ଭୁବନେଶ୍ବର: ରାଜଧାନୀର ଭୁବନେଶ୍ବରର କଳେବର ବଢ଼ୁଛି। ଭୌଗୋଳିକ ପରିସୀମା ସହ ଜନସଂଖ୍ୟା ମଧ୍ୟ ବଢ଼ୁଛି। ତେର ଲକ୍ଷରୁ ଅଧିକ ଲୋକଙ୍କୁ ମନୋରଂଜନର ଖୋରାକ ଯୋଗାଉଥିବା ପ୍ରେକ୍ଷାଳୟ ସଂଖ୍ୟା କିନ୍ତୁ ବଢ଼ୁନାହିଁ। ରାଜଧାନୀ ମୁଖ୍ୟଭାଗରେ ହାତ ଗଣତି କିଛି ପ୍ରେକ୍ଷାଳୟ ରହିଛି। ଏହାବାଦ୍‌ ରାଜଧାନୀର ଅନ୍ୟ ସ୍ଥାନରେ କଳାକାର କଳା ପ୍ରଦର୍ଶନ କରିବା ପାଇଁ ଭଲ ପ୍ରେକ୍ଷାଳୟ କରାଯାଇପାରିନାହିଁ। ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜଧାନୀ ଏକ ଉତ୍କୃଷ୍ଟ ସ୍ଥାନ। ଏଠି ୭ ଶହରୁ ଅଧିକ ସାଂସ୍କୃତିକ ଅନୁଷ୍ଠାନ ରହିଛି। ଏହି ଅନୁଷ୍ଠାନମାନେ ବର୍ଷକୁ ଅନ୍ତତଃ ଥରୁଟିଏ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏଥିସହ ନାଟକ, ସଂଙ୍ଗୀତ, ନୃତ୍ୟ ଉତ୍ସବମାନ ଆୟୋଜି ହେଉଛି।

Advertisment

ସାଂସ୍କୃତିକ ଅନୁଷ୍ଠାନ ପାଇଁ ଅଭାବ ପଡ଼ୁଛି ମଞ୍ଚ
୧୦ ଲକ୍ଷରୁ ଅଧିକ ଲୋକ ମନୋରଂଜନରୁ ବଞ୍ଚିତ

ସରକାରୀସ୍ତରରେ ରବୀନ୍ଦ୍ରମଣ୍ଡପ, ଭଞ୍ଜକଳାମଣ୍ଡପ ଓ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଭିଡ଼ଲାଗୁଛି। କିନ୍ତୁ ଏହି ସବୁ ସ୍ଥାନରେ ଏକକାଳୀନ ହଜାରେ ଲୋକ ବସିବାର ବ୍ୟବସ୍ଥା ନାହିଁ। ରବୀନ୍ଦ୍ରମଣ୍ଡପରେ ୮୦୦, ଭଞ୍ଜକଳାମଣ୍ଡପରେ ୪୦୦ ଓ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନରେ ମାତ୍ର ୨୦୦ ସିଟ୍‌ ରହିଛି। ଜୟଦେବଭବନ ଓ ଗୀତଗୋବିନ୍ଦସଦନ କେବଳ ସଭାସମିତି ପାଇଁ ଉଦ୍ଦିଷ୍ଟ। ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରୁନାହିଁ। କଳାମଣ୍ଡଳରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ୨ ହଜାର ବିଶିଷ୍ଟ ପ୍ରେକ୍ଷାଳୟ ତିଆରି ହେଉଛି। ଯାହା ସରିବାର ନାଁ ଧରୁନାହିଁ। ଭୁବନେଶ୍ବର କଳେବର ପିପିଲି, ଜଟଣୀ, ଖୋ‌ର୍ଦ୍ଧା, ମେଣ୍ଢାଶାଳ, ତ୍ରିଶୁଳିଆ, ଫୁଲନଖରା, ବାରଙ୍ଗ ଯାଏ ମାଡ଼ିଗଲାଣି। ଏହି ସବୁ ଅଞ୍ଚଳରେ ରହୁଥିବା ଲୋକଙ୍କ ମନୋରଂଜନ ପାଇଁ କିନ୍ତୁ ସରକାର ପ୍ରେକ୍ଷାଳୟଟିଏ କରିପାରିନାହାନ୍ତି। କିଛି ଘରୋଇ ଶିକ୍ଷାନୁଷ୍ଠାନ ନିଜ ନିଜ କ୍ୟାମ୍ପସ୍‌ରେ ଉନ୍ନତମାନର ପ୍ରେକ୍ଷାଳୟ କରିଥିଲେ ବି ତାହାର ଦର ଉଚ୍ଚା ରହୁଥିବାରୁ ସେଠାରେ ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ଆୟୋଜନ କରିବା ସମ୍ଭବ ହେଉ ନାହିଁ।

ଏ ସମ୍ପର୍କରେ ଓଡ଼ିଶା ନାଟ୍ୟ ସଂଘର ସଂପାଦକ ଶୁଭକାନ୍ତ ପାଢ଼ୀ କହିଛନ୍ତି, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ଧଉଳି ଓ ରସୁଲଗଡ଼ ପଟରେ ଅନ୍ତତଃ ଗୋଟିଏ ଲେଖାଏ ପ୍ରେକ୍ଷାଳୟ କରିବାକୁ ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲୁ। କିନ୍ତୁ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ। ସେହିପରି ‘ରଙ୍ଗମ୍‌’ ନାଟ୍ୟାନୁଷ୍ଠାନର ମୁଖ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ ଦର୍ପନାରାୟଣ ସେଠୀ କହିଛନ୍ତି, ଜନସଂଖ୍ୟା ବଢ଼ୁଛି। ଲୋକଙ୍କ ମନୋରଂଜନର ଆଗ୍ରହ ବି ବଢ଼ୁଛି। ତେଣୁ ରବୀନ୍ଦ୍ରମଣ୍ଡପ ଓ ଭଞ୍ଜକଳାମଣ୍ଡପ ନିକଟ ଅଞ୍ଚଳକୁ ଛାଡ଼ି ଦେଲେ ଅନ୍ୟ ଅଞ୍ଚଳର ଲୋକଙ୍କ ପାଇଁ ସରକାର ଚିନ୍ତା କରନ୍ତୁ। ରାଜଧାନୀରେ ସାଂସ୍କୃତିକ ଭାବଧାରା ପଛରେ ପଡ଼ିନଯାଉ।