ବିଦ୍ୟୁତ୍‌ ବିଭାଗ ଉପରେ ବିଏମ୍‌ସିର ଲଗାମ, ଆବଶ୍ୟକତାଠାରୁ ଅଧିକ ଗଛ କାଟିବା ମନା

ଗଛ ନ କାଟି ଡାଳ କାଟିବାକୁ ପରାମର୍ଶ, ଖୁବ୍‌ଶୀଘ୍ର ଆସିବ ଗାଇଡ୍‌ଲାଇନ୍‌

ଚନ୍ଦ୍ରଶେଖରପୁର: ରାଜଧାନୀରେ ଆବଶ୍ୟକତାଠାରୁ ଅଧିକ ଗଛ କାଟିପାରିବନି ବିଦ୍ୟୁତ୍‌ ବିଭାଗ। ବିଦ୍ୟୁତ୍‌ ତାର କିମ୍ବା ଖୁଣ୍ଟିକୁ ଗଛ ଯେତିକି ପ୍ରଭାବିତ କରୁଥିବ ବିଦ୍ୟୁତ୍‌ ବିଭାଗର କର୍ମଚାରୀ ସେତିକି ହିଁ କାଟିବେ। ତା’ଠାରୁ ଅଧିକ କାଟିପାରିବେ ନାହିଁ। ଯଦି କୌଣସି ସ୍ଥାନରେ ଆବଶ୍ୟକତାଠାରୁ ଅଧିକ ଗଛ କଟା ଯାଉଥିବା ଦୃଷ୍ଟିକୁ ଆସେ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ସହରରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ବେପରୁଆ ଭାବେ ଗଛ କଟାକୁ ରୋକ ଲଗାଇବାକୁ ବିଏମ୍‌ସି (ଭୁବନେଶ୍ବର ମହାନଗର ନିଗମ) ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଟାଟା ପାୱାର ହାତକୁ ବିଦ୍ୟୁତ୍‌ ପରିଚାଳନା ଦାୟିତ୍ବ ଯିବା ପରେ ସହରରେ ବିଦ୍ୟୁତ୍‌ର ଭିତ୍ତିଭୂମି ସଜାଡ଼ିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଓ ଖୁଣ୍ଟରେ ଲାଗୁଥିବା ଗଛ କାଟିବା ଦିଗରେ ପଦକ୍ଷେପ ନିଆଯାଇଛି। ତେବେ‌ କେତେକ ସ୍ଥାନରେ ଆବଶ୍ୟକତାଠାରୁ ଅଧିକ ପରିଣାମର ଗଛ କଟା ଯାଉଛି। ଏମିତିକି ଗୋଟିଏ ଦୁଇଟି ସ୍ଥାନରେ ଗଛର ଅଧାରୁ କାଟି ଦିଆଯାଇଥିଲା। ନଭେମ୍ବର ଦ୍ବିତୀୟ ସପ୍ତାହରେ ବିଡିଏ କାର୍ଯ୍ୟାଳୟ ନିକଟରେ ଆବଶ୍ୟକତା ନ ଥିଲେ ମଧ୍ୟ ଗଛକୁ ଅଧିକ କଟାଯାଇଥିଲା। ଯାହାକୁ ନେଇ ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ ଅସନ୍ତୋଷ ପ୍ରକାଶ କରି ବେଧଡ଼କ ଗଛ କଟା ଉପରେ ରୋକ ଲଗାଇବାକୁ ପରାମର୍ଶ ଦେଇଥିଲେ। ବିଦ୍ୟୁତ୍‌ ଖୁଣ୍ଟ ଓ ତାର ଉପରକୁ ଯେତିକି ଗଛ ବଢ଼ିଥିବ ବିଦ୍ୟୁତ୍‌ ବିଭାଗର କର୍ମଚାରୀ କେ‌ବଳ ସେତିକି ହିଁ କାଟି‌‌ବେ। ତା’ଠାରୁ ଅଧିକ ନ କାଟିବାକୁ କହିଥିଲେ।

ଏଭଳି ଘଟଣା ନଜରକୁ ଆସିବା ପରେ ଟାଟା ପାୱାର ପକ୍ଷରୁ ଭୁବନେଶ୍ବର ସହରର ୩ଟି ଯାକ ବିଦ୍ୟୁତ୍‌ ଡିଭିଜନ୍‌କୁ ସଜାଗ କରାଯାଇଛି। କୌଣସି ସ୍ଥାନ‌ରେ ଆବଶ୍ୟକତାଠାରୁ ଅଧିକ ଗଛ ନ କାଟିବାକୁ ପରାମର୍ଶ ଦିଆଯାଇଛି। ଗଛ ବଦଳରେ ନିୟମିତ ବ୍ୟବଧାନରେ ଡାଳ କାଟିବାକୁ କୁହାଯାଇଛି। ଏମିତିକି ଗତ ସପ୍ତାହେ ହେଲା ବିସିଡିଡି-୧, ବିସିଡିଡି-୨, ଭୁବନେଶ୍ବର ରୁରାଲ ଡିଭିଜନ୍‌ର ୪୦ରୁ ଅଧିକ ସେକ୍ସନରେ ଗଛ କଟାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଆହୁରି କୁହାଯାଇଛି ଯେ ଜରୁରୀ କାର୍ଯ୍ୟ ଲାଗି ଯଦି ଅଧିକ ଗଛ କାଟିବାକୁ ହୁଏ, ତେବେ ବିଏମ୍‌ସିର ଅନୁମତି ଆଣିବାକୁ ପଡ଼ିବ। ବିଭାଗର ଜଣେ ଅଧିକାରୀଙ୍କ କହିଛନ୍ତି ଯେ ବଡ଼ ବଡ଼ ଗଛ ଦ୍ବାରା ଏଲ୍‌ଟି ଓ ୧୧ କେଭି ବିଦ୍ୟୁତ୍‌ ତାର ବହୁ ପରିମାଣରେ ପ୍ରଭାବିତ ହେଉଛି। ବର୍ଷା ପବନ ହେବା ସମୟରେ ବିଦ୍ୟୁତ୍‌ ତାର ଉପରେ ଗଛ ଭାଙ୍ଗି ପଡ଼ିବାରୁ କ୍ଷତି ହେଉଛି। ଫଳରେ ମରାମତି ଲାଗି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ ସରବରାହ କାଟିବାକୁ ପଡ଼ୁଛି। ତେଣୁ ଆମେ ବାଧ୍ୟ ହୋଇ ଗଛ କାଟୁଛୁ। ତେବେ କିଛି ଦିନ ତଳେ କର୍ମଚାରୀଙ୍କ ଅସାବଧାନତା ଲାଗି କେତେକ ସ୍ଥାନରେ ଗଛଗୁଡ଼ିକ ଅଧିକ ପରିମାଣରେ କଟାଯାଇଥିଲା। ଏବେ ତାହାକୁ ବନ୍ଦ କରାଯାଇଛି। ବିଏମ୍‌ସିରୁ ନିର୍ଦ୍ଦେଶ ଆସିବା ପରେ ତାହାକୁ ଆଧାର କରି ଟାଟା ପାୱାର ପକ୍ଷରୁ ଖୁବ୍‌ଶୀଘ୍ର ଏକ ଗାଇଡ୍‌ଲାଇନ୍‌ ଜାରି କରିବ। କେଉଁ ସ୍ଥାନରେ କେ‌ତେ ପରିମାଣର ଗଛ କଟାଯିବ, କେତେ ଦିନ ଅନ୍ତରରେ ଗଛର ଡାଳ କଟାଯିବା ଆବଶ୍ୟକ, ସେନେଇ ଗାଇଡ୍‌ଲାଇନ୍‌‌ରେ ଉଲ୍ଲେଖ ରହିବ।

ସମ୍ବନ୍ଧିତ ଖବର