ଭୁବନେଶ୍ବର: ଭୁବନେଶ୍ବର ପରେ ରାଜ୍ୟର ଅନ୍ୟ ସହର ଓ ସହରତଳି ଅଞ୍ଚଳର ସମନ୍ବିତ ବିକାଶ ପାଇଁ ଗୁଜରାଟ ମଡେଲ୍‌ର ଟାଉନ୍‌ ପ୍ଲାନିଂ ଯୋଜନା ଆପଣାଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ବର ମହାନଗର ନିଗମ ପାଇଁ ୪୫ଟି ଟାଉନ୍‌ ପ୍ଲାନିଂ ଯୋଜନା ପ୍ରସ୍ତୁତ ‌‌ହୋଇଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ୧୫୭୭ ଏକର ଅଞ୍ଚଳକୁ ନେଇ ଟାଉନ୍‌ ପ୍ଲାନିଂ ଯୋଜନା ୧, ୨, ୩ ଓ ୪ କାମ ଆରମ୍ଭ ହୋଇସାରିଛି। ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନର ଏକ ସ୍ବତନ୍ତ୍ର ଦଳ ଭୁବନେଶ୍ବର ମହାନଗର ନିଗମରେ ଚାଲିଥିବା ଏହି ଟାଉନ୍‌ ପ୍ଲାନିଂ ଯୋଜନା କାମ ଅନୁଧ୍ୟାନ କରିଛନ୍ତି। କ୍ଷେତ୍ର ପରିଦର୍ଶନ କରି କାମର ଲାଭପ୍ରଦ ଦିଗ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ବିଡିଏ ମୁଖ୍ୟ କାର୍ଯ୍ୟାଳୟରେ ବିଡିଏ ଅଧିକାରୀଙ୍କଠାରୁ ଟାଉନ୍‌ ପ୍ଲାନିଂ ଯୋଜନା କ’ଣ ଓ ଏହା କିଭଳି ସଫଳ ହେବ, କେଉଁ ଉପାୟରେ ଏହି ଯୋଜନାକୁ ପୂର୍ଣ୍ଣ ରୂପ ଦେଇ ହେବ ଓ ଏହାଦ୍ବାରା ଲୋକେ କିଭଳି ଲାଭବାନ ହୋଇପାରିବେ, ସେ ବାବଦରେ ପଚାରି ବୁଝିଛନ୍ତି। ସମ୍ବଲପୁର ସହରକୁ ଲାଗି ବିସ୍ତୀର୍ଣ୍ଣ ଖାଲି ଜାଗା ରହିଥିବା ବେଳେ ସେହି ଜାଗାରୁ ପ୍ରଥମ କରି ଟାଉନ୍‌ ପ୍ଲାନିଂ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ମାଇକ୍ରୋ ଓ ମାକ୍ରୋ ଯୋଜନା ପ୍ରସ୍ତୁତ କରାଯାଉଛି। 

Advertisment

ବିଡିଏ ଡେପୁଟି କମିସନର୍(ଟାଉନ୍‌ ପ୍ଲାନିଂ) ଭବତାରଣ ସାହୁ ସ୍ବତନ୍ତ୍ର ଦଳକୁ ଗୁଜରାଟ ମଡେଲ୍ ଟାଉନ୍‌ ପ୍ଲାନିଂ ଯୋଜନାର ରୂପରେଖ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ପରେ ବିଡିଏ ଅଧିକାରୀଙ୍କ ସହ ସମ୍ବଲପୁରର ଏହି ସ୍ବତନ୍ତ୍ର ଦଳ ପାଇକରାପୁର ସମେତ ୯ ରାଜସ୍ବ ଗ୍ରାମକୁ ନେଇ ବିକଶିତ ହେଉଥିବା ନୂଆ ଟାଉନ୍‌ ପ୍ଲାନିଂ ଯୋଜନା ଅଞ୍ଚଳ ପରିଦର୍ଶନ କରିଥିଲେ। ସମ୍ବଲପୁରର ଏହି ସ୍ବତନ୍ତ୍ର ଦଳ କହିଛନ୍ତି, ଶୀଘ୍ର ସମ୍ବଲପୁରରେ ଆମେ ଗୁଜରାଟ ମଡେଲ୍‌ର ଏହି ଟାଉନ୍‌ ପ୍ଲାନିଂ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛୁ। ଏହା ପୂର୍ବରୁ, ଭୁବନେଶ୍ବର ଟାଉନ୍‌ ପ୍ଲାନିଂ ଯୋଜନା ଅନୁଧ୍ୟାନ କଲୁ। ଏହି ଯୋଜନା ଦ୍ବାରା ଆମ ଅଞ୍ଚଳର ଲୋକଙ୍କ ଉଭୟ ଆର୍ଥିକ ଓ ସାମାଜିକ ବିକାଶ ସମ୍ଭବପର ହୋଇପାରିବ। ଏହି ଅବସରରେ ସମ୍ବଲପୁର ମହାନଗର ନିଗମ କମିସନର୍ ତଥା ସମ୍ବଲପୁର ଉନ୍ନୟକ କର୍ତ୍ତୃପକ୍ଷ ସଂପାଦକ ବେଦଭୂଷଣ,  ଆସିଷ୍ଟାଣ୍ଟ ଟାଉନ୍‌ ପ୍ଲାନର୍‌ ଶୁଭଲକ୍ଷ୍ମୀ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ। ବିଡିଏ ତରଫରୁ ଡେପୁଟି କମିସନର୍‌(ଟାଉନ୍‌ ପ୍ଲାନିଂ) ଶ୍ରୀ ସାହୁଙ୍କ ସହ ବିଡିଏ ପ୍ଲାନିଂ ସଦସ୍ୟ ମହମ୍ମଦ କ୍ୟୁ ଆଇ ଅଲ୍ଲୀ, ଆସିଷ୍ଟାଣ୍ଟ ଟାଉନ୍‌ ପ୍ଲାନର ମାନସୀ ମହାନ୍ତି, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରେବତୀ କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ଥିଲେ। 

ସୂଚନାଯୋଗ୍ୟ, ବିଡିଏର ୪୫ଟି ଟାଉନ୍‌ ପ୍ଲାନିଂ ଯୋଜନା ପାଇଁ ୮୪୮୦ କୋଟି ଟଙ୍କାର ବଡ଼ ବଜେଟ୍‌ ପ୍ରସ୍ତୁତ କରାଯାଇଛି। ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟର ଏହା ଅଂଶବିଶେଷ। ନୂଆ ଟାଉନ୍‌ ପ୍ଲାନିଂ ଯୋଜନାରେ ଭୁବନେଶ୍ବର ସହ ସମ୍ବଲପୁର, ପୁରୀ, କଟକ, ରାଉରକେଲା, ବ୍ରହ୍ମପୁର ସହର ଓ ସହରତଳି ଅଞ୍ଚଳର ବିକାଶ ଲକ୍ଷ୍ୟ ରଖାଯାଇଛି।