କରୋନା ପାଇଁ ମଦ ଦୋକାନୀ ରଖିବେ ସାନିଟାଇଜର

କାମ ନ ଥିଲେ ‘ମୋ ବସ୍‌’ରେ ଯାତ୍ରା କରନି

ଭୁବନେଶ୍ୱର : କରୋନା ପାଇଁ ମଦ ଦୋକାନ ବନ୍ଦ କରିବା ପରିବର୍ତ୍ତେ ରାଜ୍ୟ ସରକାର ଆଜି ସେମାନଙ୍କ ଲାଗି ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସମସ୍ତ ଦୋକାନୀ ସାନିଟାଇଜର୍‌ ରଖିବା ସହ ନିଜକୁ ପରିଷ୍କାର ରଖିବା ପାଇଁ ନିର୍ଦ୍ଦେଶ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଆଜି ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖିବା ପରେ ମଦ ଦୋକାନୀଙ୍କୁ ଅବଗତ କରାଯାଇଛି। ଆଜି ସନ୍ଧ୍ୟାରେ ବରିଷ୍ଠ ଅବକାରୀ ଅଧିକାରୀମାନଙ୍କ ଏକ ବୈଠକ ବସିଥିଲା। ସେଲ୍ସମ୍ୟାନ୍‌ ପରସ୍ପର ମଧ୍ୟରେ ୧ ମିଟର ଦୂରତା ରଖିବେ। ଦୋକାନକୁ ବିଶୋଧକ ଦ୍ବାରା ସଫା କରିବା ସହ ସାମ୍ନା ଗ୍ରିଲ୍‌କୁ ବିଶୋଧିତ କରିବେ। ଯଦି କୌଣସି କର୍ମଚାରୀଙ୍କର ଥଣ୍ଡା, ଜ୍ବର, କାଶ ହେଉଥିବ, ତେବେ ସେମାନଙ୍କୁ ଘରେ ରହିବା ପାଇଁ କହିବାକୁ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାହକଙ୍କ ସହ ହାତ ମିଳାଇବେ ନାହିଁ। ସାନିଟାଇଜର୍‌ ଦ୍ବାରା ହାତ ଧୋଇବାକୁ ଦେବେ। ଟଙ୍କା ପଇସା କାରବାର କଲା ବେଳେ ସତର୍କ ରହିବେ। ଦୋକାନରେ ଏକାଠି ଅଧିକ ଗ୍ରାହକଙ୍କୁ ଜମା ହେବାକୁ ଦେବେ ନାହିଁ। ଜଣକ ପରେ ଜଣେ ଗ୍ରାହକ ଯେଭଳି ମଦ ନେବାକୁ ଆସିବେ, ତାହା ଦୋକାନୀ ନିଶ୍ଚିତ କରିବେ। ଏହି ସବୁ କାମ ହେଉଛି କି ନାହିଁ, ସେନେଇ ଅବକାରୀ ଅଧିକାରୀମାନେ ନିଶ୍ଚିତ କରିବେ। ବିଭିନ୍ନ ଦୋକାନକୁ ସେମାନେ ଅଚାନକ ଗସ୍ତ କରିବେ। ଏହି ଉପଦେଶାବଳୀ ପାଳନ ହେଉ ନଥିଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି।

କାମ ନ ଥିଲେ ‘ମୋ ବସ୍‌’ରେ ଯାତ୍ରା କରନି
ଅଧିକରୁ ଅଧିକ ଲୋକ ‘ମୋ ବସ୍‌’ରେ ଯାତ୍ରା କରିବାକୁ ଅପିଲ୍‌ କରୁଥିବା କ୍ରୁଟ୍‌ ଏବେ ଲୋକଙ୍କୁ ‘‌ମୋ ବସ୍‌’ରେ ଯାତ୍ରା ନକରିବାକୁ ନିବେଦନ କରିଛି। କ୍ରୁଟ୍‌ ପକ୍ଷରୁ କୁହାଯାଇଛି ଯେ ଯଦି ଲୋକଙ୍କର କିଛି ଜରୁରୀ କାମ ନାହିଁ, ‘ମୋ ବସ୍‌’ ବ୍ୟବହାର କରନ୍ତୁ ନାହିଁ। ସର୍ବସାଧାରଣଙ୍କ ସୁରକ୍ଷା ପାଇଁ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ ବୋଲି କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି। କ୍ରୁଟ୍‌ ପକ୍ଷରୁ କୁହାଯାଇଛି ଯେ ସିଟ୍ ପୂରଣ ହେବା ପରେ କୌଣସି ଯାତ୍ରୀଙ୍କୁ ଛିଡ଼ା କରି ନେବାକୁ ‘ମୋ ବସ୍‌’ ଗାଇଡ୍‌ ଓ କ୍ୟାପଟେନ୍‌ଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର