ଭୁବନେଶ୍ବର : ରାଜଧାନୀରେ ବାଣ ବିକ୍ରି ଓ ଫୁଟାଇବାକୁ ନେଇ କମିସନରେଟ୍‌ ପୁଲିସ୍‌ ନିର୍ଦ୍ଦେଶାବଳୀ ଜାରି କରିଛି। ଦୀପାବଳି ରାତିରେ ମାତ୍ର ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ମିଳିଛି। ଲୋକେ ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ କୁହାଯାଇଛି। ଏହା ପରେ କିମ୍ବା ପୂର୍ବରୁ ବାଣ ଫୁଟାଉଥିବା ନଜରକୁ ଆସିଲେ, ସଂପୃକ୍ତ ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯିବ। ସେହିପରି ବାଣ ଦୋକାନ ଖୋଲିବାକୁ ପୁଲିସ୍‌ ପକ୍ଷରୁ ରାଜଧାନୀର ୩୦ଟି ଖୋଲା ସ୍ଥାନ ଚିହ୍ନଟ କରାଯାଇଛି। ଭୁବନେଶ୍ବର ଓ ଏହାର ଉପକଣ୍ଠ ସମେତ ୧୦ଟି ଥାନା ଅଧୀନରେ ଆସୁଥିବା ଏହି ଖୋଲାସ୍ଥାନ ବା କ୍ଲଷ୍ଟର୍‌ରେ ୧୫୦୦ ବାଣ ଦୋକାନ ଖୋଲିବାକୁ ପ୍ରସ୍ତୁତି କରାଯାଇଛି। ପ୍ରତି କ୍ଲଷ୍ଟର୍‌ରେ ସର୍ବାଧିକ ୫୦ଟି ଦୋକାନ ଖୋଲିବ ଓ ପ୍ରତି ଦୋକାନ ମଧ୍ୟରେ ୩ମିଟର ଦୂରତା ରହିବା ସହ ସମାନ୍ତରାଳ ଭାବେ ଦୋକାନଗୁଡ଼ିକ ଖୋଲିବ। କେବଳ ଏହି ୩୦ଟି ସ୍ଥାନରେ ହିଁ ବାଣ ବିକ୍ରି ହୋଇପାରିବ। ଅନ୍ୟ କେଉଁ ସ୍ଥାନରେ ବିକ୍ରି ହେଉଥିବାର ପରିଲକ୍ଷିତ ହେଲେ ସଂପୃକ୍ତ ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କ ଦୋକାନ ସିଲ୍‌ କରାଯିବ ବୋଲି ପୁଲିସ୍‌ ଚେତାବନୀ ଦେଇଛି। ଏଭଳି କୌଣସି ବେଆଇନ ବାଣ ଦୋକାନ ନଜରକୁ ଆସିଲେ, ସୂଚନା ଦେବା ପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଷ୍ଟ୍ରିଟ୍‌ କ୍ରାଇମ୍‌ ହ୍ବାଟସ୍‌ଆପ୍‌ ନମ୍ବର ୭୦୭୭୭୯୮୧୧୧ ଜାରି କରାଯାଇଛି।

Advertisment

ଅପରପକ୍ଷେ ସୁରକ୍ଷା ଦୃଷ୍ଟିରୁ ବ୍ୟବସାୟୀମାନେ ଅଗ୍ନି ନିରୋଧୀ ଅର୍ଥାତ୍ ଟିଣ ଚଦର ନଚେତ୍ ଆଜ୍‌ବେଷ୍ଟସ୍‌ରେ ଦୋକାନ କରିବେ। ପ୍ରତି ଦୋକାନର ସୀମାରେଖା ୧୦ରୁ ୧୨ବର୍ଗମିଟର ରହିବ। ସାମ୍ନାସାମ୍ନି ବା ମୁହାଁମୁହିଁ ଦୋକାନ ଖୋଲିବ ନାହିଁ। ଦୋକାନଗୁଡ଼ିକରେ ତେଲ, ଲଣ୍ଠନ, କ୍ୟାଣ୍ଡେଲ୍ ଆଦି ରହିବ ନାହିଁ। ଏହାସହ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲେ ସେଗୁଡ଼ିକ କାନ୍ଥ ବା ସିଲିଂ ଦ୍ବାରା ଯୋଡ଼ି ହୋଇରହିବ। ଅପରପକ୍ଷେ ପେଟ୍ରୋଲିୟମ୍ ଆଣ୍ଡ୍ ଏକ୍ସପ୍ଲୋସିଭ୍ସ ସେଫ୍ଟି ଅର୍ଗାନାଇଜେସନ୍(ପେସୋ) ଦ୍ବାରା ସ୍ବୀକୃତିପ୍ରାପ୍ତ କମ୍ ଶବ୍ଦ ଓ ପ୍ରଦୂଷଣଯୁକ୍ତ ବାଣ ବିକ୍ରି ପାଇଁ ଅନୁମତି ରହିଛି। ସେହିଭଳି ଲମ୍ବା ସମୟ ଧରି ଫୁଟୁଥିବା ବାଣ ବିକ୍ରି ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ସବୁଜ ବାଣ ବିକ୍ରିକୁ ଅଧିକ ପ୍ରୋତ୍ସାହିତ କରାଯାଇଛି। ବାଣ କିଣିବା ପାଇଁ ଲାଇସେନ୍ସପ୍ରାପ୍ତ ଦୋକାନରୁ ହିଁ କିଣିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ୨୫ଡେସିବେଲ୍‌ରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇଲେ ଜରିମାନା ଆଦାୟ କରାଯିବ। ଅନଲାଇନ୍ ବାଣ ବିକ୍ରି ସଂପୂର୍ଣ୍ଣ ନିଷେଧ ବୋଲି ବିଜ୍ଞପ୍ତି ଜାରି ହୋଇଛି। ସେହିଭଳି ଅଧିକ ପ୍ରଦୂଷଣଯୁକ୍ତ ଚାଇନା ବା ବିଦେଶୀ ବାଣ ବିକ୍ରି କରିବା ବା ଫୁଟାଇବାକୁ ବାରଣ କରାଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, କୋର୍ଟ ଓ ନିଷିଦ୍ଧାଞ୍ଚଳର ୧୦୦ମିଟର ପରିଧିରେ ବାଣ ଫୁଟାଇବାକୁ ନେଇ କଟକଣା ଜାରି ହୋଇଛି।