ଭୁବନେଶ୍ବର: ବଢ଼ିବ ଭୁବନେଶ୍ବର ମହାନଗରନିଗମର କାୟା। ବଦଳିବ ସହର ଉପକଣ୍ଠ ଅଞ୍ଚଳର ଚେହେରା। ସହର ସହ ସହରତଳି ଅଞ୍ଚଳର ହେବ ସମନ୍ବିତ ବିକାଶ। ଏ ନେଇ ମାଷ୍ଟର୍‌ପ୍ଲାନ୍‌ ପ୍ରସ୍ତୁତ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ପ୍ରକ୍ରିୟା ଆରମ୍ଭ କରିଛି ବିଡିଏ। ଏଥିପାଇଁ ଜମି ଅଧିଗ୍ରହଣ ବଦଳରେ ଜମି ସଂଗ୍ରହ (ଲ୍ୟାଣ୍ଡ୍ ପୁଲିଂ) କରାଯାଉଛି। ବିକାଶ ପାଇଁ ଗୁଜରାଟ ଟାଉନ୍ ପ୍ଲାନିଂ ମଡେଲ ଆପଣା ଯାଇଛି। ବିକଶିତ ଓଡ଼ିଶାର ଅଂଶବିଶେଷ ସ୍ବରୂପ ୨୦୩୬ ମସିହା ସୁଦ୍ଧା ଟାଉନ୍‌ ପ୍ଲାନିଂ ଯୋଜନାରେ ଏହି ଲକ୍ଷ୍ୟକୁ ସାକାର ରୂପ ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଭୁବନେଶ୍ବର ମହାନଗର ନିଗମରେ ଏହା ସଫଳ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପୁରୀ, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁରରେ ଏହା କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି।  ଅଞ୍ଚଳବାସୀଙ୍କ ସହଯୋଗକ୍ରମେ ପ୍ରାଥମିକ ପର୍ଯ୍ୟାୟରେ ଟାଉନ୍ ପ୍ଲାନିଂ ଯୋଜନାରେ ଭୁବନେଶ୍ବରର ୧୫୭୭ ଏକର ଅଞ୍ଚଳର ବିକାଶ କାମ ଆରମ୍ଭ ହୋଇଛି।

Advertisment

ପାଇକରାପୁର, ସିଜିପୁଟ, ନାରଗୋଦା, ସହଜପୁର, ତମାଣ୍ଡୋ, ବିଜିପୁର, ନୂଆଗାଁ ଓ ଶ୍ୟାମସୁନ୍ଦରପୁର ରାଜସ୍ବ ଗ୍ରାମ ଏହାର ଅନ୍ତର୍ଭୁକ୍ତ ରହିଛି। ଯେଉଁଠି ରାଜ୍ୟ ସରକାର ବିଡିଏ ଜରିଆରେ ରାସ୍ତାଘାଟ, ପାନୀୟ ଜଳ, ବିଜୁଳି, ଡ୍ରେନେଜ୍‌, ପାର୍କ ଆଦି ସୁବିଧା କରୁଛନ୍ତି। ଏ ଉପରେ ଗତ ମାସ ୨୯ ତାରିଖରେ ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ କାର୍ଯ୍ୟକୁ ତ୍ବରିତ ବେଗରେ ଆଗେଇ ନେବାକୁ ନିଷ୍ପତ୍ତି ହୋଇଛି।

ଭୁବନେଶ୍ବର ମହାନଗର ନିଗମରେ ସହର ଭିତରେ ବିକାଶ ଯେଉଁଭଳି ଦ୍ରୁତଗତିରେ ଚାଲିଛି, ସେହି ଅନୁସାରେ ସହରତଳି ଅଞ୍ଚଳ ବିକାଶ ହୋଇନାହିଁ। ଫଳରେ ଅଣସଂଗଠିତ ସହର ଗଢ଼ି ଉଠୁଛି, ଜବରଦଖଲ ବି ବଢ଼ିଚାଲିଛି। ବିଲ୍ଡରମାନେ ରାସ୍ତା ପାଖ ଜମିକୁ ଅଧିକ ଦରରେ କିଣିବା ପରେ ରାସ୍ତାଠାରୁ ଦୂରରେ ଅବା ରାସ୍ତା ନଥିବା ଜମିକୁ ଜମିମାଲିକଙ୍କଠାରୁ ଶାଗମାଛ ଦରରେ କିଣି ନେଉଛନ୍ତି। ଅପରପକ୍ଷେ ସାଧାରଣ ଲୋକେ ବିଲ୍ଡରଙ୍କଠାରୁ ଘର କିଣିବା ପରେ ମୌଳିକ ସୁବିଧା ପାଇଁ କଲବଲ ହେଉଛନ୍ତି। କିନ୍ତୁ ବିଡିଏର ଟାଉନ୍ ପ୍ଲାନିଂ ଯୋଜନାରେ ଆଉ ଏହି ସମସ୍ୟା ରହିବନି। ସୂଚନାଯୋଗ୍ୟ, ୨୦୧୪-୧୫ ଆର୍ଥିକ ବର୍ଷରେ ଭୁବନେଶ୍ବର ମହାନଗର ନିଗମରେ ଟାଉନ୍ ପ୍ଲାନିଂ ଯୋଜନା ଆରମ୍ଭ ହୋଇଥିଲା। କିନ୍ତୁ ନେତା ଓ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏହା ସଫଳ ରୂପାୟନ ହୋଇପାରି ନଥିଲା। ରାଜ୍ୟରେ ନୂଆ ବିଜେପି ସରକାର ଆସିବା ପରେ ଟାଉନ୍ ପ୍ଲାନିଂ ଯୋଜନାକୁ ଗୁରୁତ୍ବର ସହ ନେଇଛନ୍ତି।

ବିକାଶର ରୂପରେଖ
ଟାଉନ୍ ପ୍ଲାନିଂ ଯୋଜନାରେ ଭୁବନେଶ୍ବରର ୫୮ଟି ରାଜସ୍ବ ଗ୍ରାମକୁ ସାମିଲ କରାଯାଇଛି। ମୋଟ୍‌ ୯୧୭୨ ଏକର ଅଞ୍ଚଳର ବିକାଶ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୪ଟି ଜୋନ୍‌ରେ ୪୫ଟି ଟାଉନ୍ ପ୍ଲାନିଂ ଯୋଜନା ପ୍ରସ୍ତୁତ କରାଯାଇଛି। ତମାଣ୍ଡୋରୁ ଚନ୍ଦକା ପର୍ଯ୍ୟନ୍ତ ଜୋନ୍-୧, ଚନ୍ଦକାରୁ ପାହାଳ ପର୍ଯ୍ୟନ୍ତ ଜୋନ୍-୨, ଜାତୀୟ ରାଜପଥ ୧୬ରୁ ଜାତୀୟ ରାଜପଥ ୩୧୬ ପର୍ଯ୍ୟନ୍ତ ଜୋନ୍-୩ ଓ ଧଉଳିଠାରୁ ତମାଣ୍ଡୋ ପର୍ଯ୍ୟନ୍ତ ଜୋନ୍-୪ରେ ରହିଛି। ସେହିଭଳି ଜୋନ୍-୧ରେ ୧୩ଟି, ଜୋନ୍-୨ରେ ୧୫ଟି, ଜୋନ୍-୩ରେ ୮ଟି ଓ ଜୋନ୍-୪ରେ ୨୨ଟି ରାଜସ୍ବ ଗ୍ରାମ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଜୋନ୍-୧ର ୩ଟି ଓ ଜୋନ୍-୨ର ଗୋଟିଏ ଟାଉନ୍ ପ୍ଲାନିଂର କାମ ଚାଲିଛି। ମୁଖ୍ୟ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ରାଜ୍ୟ ସରକାର ୧୬୪ କୋଟି ଟଙ୍କା, ପାଣି, ନାଳ ଓ ବିଜୁଳି ପାଇଁ ବିଡିଏକୁ ୨୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଛୋଟ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାର ବିଡିଏକୁ ୧୧୬ କୋଟି ଟଙ୍କା (ଅର୍ବ‌ାନ ରିଫର୍ମ) ପ୍ରଦାନ କରିଥିଲେ, ଯାହା ଖର୍ଚ୍ଚ ହୋଇ ବିନିଯୋଗ ପ୍ରମାଣପତ୍ର ଦିଆସରିଛି ବୋଲି ବିଡିଏ ଡେପୁଟି କମିସନର୍ (ଟାଉନ୍ ପ୍ଲାନିଂ) ଭବତାରଣ ସାହୁ କହିଛନ୍ତି।   

ଗୁଜରାଟ ଟାଉନ୍ ପ୍ଲାନିଂ ମଡେଲ୍ କ’ଣ?
ବିଡିଏ ଡେପୁଟି କମିସନର୍ (ଟାଉନ୍ ପ୍ଲାନିଂ) ଭବତାରଣ ସାହୁ କହିଛନ୍ତି, ଗୁଜରାଟ ସରକାର ଟାଉନ୍ ପ୍ଲାନିଂ ଯୋଜନାରେ, ଲୋକଙ୍କ ଜମି ନେଇ ରାସ୍ତାଘାଟ, ବିଜୁଳି, ପାଣି, ପାର୍କ ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣ ଓ ବିକାଶ କାମ କରୁଛନ୍ତି। ଏଥିପାଇଁ ଜମିର ୪୦ ପ୍ରତିଶତ ବିନିଯୋଗ ହେଉଛି। ବାକି ୬୦ ପ୍ରତିଶତ ଜମିକୁ ସରକାର ଆୟତାକାର ଅବା ବର୍ଗାକାରରେ ଜମିମାଲିକଙ୍କୁ ଯୋଗାଇ ଦେଉଛନ୍ତି। ଯଦ୍ବାରା ଜମି ଆଉ ଅଣଓସାରିଆ ରହୁନାହିଁ। ବିଡିଏ ପକ୍ଷରୁ ଲୋକଙ୍କୁ ଗୁଜରାଟର ଟାଉନ୍ ପ୍ଲାନିଂ ଯୋଜନାରେ ସାମିଲ୍ ହୋଇଥିବା ଅହମଦାବାଦ୍ ସହ ଅନ୍ୟ ରାଜ୍ୟକୁ ବୁଲାଇବାକୁ ନିଆଯାଇଥିଲା। ଏହାପରେ ଲୋକେ ସେମାନଙ୍କ ଅଞ୍ଚଳର ଏଭଳି ବିକାଶ ପାଇଁ ନିଜ ତରଫରୁ ଆବେଦନ କରିଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।