁନିଟ-୧ ହାଟ ନିକଟରେ ଥିବାରୁ ଏହି ବସ୍ତିବାସିନ୍ଦା ହାଟରେ ବ୍ୟବସାୟ କରିବା ସହ ବିଭିନ୍ନ ଦୋକାନରେ କାମ କରନ୍ତି। ତେଣୁ ହାଟକୁ ଯାଉଥିବା ଏବଂ ବିଭିନ୍ନ ଦୋକନକୁ ଗହଳି ଭିତରେ ପଶୁଥିବା ଲୋକଙ୍କ ସଂସ୍ପର୍ଶରେ ଯଦି କରୋନା ଆକ୍ରାନ୍ତ ଆସିଥିବେ, ତେବେ ଆକ୍ରାନ୍ତଙ୍କ ସଂଖ୍ୟା କେତେ ଯେ ବଢ଼ିବ ତାହା ଆକଳନ କରିବା କଷ୍ଟକର ହେବ।