ଭୁବନେଶ୍ବର: ବିଶ୍ବାସ ଅଛି, ‘ଝାଳବୁହା ଧନ ହଜେନାହିଁ, ହଜିଲେ ବି ମିଳିଯାଏ।’ ଏହା ଆଜି ସତ ପ୍ରମାଣିତ ହୋଇଛି। ବେଙ୍ଗାଲୁରୁରୁ ଆସାମ ଫେରୁଥିବା ଜଣେ ଯୁବ ଶ୍ରମିକଙ୍କ ୫୦ ହଜାର ଟଙ୍କା ଟ୍ରେନ୍‌ରେ ହଜିଯାଇଥିଲେ ବି ପରେ ସବୁତକ ଟଙ୍କା ତାଙ୍କ ପାଖକୁ ଫେରିଆସିଛି। ଭୁବନେଶ୍ବର ଜିଆର୍‌ପିର ତ୍ବରିତ ପଦକ୍ଷେପ କାରଣରୁ ଆସାମର ସେ ତାଙ୍କ କଷ୍ଟାର୍ଜିତ ଟଙ୍କା ଫେରିପାଇଛନ୍ତି। ଆସାମ ଚିରାଙ୍ଗ ଅଞ୍ଚଳର ଗରିବ ଆଦିବାସୀ ଯୁବକ ଜୁଲେସ ଟପ୍ପୋ(୩୨) ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାମ କରନ୍ତି। ନିକଟରେ ତାଙ୍କ ଭଉଣୀର ବାହାଘର ହେବ। ସେଥିପାଇଁ ସେ ଗତ ୬ମାସ ହେଲା ପେଟରୁ କାଟି ଦରମାରୁ ୫୦ ହଜାର ଟଙ୍କା ସଞ୍ଚୟ କରିଥିଲେ। ଭଉଣୀ ବାହାଘରରେ ୫୦ ହଜାର ଟଙ୍କା ଯୋଡ଼ିବା ଜୁଲେସଙ୍କ ପାଇଁ ଏକ ବଡ଼ କଥା ଥିଲା। ତେଣୁ ଖୁସିରେ ସେ ଗତକାଲି ଗୌହାଟି ଏକ୍ସପ୍ରେସ୍‌ରେ ବେଙ୍ଗାଲୁରୁରୁ ଆସାମ ଅଭିମୁଖେ ବାହାରିଥିଲେ। ଟଙ୍କାତକ ଏକ ପୁରୁଣା ବ୍ୟାଗ୍‌ରେ ଭର୍ତ୍ତିକରି ସିଟ୍‌ ପାଖ ଆଙ୍କୁଡ଼‌ାରେ ବାନ୍ଧିଦେଇଥିଲେ। 

Advertisment

ଆଜି ସକାଳୁ ଟ୍ରେନ୍‌ ଭୁବନେଶ୍ବର ରେଳଷ୍ଟେସନରେ ପହଞ୍ଚିବା ପରେ ଜୁଲେସ ପାଣି ପାଇଁ ପ୍ଲାଟ୍‌ଫର୍ମକୁ ଓହ୍ଲାଇଥିଲେ। କିନ୍ତୁ ପାଣି ଧରି ଫେରିବାବେଳକୁ ଟ୍ରେନ୍‌ ଛାଡ଼ିଦେଇଥିଲା। ବିକଳରେ ଦୌଡ଼ିଲେ ବି ଜୁଲେସ ଟ୍ରେନ୍‌କୁ ଧରିପାରିନଥିଲେ। ଭଉଣୀ ବାହାଘର ପାଇଁ ପେଟରୁ କାଟି ସଂଚିଥିବା ୫୦ ହଜାର ଟଙ୍କା ତାଙ୍କ ଆଖି ସାମ୍ନାରେ ଉଡ଼ିଯାଉଥିଲା। ସେ ମୁଣ୍ଡରେ ହାତଦେଇ ଷ୍ଟେସନରେ ବସିପଡ଼ି ଭୋ ଭୋ କାନ୍ଦିବାକୁ ଲାଗିଲେ। କିଛି ରେଳ ଯାତ୍ରୀ ତାଙ୍କୁ ଜିଆର୍‌ପିର ସହାୟତା ନେବାକୁ କହିଥିଲେ। ଜୁଲେସଙ୍କଠାରୁ ସବୁକଥା ଶୁଣିବା ପରେ ଜିଆର୍‌ପି ଆଇଆଇସି ଅଶୋକ ଗୋଛାୟତ ତୁରନ୍ତ କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଆର୍‌ପିକୁ ଖବରଟି ଜଣାଇଥିଲେ। ସୌଭାଗ୍ୟକୁ ଭଦ୍ରକ ଜିଆର୍‌ପି ଉକ୍ତ ବ୍ୟାଗ୍‌କୁ ଠାବ କରିଥିଲା। ଭଦ୍ରକରୁ ଭଲ ଖବର ମିଳିବା ପରେ ଜୁଲେସ ଖିଆପିଆ କରିଥିଲେ। ଆଜି ସନ୍ଧ୍ୟାରେ ଭଦ୍ରକରୁ ଟଙ୍କା ବ୍ୟାଗ୍‌ ଆସିବା ପରେ ଜୁଲେସକୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ତାଙ୍କୁ ଖାଇବାକୁ ଦେଇ ଥାନାରେ ରଖିଛି ଏବଂ ଆସନ୍ତାକାଲି ସକାଳେ ଗୌହାଟି ଏକ୍ସପ୍ରେସ୍‌ରେ ସେ ଆସାମ ଅଭିମୁଖେ ଯାତ୍ରା କରିବେ।