ଅବକାରୀ ବିଭାଗର ସମୀକ୍ଷା ବୈଠକ: ନିର୍ବାଚନ ପାଇଁ ଜୋରଦାର ହେବ ଚଢ଼ଉ

ଜିଲ୍ଲା ସ୍ତରରେ ଖୋଲିବ କଣ୍ଟ୍ରୋଲ ରୁମ୍‍, ପୁଲିସ୍‍ ସହାୟତାରେ ୨୪ଘଣ୍ଟିଆ ପାଟ୍ରୋଲିଂ

ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାର ସହ ପଞ୍ଚାୟତ ନିର୍ବାଚନ ସମ୍ପନ୍ନ ପାଇଁ ବେଆଇନ ନିଶା କାରବାର ଉପରେ ରୋକ୍‌ ଲାଗିବ। ସେଥିପାଇଁ ଚଢ଼ଉ ଜୋରଦାର ହେବା ସହ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍‌ ଖୋଲିବ। ପୁଲିସ ସହାୟତାରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅବାକାରୀ କମିସନର ଆଶିଷ ସିଂହ। ଅବକାରୀ ବିଭାଗର ଅଧିକାରୀମାନଙ୍କୁ ନେଇ ଆଜି ବସିଥିବା ସମୀକ୍ଷା ବୈଠକରେ ବେଆଇନ ନିଶା କାରବାର ରୋକିବା ଓ ସୀମାନ୍ତରେ କଡ଼ା ପହରା ସହ ରାତ୍ରିକାଳୀନ ପାଟ୍ରୋଲିଂକୁ ଜୋରଦାର କରିବାକୁ ସେ କହିଛନ୍ତି। ନିର୍ବାଚନ ଶେଷ ପର୍ଯ୍ୟନ୍ତ ଯେଭଳି ନିୟମିତ ସମଗ୍ର ରାଜ୍ୟରେ ଚଢଉ ଜାରି ରୁହେ, ସେ ଦିଗରେ ପଦକ୍ଷେପ ନେବାକୁ ଅବକାରୀ ସୁପରିନ୍‌ଟେଣ୍ଡଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ନିଶା ବେପାରୀ ନୁହେଁ, ନିୟମିତ ଭାବେ ମଦଦୋକାନ ଯାଞ୍ଚ ପାଇଁ ବି କୁହାଯାଇଛି। ଆବଶ୍ୟକ ପଡ଼ିଲେ ଏ ଅବକାରୀ ଗୁଇନ୍ଦା ଶାଖାର ସହଯୋଗ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ବିଭାଗର ଚଳିତ ଆର୍ଥିକ ବର୍ଷର କାର୍ଯ୍ୟକଳାପର ସମୀକ୍ଷା କରାଯାଇଛି। ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ୨ଲକ୍ଷ ୭୦ହଜାର ୧୦୭ଟି ମାମଲା ରୁଜୁ ହୋଇଥିବା ବେଳେ ୨୨ହଜାର ୩୫୫ଜଣ ଗିରଫ ହୋଇଛନ୍ତି। ୭ ଲକ୍ଷ ୩୨ ହଜାର ୪୩୭ ଲିଟର କାରଖାନା ତିଆରି ଦେଶୀ ମଦ, ୭୮,୨୦ ୮୭୧ କିଲୋଗ୍ରାମ୍‌ ମହୁଲି ମଦ, ୫ହଜାର ୫୦୩ ଲିଟର ନକଲି ବିଦେଶୀ ମଦ, ୨ହଜାର ୩୪ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୩ହଜାର ୬୭୧ଲିଟର ସ୍ପିରିଟ୍‍, ୨୧, ୦୪୬ କିଗ୍ରା ଗଞ୍ଜେଇ, ୯କିଗ୍ରା ୨୨୮ ଗ୍ରାମ ବ୍ରାଉନସୁଗାର, ୫୮୧ ଲିଟର କଫ ସିରପ ସହିତ ୧୫୩୧ଟି ନିଶା କାରବାରରେ ବ୍ୟବହୃତ ଗାଡିମୋଟର ଜବତ ହୋଇଛି। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୯୮କୋଟି ଟଙ୍କା ହେବ ବୋଲି ଆକଳନ କରା ଯାଇଛି। ଅବକାରୀ ବିଭାଗ ରାଜ୍ୟରୁ ଗଞ୍ଜେଇ ଚାଷ ବିଲୋପ ପାଇଁ ଅଭିଯାନ ଜାରି ରଖିଛି। ଗଞ୍ଜେଇ ଚାଷ ହେଉଥିବା କନ୍ଧମାଳ, ବୌଦ, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଚଢଉ କରି ୧୮,୮୯୦ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଗଞ୍ଜେଇ ଚାଷକୁ ଠାବ କରିବା ପାଇଁ ଚଳିତବର୍ଷ ଡ୍ରୋନ ବ୍ୟବହାର କରାଯାଇଥିଲା। ଫଳରେ ପୂର୍ବାପେକ୍ଷା ଏଥର ଗଞ୍ଜେଇ ଗଛ ନଷ୍ଟ ଓ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣ ବଢ଼ି ଯାଇଥିଲା। ଭର୍ଚୁଆଲ ମୋଡ୍‌ରେ ବସିଥିବା ଏହି ସମୀକ୍ଷା ବୈଠକରେ ଅବକାରୀ ବିଭାଗର ଡେପୁଟି କମିସନର, ସୁରିଟେଣ୍ଡେଣ୍ଟ, ଏନ୍‌ଫୋର୍ସମେଣ୍ଟ ସେଲ୍‍ ଓ ଜିଲ୍ଲା ସ୍ତରର ଅବକାରୀ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର