ଭୁବନେଶ୍ବର: ଝାରସୁଗୁଡ଼ା ଜିଲ୍ଲାରେ ଲାଗୁ ହେବାକୁ ଯାଉଛି ଗୁଜରାଟ ମଡେଲ ଟାଉନ୍‌ ପ୍ଲାନିଂ। ଏହା ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନୀଲ ନରବଣେଙ୍କ ସହ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ବର ଆସି ଗୁଜରାଟ ମଡେଲ୍‌ ଟାଉନ୍‌ ପ୍ଲାନିଂ ଯୋଜନାର ରୂପରେଖ ଓ କାମ ଦେଖିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀଙ୍କୁ ଭେଟି ଏହି ଟାଉନ୍‌ ପ୍ଲାନିଂ ମଡେଲ ଉପରେ ଆଲୋଚନା କରିଛନ୍ତି। ପରେ ବିଡିଏ ଅଧିକାରୀଙ୍କ ସହ ଏହି ନୂଆ ଟାଉନ୍‌ ପ୍ଲାନିଂ ସ୍କିମ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଶ୍ରୀମତୀ ନରବଣେ ପାଇକରାପୁର ଓ ବିଜିପୁରଠାରେ ଚାଲିଥିବା ଗୁଜରାଟ ମଡେଲ୍ ଟାଉନ୍‌ ପ୍ଲାନିଂ ଯୋଜନାର କାମ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ। 

Advertisment

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଶତ୍ରୁଘ୍ନ କର, ବିଡିଏ ଡେପୁଟି କମିସନର୍(ଟାଉନ୍‌ ପ୍ଲାନିଂ) ଭବତାରଣ ସାହୁ, ଜିଲ୍ଲାପାଳ ଶ୍ରୀମତୀ ନରବଣେଙ୍କୁ ଭୁବନେଶ୍ବରରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ୪୫ଟି ଟାଉନ୍‌ ପ୍ଲାନିଂ ଯୋଜନାର ରୂପରେଖ ସଂପର୍କରେ ବୁଝାଇଥିଲେ। ଜମି ଅଧିଗ୍ରହଣ ବଦଳରେ କିଭଳି ଜମି ସଂଗ୍ରହ (ଲ୍ୟାଣ୍ଡ ପୁଲିଂ) ଉପାୟରେ ସହରତଳି ଅଞ୍ଚଳର ବିକାଶ ହେଉଛି ବୁଝାଇଥିଲେ। ଓଡ଼ିଶାରେ ଏହା କାର୍ଯ୍ୟକାରୀ ହେଲେ, ସାଧାରଣ ଲୋକେ ଅନେକ ସୁବିଧା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଗୁଜରାଟ ଟାଉନ୍‌ ପ୍ଲାନିଂ ଯୋଜନାରେ ଜମି ମାଲିକଙ୍କଠାରୁ ୪୦ ପ୍ରତିଶତ ଜମି ଆଣି ସେଥିରେ ରାସ୍ତା, ପାଣି, ବିଜୁଳି, ପାର୍କ ଆଦିର ସୁବିଧା କରାଯାଉଛି, ଯଦ୍ବାରା ସଂପୃକ୍ତ ଲୋକଙ୍କ ଜମିର ମୂଲ୍ୟ ବଢ଼ିବା ସହ ଆର୍ଥିକ ଦୃଷ୍ଟିରେ ଜମି ମାଲିକ ସ୍ବଚ୍ଛଳ ହୋଇପାରୁଛନ୍ତି ବୋଲି ଶ୍ରୀ ସାହୁ କହିଥିଲେ।