ମନଇଚ୍ଛା ଫି’ ଆଦାୟ ଓ ଏନସିଇଆରଟି ବହି ପ୍ରଚଳନ ନ କରିବା ପ୍ରତିବାଦ, ଘରୋଇ ସ୍କୁଲ ଆଗରେ ଅଭିଭାବକଙ୍କ ବିକ୍ଷୋଭ

ଚନ୍ଦ୍ରଶେଖରପୁର: ମନଇଚ୍ଛା ଫି’ ଆଦାୟ, ଏନସିଇଆରଟି ବହି ପ୍ରଚଳନ ନ କରିବା, ଅନ୍ୟାନ୍ୟ ବେଆଇନ କାର୍ଯ୍ୟ ବିରୋଧରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଆଜି ଚନ୍ଦ୍ରଶେଖରପୁର ଥାନା ନିକଟରେ ଥିବା ଏକ ଘରୋଇ ସ୍କୁଲ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ ଏବର୍ଷ ରିଆଡ୍‌ମିସନ ଓ ସ୍କୁଲ ଫି’ରେ ଅଧିକ ବୃଦ୍ଧି କରାଯାଇଛି। ସମାନ ଶ୍ରେଣୀ ପାଇଁ ବିଭିନ୍ନ ଅଭିଭାବକଙ୍କଠାରୁ ଭିନ୍ନ ଭିନ୍ନ ଫି’ ଆଦାୟ କରାଯାଇଛି। ରିଆଡ୍‌ମିସନ ନ କଲେ ପିଲାଙ୍କୁ ବହି ନ ଦେବା ଭଳି ମନମୁଖୀ କାର୍ଯ୍ୟ କରୁଛନ୍ତି। ବାରମ୍ବାର ଦାବି ପରେ ସ୍କୁଲ କର୍ତୃପକ୍ଷ ଏହି ସମସ୍ୟାର ସମାଧାନ ଲାଗି ଦୁଇ ଦିନ ତଳେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଗତକାଲି ପୁଣିଥରେ ବହି ନ ଦେବାକୁ ମନା କରିବା ପରେ ଅଭିଭାବକମାନେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ମହାସଂଘ ପକ୍ଷରୁ କୁହାଯାଇଥିଲା। ଏହାପରେ ସ୍କୁଲ କର୍ତୃପକ୍ଷ ଓ ଅଭିଭାବକ ମହାସଂଘ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ସମାଧାନର ବାଟ ନ ବାହାରିବାରୁ ଅଭିଭାବକମାନେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଓ ଭୁବନେଶ୍ବର ଡିସିପିଙ୍କୁ ସାକ୍ଷାତ କରି କିଭଳି ବେଆଇନ ଭାବେ ସ୍କୁଲ ଚାଲୁଛି, ତାହାର ତଦନ୍ତ କରିବାକୁ ଦାବି କରିଥିଲେ। ସ୍କୁଲର ଏଭଳି ମନମୁଖୀ କାର୍ଯ୍ୟ ବିରୋଧରେ ମହାସଂଘ ଏନ୍‌ସିପିସିଆର ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ଭେଟି ଅଭିଯୋଗ କରିବ ବୋଲି ନିଷ୍ପତ୍ତି ହୋଇଛି। ଏହି ବିକ୍ଷୋଭରେ ସ୍କୁଲ ଅଭିଭାବକ ସଂଘର ସଭାପତି ଏସ୍‌ ମହାନ୍ତିଙ୍କ ସମେତ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଆଶୁତୋଷ ନନ୍ଦ, ଲିଲି ଜେନାମଣି, ଭୂମୋହନ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର