ଭୁବନେଶ୍ବର: ଟିକସ ଫାଙ୍କିବା ଅଭିଯୋଗରେ ଆଜି ପୂର୍ବାହ୍ନରେ ରାଜଧାନୀର ଏକାଧିକ ଗହଣା ଦୋକାନରେ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଆଗକୁ ଧନତେରାସ୍‌ ଥିବାରୁ ଗହଣା ବ୍ୟବସାୟୀମାନେ ବିପୁଳ ପରିମାଣର ଚୋରା ସୁନାଗହଣା ରଖିଥିବା ଆଶଙ୍କା‌ରେ ଏହି ଚଢ଼ଉ କରାଯାଇଥିଲା।

Advertisment

ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଦିନ ୧୦ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ଗହଣା ଦୋକାନ ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ କେତେକ ଗହଣା ଦୋକାନରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଜୁଏଲାରିଗୁଡ଼ିକର ସମସ୍ତ ଅଳଙ୍କାର କିଣାବିକାର କାଗଜପତ୍ର ଜବତ କରାଯାଇଛି। କିଛି ଦୋକାନୀ କାଗଜପତ୍ର ଦେଖାଇ ପାରିନଥିଲେ। ଏଥିପାଇଁ ସେମାନଙ୍କୁ ୭ ଦିନ ମହଲତ ଦିଆଯାଇଛି। ଏହି ଅବଧି ମଧ୍ୟରେ ସେ କାଗଜପତ୍ର ଦାଖଲ ନ କଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ତେବେ କେତେ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି, ତାହା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।