ଜିଏସ୍‌ଟି ଫାଙ୍କି ଓ ସିବିଆଇ ଚଢ଼ଉ ମାମଲା : ୫ କୋଟି ଟିକସକୁ ୫ ଲକ୍ଷ କରିବାକୁ ଡିଲ୍

ଭୁବନେଶ୍ବର : ଜଟଣୀସ୍ଥିତ ସେଞ୍ଚୁରିଅନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଶିକ୍ଷାନୁଷ୍ଠାନ ଜିଏସ୍‌ଟି ଟିକସ ଫାଙ୍କିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ବଡ଼ଧରଣର ଡିଲ୍‌ କରିଥିଲା। ୫ କୋଟି ଟଙ୍କାର ଜିଏସ୍‌ଟିକୁ ମାତ୍ର ୫ ଲକ୍ଷ ଟଙ୍କା କରିବାକୁ ଯୋଜନା କରାଯାଇଥିଲା। ୧୦ଲକ୍ଷ ଟଙ୍କା ଲାଞ୍ଚ ନେଇ ଜିଏସ୍‌ଟିକୁ କମ୍ କରାଇବେ ବୋଲି ଅଧିକାରୀମାନେ ଡିଲ୍‌ କରିଥିଲେ। ସିବିଆଇ ତନାଘନା ପରେ ଏହି ବଡ଼ ଧରଣର ଠକେଇ ବାବଦରେ ତଥ୍ୟ ମିଳିଛି।

ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସେଞ୍ଚୁରିଅନ୍ଇ ନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୨୦୧୭-୧୮ ଆର୍ଥିକ ବର୍ଷର ଅଡିଟ୍ କରିଥିଲେ ଜିଏସ୍‌ଟି ସୁପରିନ୍‌ଣ୍ଟେଣ୍ଡେଣ୍ଟ ଆର୍ତ୍ତଭଞ୍ଜନ କର। ସେହି ସମୟରେ ଜିଏସ୍‌ଟି ଦାଖଲରେ ଉଲ୍ଲଂଘନ କଥା ଜଣା ପଡ଼ିଥିଲା। କେବଳ ଏହି ଆର୍ଥିକ ବର୍ଷ ନୁହେଁ, ୨୦୧୫-୧୬, ୨୦୧୬-୧୭ରେ ମଧ୍ୟ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଥିଲା। ଜରିମାନା ସହ ଜିଏସ୍‌ଟି, ସର୍ଭିସ ଟ୍ୟାକ୍ସକୁ ହିସାବ ପରେ ବାର୍ଷିକ ପ୍ରାୟ ୫କୋଟି ଟଙ୍କା ଦାଖଲ କରିବାକୁ ପଡ଼ିବ ବୋଲି ଜଣାପଡ଼ିଥିଲା। ଏହାକୁ ରଫାଦଫା କରି ୫ଲକ୍ଷ ଟଙ୍କାରେ ସୀମିତ ରଖିବାକୁ ଜିଏସ୍‌ଟି ସୁପରିନ୍‌ଣ୍ଟେଣ୍ଡେଣ୍ଟ ଶ୍ରୀ କର କହିବା ସହ ଏଥିପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି ସେଞ୍ଚୁରିଅନ୍‌ର ଆକାଉଣ୍ଟ୍‌ସ ଅଫିସର ଆଶୁତୋଷ ପାଢ଼ୀଙ୍କୁ ଜଣାଇଥିଲେ। ଶ୍ରୀ ପାଢ଼ୀ ଏ କଥା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହା ପରେ ଲାଞ୍ଚ କାରବାର ହୋଇଥିଲା ବୋଲି ସିବିଆଇ ଜାଣିବାକୁ ପାଇଛି। ତେଣୁ ହୋଟେଲରେ ଲାଞ୍ଚ କାରବାର ସମୟରେ ଆଶୁତୋଷ ପାଢ଼ୀଙ୍କ ସହ ୩ ଜଣ ଜିଏସ୍‌ଟି ଅଧିକାରୀ ଥିଲେ ବି ଏହି ମାମଲାରେ ଅନ୍ୟମାନଙ୍କର ସମ୍ପୃକ୍ତି ରହିଛି ବୋଲି ସିବିଆଇ ଖୋଳତାଡ଼ ଚଳାଇଛି।

ସୂଚନାଯୋଗ୍ୟ, ଟିକସ ଫାଙ୍କିକୁ ରଫାଦଫା କରିବା ପାଇଁ ଗତ ୨୯ ତାରିଖରେ ଲାଞ୍ଚ କାରବାର ଚାଲୁଥିବା ବେଳେ ରାଜଧାନୀର ଏକ ତାରକା ହୋଟେଲରୁ ସିବିଆଇ ୪ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଜିଏସ୍‌ଟି(ଭୁବନେଶ୍ବର ସର୍କଲର ତିନି ସୁପରିନ୍‌ଣ୍ଟେଣ୍ଡେଣ୍ଟ ଆର୍ତ୍ତଭଞ୍ଜନ କର, ପ୍ରଦୀପ କୁମାର ଆଚାର୍ଯ୍ୟ, ଏନ୍ଏନ୍ ସାହୁ ଏବଂ ସେଞ୍ଚୁରିଅନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଆଶୁତୋଷ ପାଢ଼ୀ। ଲାଞ୍ଚ କାରବାର ହେଉଥିବା ୧୦ ଲକ୍ଷ ଟଙ୍କା ଓ କିଛି ଜାଲ କାଗଜପତ୍ର ଜବତ କରା ଯାଇଥିଲା। ସମସ୍ତ ଅଭିଯୁକ୍ତ ଏବେ ଜେଲ୍‌ରେ।

ସମ୍ବନ୍ଧିତ ଖବର