ଭୁବନେଶ୍ବର: ନାଚ, ଗୀତ ତା ସାଙ୍ଗକୁ କମେଡି। ଆଜି ଡଟ୍ଫେଷ୍ଟ ମଞ୍ଚରେ ଏଭଳି ଏକ ଫ୍ୟୁଜନ୍ ତିଆରି କରିଥିଲେ କପିଲ ଶର୍ମା ସୋ’ର ଫେମ୍ ‘ଡାକ୍ତର ଗୁଲାଟି’ ସୁନୀଲ ଗ୍ରୋଭର। ‘ରଙ୍ଗବତୀ ରଙ୍ଗବତୀ’ ଗୀତରେ ସେ ମଞ୍ଚ ପ୍ରବେଶ କରିଥିଲେ। ଏହା ପରେ ସେ ଦର୍ଶକଙ୍କୁ ଚଉକିରେ ବସାଇ ଦେଇ ନଥିଲେ। କେତେବେଳେ ଡାକ୍ତର ଗୁଲାଟି ତ’ କେତେବେଳେ ଅମିତାଭ ବଚ୍ଚନ, ଆଉ କେତେବେଳେ ଗୁଥି। କେତେବେଳେ ମଞ୍ଚ ଉପରେ ତ କେତେବେଳେ ମଞ୍ଚ ତଳେ ଦର୍ଶକଙ୍କ ଭିଡ଼ରେ। ସବୁ ଚରିତ୍ରରେ ସେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଶେଷ ପର୍ଯ୍ୟନ୍ତ।
ଡାକ୍ତର ଗୁଲାଟି ଚରିତ୍ରରେ ଅବତ୍ତୀର୍ଣ୍ଣ ହୋଇ ସେ ଦର୍ଶକଙ୍କ ଭିଡ଼କୁ ଆସି ଯାଇଥିଲେ। ସେଠାରେ ଦର୍ଶକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ କିଏ କେଉଁ ଗୁଣରେ ଭରପୂର, ତାହା ଦର୍ଶାଇଥିଲେ। ଏହା ପରେ ସେ ଅମିତାଭ ବଚ୍ଚନ ଚରିତ୍ରରେ ଓହ୍ଲାଇଥିଲେ। ‘କୌନ ବନେଗା କରୋଡ୍ପତି’ ଭଳି ସେ ‘କୌନ ବନେଗା ଚାୟ ପତି’ ସୋ ଆରମ୍ଭ କରିଥିଲେ। ଦର୍ଶକଙ୍କ ଭିତରୁ ଜୀବନଜ୍ୟୋତି ଓ ରୋଜାଲିନ୍ ହଟ୍ସିଟ୍ରେ ବସିଥିଲେ। ମଜାଦାର ପ୍ରଶ୍ନ ଓ ମଜାଦାର ଉତ୍ତରରେ ସେ ଉଭୟ ପତି-ପତ୍ନୀଙ୍କ ସମେତ ହଜାର ହଜାର ଦର୍ଶକଙ୍କୁ ହାସ୍ୟରସରେ ବୁଡ଼ାଇ ଦେଇଥିଲେ। ଏହା ପରେ ସେ ମହିଳା ବେଶରେ ଗୁଥି ହୋଇ ମଞ୍ଚକୁ ଆସିଥିଲେ। ଦର୍ଶକଙ୍କ ଭିଡ଼ରୁ ୨୦ରୁ ଊର୍ଦ୍ଧ୍ବ ଯୁବତୀଙ୍କୁ ଡାକିନେଇ ନାଚିଥିଲେ। ମଞ୍ଚ ଉପରେ ଯେମିତି ନାଚ ମଞ୍ଚ ତଳେ ବି ସେମିତି ନାଚିଥିଲେ ଦର୍ଶକ।
ସେ ଦର୍ଶକଙ୍କୁ ଆପଣମାନେ ଖୁସି ତ? ବୋଲି ପଚାରିଥିଲେ। ଭୁବନେଶ୍ବର ଆସି ସେ ବି ବହୁତ ଖୁସି ବୋଲି କହିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓଡ଼ିଆ ଗାୟକ ଶଶାଙ୍କ ଶେଖରଙ୍କ ଗୀତରୁ। ଆହେ ନୀଳଶଇଳ... ଗୀତରୁ ସେ ତାଙ୍କର ପରିବେଷଣ ଆରମ୍ଭ କରିଥିଲେ। ତାଙ୍କର କେଶରିଆ ତେରେ..., ଓ ହସୀନା ଜୁଲେ୍ଫାଁ ୱାଲି..., ହିରା ମୋତି ମୈନା ଚାହୁଁ... ଭଳି ଗୀତ ଦର୍ଶକ ପସନ୍ଦ କରିଥିଲେ। ଶେଷରେ ଆସିଥିଲେ ବଲିଉଡ୍ ଗାୟିକା ଶିଳ୍ପା ରାଓ। ତୋସେ ନୈନା ଲାଗେ..., ମୌଲା ମେରେ..., ଶୁଭାନ୍ଆଲାହ୍..., ପଲକ୍ ମେ ହି ଇସ୍କ ହୈ..., ୟେ ଦିଲ୍ ହୈ ମୁସ୍କିଲ୍ ଗୀତରେ ଦର୍ଶକ ବିଭୋର୍ ହୋଇଥିଲେ। ଆସନ୍ତାକାଲି ଅମିତ୍ ତ୍ରିବେଦୀ ଓ ଓଡ଼ିଆ ଗାୟକ ସ୍ବୟଂ ପାଢ଼ୀଙ୍କର କାର୍ଯ୍ୟକ୍ରମ ରହିଛି।