ମୂର୍ତ୍ତି ବିସର୍ଜନରେ ବି ୭ଜଣ, ବିସର୍ଜନ ପାଇଁ ଶୋଭାଯାତ୍ରା ହେବନି

ଡାଲା ଅଟୋରେ ଯିବେ ମା', ବିଏମ୍‌ସିର ୫ଟି ସ୍କ୍ବାଡ୍‌ ଜଗିବ, ୧୮୦ ମୂର୍ତ୍ତି ବିସର୍ଜନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ମଣ୍ଡପରେ ପୂଜା ବେଳେ ଯେପରି ସର୍ବାଧିକ ୭ଜଣ ରହିପାରିବେ ବୋଲି ଅନୁମତି ମିଳିଥିଲା, ବିସର୍ଜନ ପାଇଁ ମଧ୍ୟ ୭ଜଣଙ୍କୁ ଅନୁମତି ମିଳିଛି। ଗୋଟିଏ ପୂଜା କମିଟିର ୭ଜଣ ସଦସ୍ୟ ମା’ଙ୍କ ପ୍ରତିମୂର୍ତ୍ତି ବିସର୍ଜନ କରିବାକୁ ନେବେ। ଏନେଇ କମିସନରେଟ୍ ପୁଲିସ ଓ ବିଏମ୍‌ସି ପକ୍ଷରୁ ସବୁ ପୂଜା କମିଟିକୁ ଜଣାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପୂଜା କମିଟିଗୁଡ଼ିକ ମା’ଙ୍କ ପ୍ରତିମୂର୍ତ୍ତିକୁ କେଉଁଠି ବିସର୍ଜନ କରିବେ, ସେନେଇ ସ୍ଥାନୀୟ ଥାନାକୁ ଜଣାଇବେ। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ସେମାନେ ଟାଟା ଏସିଇ କିମ୍ବା ଡାଲା ଅଟୋରେ ବିସର୍ଜନ ପାଇଁ ନେବେ। କୌଣସି କମିଟି ମିନି ଟ୍ରକ୍‌ କିମ୍ବା ବଡ଼ ଗାଡ଼ିରେ ମା’ଙ୍କୁ ବିସର୍ଜନ କରିବାକୁ ନେଇପାରିବେନି। ଶୋଭାଯାତ୍ରା ହେବନି କି କୌଣସି ପ୍ରକାରର ଡିଜେ କି ମାଇକ୍‌ ବାଜିବନି। ଗାଁ, କଲୋନି କି ବିଭିନ୍ନ ଅଞ୍ଚଳ ମା’ଙ୍କୁ ବୁଲାଯିବନି। କେବଳ ଘଣ୍ଟ ବଜାଇ ମା’ଙ୍କୁ ମଣ୍ଡପରୁ ନଦୀ କୂଳକୁ ବିସର୍ଜନ ପାଇଁ ନିଆଯିବ। ଯେଉଁ ଅଞ୍ଚଳର ମୂର୍ତ୍ତି ବିସର୍ଜନ ପାଇଁ ଯିବ, ତା’ ପଛରେ ସ୍ଥାନୀୟ ଥାନାର ଏକ ପିସିଆର୍ ଯିବ। ନଦୀବନ୍ଧରେ ମା’ଙ୍କୁ ଛାଡ଼ି ଗାଡ଼ି ଆସିବ।

ଏହାପରେ ବିଏମ୍‌ସି କର୍ତ୍ତୃପକ୍ଷ ମା’ଙ୍କ ବିସର୍ଜନ କରିବେ। ନଦୀବନ୍ଧରୁ କୃତ୍ରିମ ‌ପୋଖରୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସରିଥିବା ବେଳେ ଆଜି ରାତିରେ ଲାଇଟ୍‌ ଲାଗିବ। ଆଜି ରାତିରୁ ଯିଏ ଚାହିଁବେ ବିସର୍ଜନ କରିପାରିବେ। ବୁଧବାର ସକାଳ ପର୍ଯ୍ୟନ୍ତ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ରାଜଧାନୀର ତିନିଟି ପ୍ରମୁଖ ନଦୀ କୁଆଖାଇ, ଦୟା, ଭାର୍ଗବୀ କୂଳରେ ୪ଟି କୃତ୍ରିମ ପୁଷ୍କରିଣୀ ଖୋଳା ଯାଇଛି। ପ୍ର‌ାୟ ୧୮୦ଟି ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ବ୍ୟବସ୍ଥା କରାଯାଇଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ପୂଜା କମିଟିଗୁଡ଼ିକ ସୋମବାର ରାତିରୁ ଏହି ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିପାରିବେ। ଏଥିପାଇଁ ୪ଟି ପୁଷ୍କରିଣୀ ଖୋଳା ଯାଇଛି। କୁଆଖାଇ ନଦୀକୂଳରେ ଦୁଇଟି ପୋଖରୀ ଖୋଳା ଯାଇଛି। ୩୭ ମିଟର ଲମ୍ବ ୨୬ ମିଟର ଓସାର ଏବଂ ୨୫ ମିଟର ଲମ୍ବ ଓ ୨୦ ମିଟର ଓସାରର ଦୁଇଟି ପୋଖରୀ ଖୋଳା ଯାଇଛି। ଏଠାରେ ୧୦୦ଟି ପ୍ରତିମୂର୍ତ୍ତି ବିସର୍ଜନ ହୋଇପାରିବ।

ସେହିପରି ଟଙ୍କପାଣି ବ୍ରିଜ୍‌ ନିକଟରେ ୨୫ ମିଟର ଲମ୍ବ ୧୫ ମିଟର ଓସାର‌ରେ ଏବଂ ଦୟା ବ୍ରିଜ୍‌ ନିକଟରେ ୨୫ ମିଟର ଲମ୍ବ ୧୦ ମିଟର ଓସାରରେ ପୁଷ୍କରିଣୀ ଖୋଳା ଯାଇଛି। ଏଠାରେ ମୋଟ୍‌ ୮୦ଟି ମୂର୍ତ୍ତି ବିସର୍ଜନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପୁଷ୍କରିଣୀ ୩ ମିଟର ଗଭୀରର ହୋଇଛି। ମୂର୍ତ୍ତିଗୁଡ଼ିକୁ ଗାଡ଼ିକୁ ଗାଡ଼ିରୁ ଉଠାଇ ପୋଖରୀରେ ପକାଇବାକୁ ୪ଟି ପୋଖରୀ ନିକଟରେ ୪ଟି ହାଇଡ୍ରା ରଖାଯାଇଛି। ଏହାସହ ୪ଟି ଜେସିବି ରଖାଯାଇଛି। ପୋଖରୀ ଭର୍ତ୍ତି ହୋଇଗଲେ ଜେସିବି ତାକୁ କାଢ଼ି ଦେବ। ବିସର୍ଜନ ପୋଖରୀ ନିକଟରେ ଯେପରି କିଛି ସମସ୍ୟା ନହେବ, ସେଥିପାଇଁ ପ୍ରତି ପୋଖରୀ‌ରେ ୫ଜଣ ଲେଖାଏଁ ଶ୍ରମିକଙ୍କୁ ନିୟୋଜିତ କରାଯିବ। ଏହାସହ ସଫେଇ କର୍ମଚାରୀ ରହିବେ।

ଏହି ସବୁ ବ୍ୟବସ୍ଥାକୁ ଯାଞ୍ଚ କରିବାକୁ ବିଏମ୍‌ସିର ୫ଟି ସ୍କ୍ବାଡ୍‌ ଗଠନ ହୋଇଛି। ଏହି ସ୍କ୍ବାଡ୍‌ ପୂରା ବିସର୍ଜନ ପ୍ରକ୍ରିୟା ଉପରେ ନଜର ରଖିବ। ରାଜଧାନୀ ଶାନ୍ତି କମିଟିର ସମ୍ପାଦକ ନବକିଶୋର ବେହେରା କହିଛନ୍ତି ଯେ ବିଏମ୍‌ସି, କମିସନରେଟ୍‌ ପୁଲିସ ଏବଂ ସମସ୍ତ ପୂଜା କମିଟିକୁ ନେଇ ହୋଇଥିବା ଆଲୋଚନା ଅନୁଯାୟୀ ଆମେ ପୂଜା ଶେଷ କଲୁ। ଏବେ ଯାହା ନିୟମ ହୋଇଛି ସେହି ଅନୁଯାୟୀ ବିସର୍ଜନ କରିବୁ। ସବୁ ପୂଜା କମିଟି ଏନେଇ ସଚେତନ ଅଛନ୍ତି। କେହି ସାମାଜିକ ଦୂରତା ନିୟମ ଭାଙ୍ଗିବେନି କି କୌଣସି ପ୍ରକାରର ଶୋଭାଯାତ୍ରା କରିବେନି ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର