ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ବାଟ ଖୋଲୁଛି, ସ୍ୱାବ୍‌ ରିପୋର୍ଟ ଆସିବାରେ ବିଳମ୍ବ ମୁଖ୍ୟ କାରଣ

ସ୍ୱାବ୍ ସଂଗ୍ରହ ପରେ ବି ସଙ୍ଗରୋଧରେ ରହୁନାହାନ୍ତି
ଲକ୍ଷଣବିହୀନ ଲୋକ ସୁପରସ୍ପ୍ରେଡର ସାଜୁଛନ୍ତି

ଭୁବନେଶ୍ୱର : ରାଜଧାନୀରେ ଏବେ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି ଆର୍‌ଏମ୍‌ଆର୍‌ସି ତା’ର ଅନ୍ତରୀଣ ରିପୋର୍ଟରେ କହିଛି। ମାତ୍ର ୨%ରୁ କମ୍‌ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ବିକଶିତ ହୋଇଛି। ଏହା ଗୋଷ୍ଠୀ ସଂକ୍ରମଣ ହୋଇନଥିବାର ପ୍ରମାଣ ବୋଲି କୁହାଯାଉଛି। କିନ୍ତୁ ବର୍ତ୍ତମାନ ସ୍ଥିତି ଯାହା ହେଲାଣି, ଚଳିତ ମାସ ଶେଷ କିମ୍ବା ଅଗଷ୍ଟ ମାସ ପ୍ରଥମ ସପ୍ତାହ ବେଳକୁ ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ହୋଇଯିବ। ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ଯେତେ ପଦକ୍ଷେପ ନେଲେ ବି ଲୋକ ସଚେତନ ହେଉ ନଥିବାରୁ ଏବେ କରୋନା ମାଡ଼ିବାରେ ଲାଗିଛି। ଗୋଷ୍ଠୀ ସଂକ୍ରମଣ ବାଟ ଖୋଲୁଛି।

ରାଜଧାନୀରେ ଆଜି ସୁଦ୍ଧା ୧୨୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୬୪୨ଜଣ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୧୧ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ତଥାପି ଲୋକ ସଚେତନ ହେଉନାହାନ୍ତି। ବିଏମ୍‌ସି ପକ୍ଷରୁ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ତାଲିକା ପ୍ରକାଶ ପାଉଥିବା ବେଳେ ଏଥିରୁ ପ୍ରାୟ ୩୦ରୁ ୪୦% ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ବାକି ସଙ୍ଗରୋଧରେ ଥିବା ବ୍ୟକ୍ତି। ଏଥିରୁ ପ୍ରାୟ ୯୫% ହେଉଛନ୍ତି ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକ।

Rediff.com

ବିଏମ୍‌ସି ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଆକ୍ଟିଭ୍ ସର୍ଭେଲାନ୍ସ କରାଯିବା ସହ ନମୁନା ସଂଗ୍ରହ ହେଉଛି। ବିଏମ୍‌ସି ପକ୍ଷରୁ ଏବେ ବସ୍ତି ଅଞ୍ଚଳରେ କୌଣସି କରୋନା ଆକ୍ରାନ୍ତ ବାହାରିଲେ ପୂରା ସାହିର ଲୋକଙ୍କର ନମୁନା ସଂଗ୍ରହ ହେଉଛି। ଅନ୍ୟ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କର ପ୍ରାଥମିକ ସଂସ୍ପର୍ଶରେ ଆସିଥିବା ଓ ପରବର୍ତ୍ତୀ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ସ୍ବାବ୍‌ ସଂଗ୍ରହ ହେଉଛି। ବାକି ଅଞ୍ଚଳରେ ଲକ୍ଷଣ ଥିବା ଲୋକଙ୍କର ନମୁନା ସଂଗ୍ରହ ହେଉଛି। କିନ୍ତୁ ଏହି ସ୍ବାବ୍‌ ସଂଗ୍ରହ ହେବା, ରିପୋର୍ଟ ଆସିବା ଭିତରେ ଆକ୍ରାନ୍ତଜଣଙ୍କ ସବୁ ନିୟମକୁ ଜଳାଞ୍ଜଳି ଦେଇ ବହୁ ଲୋକଙ୍କ ସହ ମିଶୁ ଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଏବେ ରାଜଧାନୀକୁ ଗୋଷ୍ଠୀ ସଂକ୍ରମଣମୁହାଁ କରିଛି।

ନିକଟରେ ଜିଜିପି କଲୋନିର ଏକ ଘରୁ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଶ୍ଚର୍ଯ୍ୟର ବିଷୟ, ଏହି ତିନି ଜଣଙ୍କର ସ୍ବାବ୍ ସଂଗ୍ରହ ହେବା ପରେ ସେମାନଙ୍କ ଭିତରୁ ଜଣେ ଏବଂ ତାଙ୍କ ପରିବାରଲୋକ ପଡ଼ୋଶୀଙ୍କ ଘରେ ତାସ୍‌ ଖେଳୁଥିଲେ। ବିଭିନ୍ନ ଅଞ୍ଚଳ ବୁଲାବୁଲି କରିଥିଲେ। ଆଜି ସେଥିରୁ ଚାରି ଜଣଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିଛି। କେବଳ ଏତିକି ନୁହେଁ, ତାଙ୍କ ଘରେ ଭଡ଼ା ରହୁଥିବା ଲୋକ ଦୁଇ ଦିନ ହେଲା ଅସୁସ୍ଥ ହୋଇଥିଲେ ବି ତାଙ୍କର ସ୍ବାବ୍‌ ଟେ‌ଷ୍ଟ ହୋଇନି କି ସେ କରିନାହାନ୍ତି। କରୋନାର ଲକ୍ଷଣ ତାଙ୍କ ନିକଟରେ ଦେଖାଦେଇଥିଲେ ବି ସେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରକୁ ଯାଇଛନ୍ତି।

କେବଳ ଏହି ଗୋଟିଏ କେସ୍‌ ନୁହେଁ। ନିକଟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ତାଙ୍କୁ ହସ୍ପିଟାଲ ନେବା ପୂର୍ବରୁ ଏବଂ ତାଙ୍କ ଘରେ ସଙ୍ଗରୋଧ ଷ୍ଟିକର୍‌ ମାରିବାରେ ବିଳମ୍ବ ହେବାରୁ ତାଙ୍କ ଭାଇ ବାପୁଜୀନଗରରେ ଔଷଧ ଦୋକାନ ଖୋଲୁଥିଲେ। ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ତାଙ୍କର ଦୂର ସମ୍ପର୍କୀୟ ଭାଇ କହି ସଙ୍ଗରୋଧରେ ରହି ନଥିଲେ। ଯଦି ସେ କରୋନା ଆକ୍ରାନ୍ତ ହୋଇଥିବେ, ତେବେ ଶହ ଶହ ଲୋକଙ୍କୁ କରୋନା ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ବସ୍ତି ଅଞ୍ଚଳରେ ତ ଏହା ସାଂଘାତିକ ରୂପ ନେଉଛି। ଯେଉଁମା‌ନଙ୍କର ସ୍ବାବ୍‌ ସଂଗ୍ରହ ହେଉଛି, ସେ ରିପୋର୍ଟ ନଆସିବା ଭିତରେ ପୂରା ବସ୍ତିରେ ଖେଦି ଯାଉଛନ୍ତି। ଯାହାର ଲକ୍ଷଣ ନାହିଁ, ସେମାନେ ଅଧିକ ବିପଦ ସାଜିଛନ୍ତି। ପୂରା ରାଜଧାନୀରେ ଲକ୍ଷଣ ନଥିବା କରୋନା ଆକ୍ରାନ୍ତ ଏବେ ସୁପର୍ ସ୍ପ୍ରେଡର୍‌ ସାଜିଛନ୍ତି।

ରାଜଧାନୀରେ ଯେଉଁମାନଙ୍କର ସ୍ବାବ୍ ସଂଗ୍ରହ ହେଉଛି, ସେମାନଙ୍କର ରିପୋର୍ଟ ଆସିବାକୁ ଦୁଇରୁ ୫ଦିନ ଲାଗୁଛି। ଏହା ଭିତରେ ସେମାନେ ସଙ୍ଗରୋଧ ରହୁ ନଥିବାରୁ ରିପୋର୍ଟ ଆସିବା ବେଳକୁ ବହୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଯାଉଛନ୍ତି। ଯାହା ରାଜଧାନୀରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ପ୍ରମୁଖ କାରଣ ପାଲଟିଛି। ଲୋକଙ୍କ ସଚେତନତା ଅଭାବରୁ ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ଭୟ ଏବେ ସୃଷ୍ଟି ହେଲାଣି।

ସମ୍ବନ୍ଧିତ ଖବର