ଅଧା ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ!

ଖଣ୍ଡଗିରି, ନୂଆପଲ୍ଲୀ, ପଟିଆ, ପୁରୁଣା ଭୁବନେଶ୍ବର, ଚନ୍ଦ୍ରଶେଖରପୁରରେ ୩ ହଜାରରୁ ଅଧିକ ଆକ୍ରାନ୍ତ
ସରକାରୀ କ୍ବାର୍ଟର୍ସରୁ ବାହାରିଲେଣି ୩୦୦ରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ବର : ଅଧା ରାଜଧାନୀରେ ଏବେ ଗୋଷ୍ଠୀ ସଂକ୍ରମଣ ହୋଇଯାଇଛି। ଯାହା ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟାରୁ ସ୍ପଷ୍ଟ ଜଣାପଡ଼ୁଛି। ଗୋଷ୍ଠୀ ସଂକ୍ରମଣ ନେଇ ବିଏମ୍‌ସି କର୍ତ୍ତୃପକ୍ଷ ମୁହଁ ଖୋଲୁନଥିଲେ ହେଁ ଏବେ ଘରେ ଘରେ ଆକ୍ରାନ୍ତ ଛାଇଗଲେଣି। ରାଜଧାନୀରେ ଏବେ ୭୫୮୮ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ ଏଥିରୁ ୫୯୨୩ଜଣ କେବଳ ସପ୍ତାହକ ମଧ୍ୟରେ ଚିହ୍ନଟ ହୋଇଛନ୍ତି। ଚିନ୍ତାର ବିଷୟ ହେଲା ମୋଟ୍ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୮୭ଜଣ ସ୍ଥାନୀୟ ସଂକ୍ରମିତ। ଅର୍ଥାତ୍ ଏମାନେ ହାଟ, ବଜାର ଆସିଛନ୍ତି କିମ୍ବା ଅଫିସ୍‌ ଯାଇ କରୋନା ଆକ୍ରାନ୍ତ ହୋଇଛନ୍ତି। କାହାଠାରୁ କିପରି କରୋନା ଆକ୍ରାନ୍ତ ହେଲେ ଜାଣିନାହାନ୍ତି। ଏହିଭଳି କିଛି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଯେଉଁମାନେ ସଙ୍ଗରୋଧରେ ରହିଥିଲେ ସେଥିରୁ ୧୦୩୫ଜଣ ଆକ୍ରାନ୍ତ ହୋଇଛନ୍ତି। ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ହୁ ହୁ ବଢ଼ୁଥିବାରୁ ଗୋଷ୍ଠୀ ସଂକ୍ରମଣ ହୋଇଥିବା କୁହାଯାଉଛି।

ସ୍ବାସ୍ଥ୍ୟ ବିଭାଗ ବି କହିସାରିଲାଣି ଯେ, କଟକ-ଭୁବନେଶ୍ବରରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ଆଶଙ୍କା କରାଯାଉଛି। ବିଶେଷକରି ରାଜଧାନୀରେ ପଟିଆ, ଖଣ୍ଡଗିରି, ନୂଆପଲ୍ଲୀ, ପୁରୁଣା ଭୁବନେଶ୍ବର, ଚନ୍ଦ୍ରଶେଖରପୁର, ରସୁଲଗଡ଼, ଲକ୍ଷ୍ମୀସାଗର, ଝାରପଡ଼ା, ଟଙ୍କପାଣି ରୋଡ୍‌, ମଞ୍ଚେଶ୍ବର ,ୟୁନିଟ-୬, ୟୁନିଟ-୯ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ବିଶେଷଜ୍ଞମ‌ାନେ କହୁଛନ୍ତି। କାରଣ ଏହିସବୁ ଅଞ୍ଚଳରେ ଏବେ ରାଜଧାନୀର ୮୦% ସକ୍ରିୟ ଆକ୍ରାନ୍ତ ଅଛନ୍ତି। ବିଏମ୍‌ସିର ତଥ୍ୟ ଅନୁଯାୟୀ, ପଟିଆ, ଚନ୍ଦ୍ରଶେଖରପୁର, ପଟିଆ, ପୁରୁଣା ଭୁବନେଶ୍ବର ଓ ନୂଆପଲ୍ଲୀରେ ଏବେ ୩ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଗୋଟିଏ ଗୋଟିଏ ଅଞ୍ଚଳରେ ୫୦୦ରୁ ଅଧିକ ଆକ୍ରାନ୍ତ ରହିଥିବାରୁ ଏବେ ୮୫%ରୁ ଅଧିକ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବାରୁ ଗୋଷ୍ଠୀ ସଂକ୍ରମଣ ହୋଇଥିବା କୁହାଯାଉଛି। ବିଶେଷକରି ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଲୋକମାନେ ବିଭିନ୍ନ ଜରୁରୀ ସାମଗ୍ରୀ, ଔଷଧ ପାଇଁ ‌ଦୋକାନ ବଜାର ଯାଉଛନ୍ତି। ଅଧିକାଂଶ ଆକ୍ରାନ୍ତଙ୍କର ପୂରା ପରିବାର କରୋନା ସଂକ୍ରମିତ ହୋଇଯାଇଥିବାରୁ ସେମାନେ ବାଧ୍ୟ ହୋଇ ବାହାରକୁ ବାହାରୁଛନ୍ତି। ରାସ୍ତାରେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ କରୋନା ସଂକ୍ରମିତ ହୋଇଥିବା କୁହାଯାଉଛି। ଅଧା ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ଭୟ ଘାରିଥିବାରୁ ରାଜଧାନୀବାସୀ ଏବେ ଚିନ୍ତାରେ।

ThePrint

ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆଜି ୧୧୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୪୪ଜଣ ସ୍ଥାନୀୟ ସଂକ୍ରମିତ ଓ ୧୭୫ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିଲେ। ୨୯ତାରିଖରେ ୮୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୫୫ଜଣ ସ୍ଥାନୀୟ ସଂକ୍ରମିତ, ୨୮ରେ ୧୦୪୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୨୫ଜଣ ସ୍ଥାନୀୟ ସଂକ୍ରମିତ, ୨୭ରେ ୭୭୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୩୨ଜଣ ସ୍ଥାନୀୟ ସଂକ୍ରମିତ, ୨୬ରେ ୭୦୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୫୭ଜଣ ସ୍ଥାନୀୟ ସଂକ୍ରମିତ, ୨୫ରେ ୬୮୩ଜଣ ଆକ୍ରାନ୍ତ ଚିହତ୍ନଟ ହୋଇଥିବାବେଳେ ୫୭୬ଜଣ ସ୍ଥାନୀୟ ସଂକ୍ରମିତ, ୨୪ରେ ୭୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୯୮ଜଣ ସ୍ଥାନୀୟ ସଂକ୍ରମିତ ଥିଲେ। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ପଟିଆ, ନୂଆପଲ୍ଲୀ, ପୁରୁଣା ଭୁବନେଶ୍ବର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଏହି ୭ଦିନରେ ପ୍ରାୟ ୧୫୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ୟୁନିଟ-୩, ୟୁନିଟ-୬, ୟୁନିଟ-୯, ୟୁନିଟ-୨, ୟୁନିଟ-୧, ୟୁନିଟ-୮ ଅଞ୍ଚଳରେ ଥିବା ସରକାରୀ କ୍ବାର୍ଟର୍ସରୁ ପ୍ରାୟ ୩୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଅଧିକ ଆକ୍ରାନ୍ତ ୟୁନିଟ-୬ ଓ ୟୁନିଟ-୯ ସରକାରୀ କ୍ବାର୍ଟର୍ସରୁ ଚିହ୍ନଟ ହେଲେଣି। ଏମାନେ ହାଟ ବଜାରରୁ ଆକ୍ରାନ୍ତ ହୋଇଛନ୍ତି କି ଅଫିସରୁ ଆକ୍ରାନ୍ତ ହୋଇଛନ୍ତି ଜଣାପଡ଼ିନି। କିନ୍ତୁ ଏହି ସବୁ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏବେ ଅଧିକାଂଶ କର୍ମଚାରୀ ସଙ୍ଗରୋଧରେ ଅଛନ୍ତି।

ସମ୍ବନ୍ଧିତ ଖବର