ଭୁବନେଶ୍ବର : ଶନିବାର ଅପରାହ୍ଣରେ ଭୁବନେଶ୍ବର କେନ୍ଦ୍ରୀୟ ଅବକାରୀ, ସୀମା ଶୁଳ୍କ ଓ ଜିଏସ୍ଟି ସହକାରୀ ଆୟୁକ୍ତ ଅର୍ଜୁନ କୁମାର ଧଳ(୫୯) ଆତ୍ମହତ୍ୟା କରିଛନ୍ତି। ଖଣ୍ଡଗିରି ଥାନା ପୁଲିସ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିସ୍ଥିତ ଏଲ୍-୩୩୮ ବାସଭବନରୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରିବା ପରେ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ବେକରେ ବେଡ୍ସିଟ୍ ବାନ୍ଧି ସେ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲେ ବି ଅଧିକ ତଦନ୍ତ ଜାରି ରଖିଛି। ଚାକିରିକାଳ ସରିବାକୁ ବସିଥିବା ବେଳେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଆତ୍ମହତ୍ୟା ପଛରେ କି ରହସ୍ୟ ରହିଛି, ତାହା ବଡ଼ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି। ପାରିବାରିକ ବିବାଦ ପ୍ରସଙ୍ଗ ବାବଦରେ ପୁଲିସକୁ କିଛି ସୁରାକ୍ ମିଳିନଥିବାରୁ ଚାକିରିରେ କାର୍ଯ୍ୟଭାରଜନିତ ମାନସିକ ଚାପ ଯୋଗୁଁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି। ଗତ କିଛି ଦିନ ହେଲା ସେ ଏକୁଟିଆ ରହୁଥିଲେ। ସ୍ତ୍ରୀ ଓ ପିଲାମାନେ ନିଜ ଗାଁ ଯାଜପୁର ଯଖପୁରାରେ ରହୁଥିଲେ। ଗତକାଲି ସନ୍ଧ୍ୟା ପ୍ରାୟ ୭ଟାବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଫୋନ୍ କରିଥିଲେ। ମାତ୍ର ବାରମ୍ବାର ଫୋନ୍ କରିବା ପରେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ତାଙ୍କ ସ୍ତ୍ରୀ ତଳେ ଘରେ ଭଡ଼ାରେ ରହୁଥିବା ବ୍ୟକ୍ତିଙ୍କୁ ଜଣାଇଥିଲେ। ଉକ୍ତ ବ୍ୟକ୍ତି ଉପରମହଲାକୁ ଯାଇ ଦେଖିବାବେଳକୁ ଶ୍ରୀ ଧଳଙ୍କ ମୃତଦେହ ଫ୍ୟାନ୍ରେ ଝୁଲୁଥିଲା। ଖବର ପାଇ ଭୁବନେଶ୍ବର ବାଣୀବିହାର ଅଞ୍ଚଳରେ ରହୁଥିବା ଶ୍ରୀ ଧଳଙ୍କ ଭାଇ ଭୀମସେନ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଖଣ୍ଡଗିରି ଥାନା ପୁଲିସକୁ ଜଣାଇଥିଲେ।
ସୂଚନାନୁସାରେ ସେ ଗତ କିଛି ଦିନ ହେଲା ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ। ଏମିତିକି ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବାକୁ ଇଚ୍ଛା କରିଥିଲେ। ଅତ୍ୟଧିକ କାର୍ଯ୍ୟଭାର ପାଇଁ ସେ ଏଭଳି ମନ କରିଥିବା ତାଙ୍କ ସହକର୍ମୀମାନଙ୍କଠାରୁ ଜଣାପଡ଼ିଛି। ଚାକିରିକାଳ ସରି ଆସିଥିବାରୁ ତାଙ୍କୁ କମ୍ କାର୍ଯ୍ୟଭାର ଥିବା ସିଟ୍କୁ ମଧ୍ୟ ବଦଳି କରାଯିବ ବୋଲି ଏକପ୍ରକାର ସ୍ଥିର ହୋଇ ସାରିଥିଲା। ମାତ୍ର ହଠାତ୍ ସେ କାହିଁକି ଏଭଳି ପଦକ୍ଷେପ ନେଲେ ବୋଲି ସହକର୍ମୀମାନେ ବିସ୍ମିତ ହୋଇପଡ଼ିଛନ୍ତି। ସହକର୍ମୀମାନଙ୍କ ସୂଚନାନୁସାରେ ସେ ଜଣେ ଅମାୟିକ ଭଦ୍ରବ୍ୟକ୍ତି ଥିଲେ। ଗୀତା, ଭାଗବତ ଓ ବେଦ ଭଳି ଶାସ୍ତ୍ରରେ ତାଙ୍କର ବେଶ୍ ଭଲ ଜ୍ଞାନ ମଧ୍ୟ ଥିଲା। ଦୁଇ ଦୁଇ ଥର ସିଭିଲ୍ ସର୍ଭିସ୍ ଲିଖିତ ପରୀକ୍ଷାରେ ସେ ସଫଳତା ପାଇଥିଲେ ଓ ଥରେ କୌନ ବନେଗା କରୋଡ଼ପତି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିପାରିଥିଲେ। ତେଣୁ ସେଭଳି ବ୍ୟକ୍ତି ଶେଷରେ ଆତ୍ମହତ୍ୟା କରିପାରନ୍ତି ବୋଲି ସହକର୍ମୀମାନେ ବିଶ୍ବାସ କରିପାରୁନାହାନ୍ତି। ସେହିଭଳି ପାରିବାରିକ ଚିନ୍ତା ମଧ୍ୟ କିଛି ନଥିଲା। ତାଙ୍କ ସ୍ତ୍ରୀ ଆରତୀ ସ୍ବାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଶିକ୍ଷୟିତ୍ରୀ ଓ ପୁଅ ଝିଅ ମେଧାବୀ ଛାତ୍ର। ତେଣୁ ପାରିବାରିକ ସମସ୍ୟା ପ୍ରାୟ କିଛି ନଥିଲା। ତେଣୁ ଏଭଳି ସ୍ଥିତିରେ କାର୍ଯ୍ୟଭାରର ଚାପ ହିଁ ତାଙ୍କ ଆତ୍ମହତ୍ୟାର କାରଣ ବୋଲି କୁହାଯାଉଛି। ତଥାପି କବାଟ ଖୋଲା ଥିବା ଅବସ୍ଥାରେ ସେ ଆତ୍ମହତ୍ୟା କରିଥିବାରୁ ପୁଲିସ ଭିନ୍ନ ଦିଗକୁ ନେଇ ମଧ୍ୟ ତଦନ୍ତ ଜାରି ରଖିଛି ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Arjun-Dhal.jpg)