ଭୁବନେଶ୍ବର: ସ୍ବାୟତ୍ତ ଶାସନ ଦିବସ ଅବସରରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଆଜି ଦିନତମାମ କାର୍ଯ୍ୟକ୍ରମ ଚାଲିଛି। ସକାଳୁ ବିଏମ୍‌ସି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ସହ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ ଏବଂ ସନ୍ଧ୍ୟାରେ ଜୟଦେବ ଭବନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ନିୟନ୍ତ୍ରଣପତ୍ର ପଠାଯାଇଥିଲା, ଯେଉଁଥିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ, ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁରଙ୍କ ନାମ ଅତିଥି ତାଲିକାରେ ଯଥାକ୍ରମେ ଉପରୁ ତଳ ପର୍ଯ୍ୟନ୍ତ ରହିଥିଲା। ଉଭୟ ସକାଳ ଓ ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଅତିଥି ତାଲିକାରେ ଏମାନଙ୍କ ନାମ ରହିଥିଲେ ମଧ୍ୟ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସମେତ ବିଜେଡିର ଜଣେ ବି ହେଲେ ବିଧାୟକ କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇ ନଥିଲେ। କେବଳ ସେତିକି ନୁହେଁ, ସକାଳ କାର୍ଯ୍ୟକ୍ରମରେ କିଛି ବିଜେପି କର୍ପୋରେଟର୍‌ ସାମିଲ ହୋଇ ନଥିଲେ। ସନ୍ଧ୍ୟାରେ ଏକାମ୍ର ଭୁବନେଶ୍ବର ବିଧାୟକ ଶ୍ରୀ ସିଂ ଉପସ୍ଥିତ ଥିବା ବେଳେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନୁପସ୍ଥିତ ରହିଥିଲେ।

Advertisment

୨୦୨୪ ସାଧାରଣ ନିର୍ବାଚନରେ କ୍ଷମତା ପରିବର୍ତ୍ତନ ପରେ ବିଏମ୍‌ସିରେ ଛକାପଞ୍ଝା ଚାଲିଛି। କ୍ଷମତାକୁ ନେଇ ବିଜେଡି ଓ ବିଜେପି ନେତାମାନେ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। କେତେବେଳେ ବିଜେଡି ବିଧାୟକ ବିଏମ୍‌ସି ବୈଠକକୁ ଆସୁନାହାନ୍ତି ତ ଆଉ କେବେ ସାଂସଦ ଅନୁପସ୍ଥିତ ରହୁଛନ୍ତି। ବିଏମ୍‌ସି ଅଞ୍ଚଳରେ ଥିବା ୪ଜଣ ବିଧାୟକଙ୍କ ମଧ୍ୟରୁ କେବଳ ବିଧାୟକ ବାବୁ ସିଂ ଅଧିକାଂଶ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଛନ୍ତି। ମାତ୍ର ଅନ୍ୟ ତିନି ବିଜେଡି ବିଧାୟକଙ୍କର କାଁ ଭାଁ ଦେଖାମିଳୁଛି। ଯେତେବେଳେ ବିଜେଡି ବିଧାୟକ ଆସୁଛନ୍ତି ସେତେବେଳେ ବିଜେପି ସାଂସଦ ଓ ବିଧାୟକ ଆସୁନାହାନ୍ତି। ଏବେ ବି ବିଜେଡି ଅଧୀନରେ ଭୁବନେଶ୍ବର ମହାନଗର ନିଗମ ରହିଛି। ବିଏମ୍‌ସି ମେୟର, ଡେପୁଟି ମେୟରଙ୍କ ସମେତ ପ୍ରାୟ ୫୦ କର୍ପୋରେଟର୍‌ ଦଳ ସହ ରହିଛନ୍ତି। ତା’ସତ୍ତ୍ବେ  ମଧ୍ୟ ଜନପ୍ରତିନିଧି ଭାବେ ବିଧାୟକମାନଙ୍କ ବାରମ୍ବାର ଅନୁପସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କୌଣସି କାର୍ଯ୍ୟକ୍ରମରେ ରହିଲେନି ସାଂସଦ
ବିଏମ୍‌ସି ସଭାରୁ ଦୂରେଇଗଲେ ବିଜେଡି ବିଧାୟକ

ପୂର୍ବ ସରକାର ସମୟରେ ବିଭିନ୍ନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଉ ନଥିବା ସମ୍ପର୍କରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବାରମ୍ବାର ଅଭିଯୋଗ କରୁଥିଲେ। ନିମନ୍ତ୍ରଣପତ୍ରରେ ତାଙ୍କ ନାମ ନ ଥିବାରୁ ରାଜ୍ୟ ସରକାର ଓ ବିଏମ୍‌ସିକୁ ସମାଲୋଚନା କରିଥିବାର ନଜିରି ରହିଛି। ଏମିତିକି ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି କେଉଁମାନେ ଏଭଳି ତ୍ରୁଟି ପାଇଁ ଦାୟୀ ତାହାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଚଳିତବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସକୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ଆସି ନଥିଲେ। ଓଡ଼ିଶା ବାହାରେ ଜରୁରୀ କାର୍ଯ୍ୟ ଥିବାରୁ ଅନୁପସ୍ଥିତ ରହିଥିବା ଦର୍ଶାଇଥିଲେ। ଏଥର ସ୍ବୟତ୍ତ ଶାସନ ଦିବସରେ ବିଏମ୍‌ସି ନିମନ୍ତ୍ରଣପତ୍ରର ସର୍ବାଗ୍ରେ ତାଙ୍କ ନାଁ ରହିଥିଲେ ମଧ୍ୟ ତାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଚାଲିଛି। ଏ ସମ୍ପର୍କରେ ସାଂସଦଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରୁ ଜଣାପଡ଼ିଛି ଯେ ହଠାତ୍‌ ଏକ ଜରୁରୀ କାମ ପଡ଼ିବାରୁ ସାଂସଦ ଆଜି ସକାଳୁ ନୂଆଦିଲ୍ଲୀ ଯାଇଛନ୍ତି। ବିଏମ୍‌ସି ପକ୍ଷରୁ ନିମନ୍ତ୍ରଣ ଆସିଥିଲା ଏବଂ ‌ସାଂସଦ ସହମତି ପ୍ରକାଶ କରିଥିଲେ। ମାତ୍ର ଜରୁରୀ କାର୍ଯ୍ୟ ପଡ଼ିବାରୁ ଅନୁପସ୍ଥିତ ରହିଲେ। ମଧ୍ୟ ବିଧାୟକ ଶ୍ରୀ ଜେନା କହିଛନ୍ତି ଯେ ସେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବିଏମ୍‌ସି ପକ୍ଷରୁ ଆୟୋଜିତ ସ୍ବୟତ୍ତ ଶାସନ ଦିବସରେ ଯୋଗଦେଇପାରି ନାହାନ୍ତି। ଅନୁପସ୍ଥିତି  ସମ୍ପର୍କରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲି।

ଉତ୍ତର ଭୁବନେଶ୍ବର ବିଧାୟକ ଶ୍ରୀ ରାଉତ କହିଛନ୍ତି ଯେ ଲୋକଙ୍କ ସହ ମୁଁ ସବୁବେଳେ ରହିଛି। ଆଜି ମୋ ନିର୍ବାଚନମଣ୍ଡଳୀରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଆଜି ଦିନତମାମ ବ୍ୟକ୍ତିଗତ କାମରେ ରହିଥିବାରୁ କାର୍ଯ୍ୟକ୍ରମରେ ସାମିଲ ହୋଇପାରିଲି ନାହିଁ। ବିଏମ୍‌ସିର ସକାଳ କାର୍ଯ୍ୟକ୍ରମରେ ବିଜେପି କର୍ପୋରେଟର୍‌ଙ୍କ ଅନୁପସ୍ଥିତି ନେଇ ମେୟର ଶ୍ରୀମତୀ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଜାଣିନି ସେମିତି କିଛି ହୋଇଛି ବୋଲି। ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବାରୁ ସେମାନେ ସେଠାକୁ ଯାଇଥାଇପାରନ୍ତି। ବିଜେପି, ବିଜେଡି, କଂଗ୍ରେସ ବୋଲି ସେମିତି କିଛି ନାହିଁ। ଦଳୀୟ ଭିତ୍ତିରେ କାମ ହୁଏ ନାହିଁ, ଏଠି ବିକାଶ ଭିତ୍ତିରେ କାମ ହୁଏ ବୋଲି ସେ କହିଛନ୍ତି। ସେପଟେ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ରାଜ୍ୟସ୍ତରୀୟ ସ୍ବୟତ୍ତ ଶାସନ ଦିବସ ପାଳିତ ହେଉଥିଲେ ମଧ୍ୟ ସ୍ଥାନୀୟ ବିଧାୟକଙ୍କୁ ଡକାଯାଇ ନଥିଲା। ମଞ୍ଚରେ ଏକାମ୍ର ଭୁବନେଶ୍ବର ବିଧାୟକ ଶ୍ରୀ ସିଂ ଓ ଭୁବନେଶ୍ବର ମେୟର ଶ୍ରୀମତୀ ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ମଧ୍ୟ କହିବାକୁ ସୁଯୋଗ ମିଳି ନ ଥିଲା।