ଭୁବନେଶ୍ବର: ନିଜକୁ ଗୋଲ୍ଡ ଟ୍ରେଡର୍ ପରିଚୟ ଦେଇ ଓ ଆର୍ବିଆଇର ଜାଲ୍ ପ୍ରମାଣପତ୍ର ଦେଖାଇ ଲୋକଙ୍କୁ କୋଟି କୋଟି ଚଳୁ କରିଥିବା ହାଇପ୍ରୋଫାଇଲ୍ ଠକ ରମେଶ ମାଝୀ ନିଜ ସମ୍ପର୍କୀୟଙ୍କୁ ବି ଛାଡ଼ିନାହିଁ। ବିଭିନ୍ନ ସ୍କିମ୍ରେ ଅଧିକ ରିଟର୍ଣ୍ଣର ଲୋଭ ଦେଖାଇ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କଠାରୁ କେଜିଏରୁ ଅଧିକ ସୁନା ନେଇ ବ୍ୟାଙ୍କରେ ବନ୍ଧକ ରଖି ଋଣ ନେଇଥିଲା। ଋଣ ମିଳିବା ପରେ ସେହି ଟଙ୍କାରୁ ଯେଉଁମାନଙ୍କଠାରୁ ସୁନାଗହଣା ଆଣିଥିଲା ସେମାନଙ୍କୁ ପ୍ରଥମେ କିଛି ଟଙ୍କା ଫେରସ୍ତ କରି ବିଶ୍ବାସ ଭାଜନ ହେଉଥିଲା। ଅଧିକ ସୁଧ ମିଳିବ କହି ପରେ ଆହୁରି ଟଙ୍କା ନେଇଥିଲା। ଆଜିଠାରୁ ଅର୍ଥାତ ସୋମବାରଠାରୁ ସ୍ପେସାଲ କ୍ରାଇମ୍ ୟୁନିଟ୍(ଏସ୍ସିୟୁ) ୨ଦିନିଆ ରିମାଣ୍ଡରେ ଆଣିଜେରା ବେଳେ ଏମିତି ଗୋଟିଏ ପରେ ଗୋଟିଏ ଗୁମର ଖୋଲିଛି। ସୁନାରେ ନିବେଶ କରିବା ଲାଗି ବଡ଼ବଡ଼ିଆଙ୍କ ନିକଟକୁ ପତ୍ନୀଙ୍କ ସହ ଯାଇ ପୁଳା ପୁଳା ନକଲି ସୁନା ଦେଖାଇ ପ୍ରଭାବିତ କରୁଥିଲା।
ସେମାନଙ୍କଠାରୁ ଟଙ୍କା ହାତେଇବା ପରେ ପୂର୍ବରୁ ଫସାଇଥିବା ଲୋକଙ୍କୁ ସେହି ଟଙ୍କାରୁ କିଛି ଟଙ୍କା ଦେଉଥିଲା। ବାକି ଟଙ୍କାରେ ଅୟସ କରୁଥିଲା। ଏମିତି ଭାବେ ସେ ବହୁ ବ୍ୟବସାୟୀ, ବ୍ୟକ୍ତିଙ୍କୁ ଫସାଇ ୨୨କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ତେବେ ତାର ଏହି ରୢାକେଟ୍ରେ ପତ୍ନୀ, ବାପା ଓ ଏକ ଘରୋଇ ବ୍ୟାଙ୍କ ମ୍ୟାନେଜରଙ୍କ ସମ୍ପୃକ୍ତି ଥିବା ଜେରା ବେଳେ ଜଣାପଡ଼ିଛି। ଦୁଇଦିନିଆର ରିମାଣ୍ଡର ପ୍ରଥମ ଦିନରେ ପୁଲିସ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହାତେଇଥିବା ବେଳେ ଆଗକୁ ଆହୁରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଅନୁମାନ କରୁଛି। ମଙ୍ଗଳବାର ରିମାଣ୍ଡ ସରିବା ପରେ ବୁଧବାର ଦିନ ତାକୁ କୋର୍ଟରେ ହାଜର କରାଯିବ। ଅନ୍ୟପଟେ ରମେଶଙ୍କ ବିରୋଧରେ ମାମଲା ସଂଖ୍ୟା ବି ବଢ଼ି ଚାଲିଛି। ଏ ପର୍ଯ୍ୟନ୍ତ ତାଙ୍କ ନାଁରେ ୯ଟି ମାମଲା ରୁଜୁ ହୋଇଥିବା ପୁଲିସ କହିଛି।
୨୨ କୋଟିରୁ ଅଧିକ ଟଙ୍କା ଠକେଇ
ସନ୍ଦେହ ଘେରରେ ପତ୍ନୀ, ପିତା, ବ୍ୟାଙ୍କ ମ୍ୟାନେଜରଙ୍କ ଭୂମିକା
୨ଦିନିଆ ରିମାଣ୍ଡ ବେଳେ ମାରାଥନ ଜେରା
ପ୍ରକାଶ ଥାଉ କି, ଗତ ୨୦୨୨ ମସିହାରେ ବାପୁନ ବେହେରା ରମେଶକୁ ନେଇ ଷ୍ଟେର୍ୱେ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡି ଭୋଳାନାଥ ମହାନ୍ତିଙ୍କ ସହ ପରିଚୟ କରାଇଥିଲା। ରମେଶ ନିଜକୁ ଜଣେ ଗୋଲ୍ଡ ଟ୍ରେଡର୍ ବୋଲି କହିଥିଲା ଏବଂ ପୁଞ୍ଜି ନିବେଶ କରିବାକୁ ଲୋଭ ଦେଖାଇଥିଲା। ବାର୍ଷିକ ୨୦ପ୍ରତିଶତ ସୁଧ ମିଳିବ ବୋଲି ପ୍ରତିଶ୍ରୁତିର ଲୋଭ ଦେଖାଇଥିଲେ। ରମେଶ କଥାରେ ଭଳିଯାଇ ଭୋଳାନାଥ ୨୦୨୨ରୁ ୨୦୨୩ ମସିହା ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ୫କୋଟି ୬୦ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଟଙ୍କା ହାତେଇବା ପରେ ରମେଶ ଗାଏବ ହୋଇଯାଇଥିଲା। ଏମିତିକି ସେ ଭଡ଼ାରେ ରହୁଥିବା ନୂଆପଲ୍ଲୀସ୍ଥିତ କ୍ରିଷ୍ଣାପ୍ଲାଜା ଫ୍ଲାଟ୍ ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲା। ମୋବାଇଲ୍ ବନ୍ଦ କରିବା ସହ ନମ୍ବର ବଦଳାଇ ଦେଇଥିଲା। ଏନେଇ ଭୋଳାନାଥ ଏସ୍ସିୟୁରେ ଅଭିଯୋଗ କରିଥିଲେ। ଜୁଲାଇ ମାସ ୨୨ ତାରିଖ ରାତିରେ ପୁଲିସ ଠକ ରମେଶକୁ ଗିରଫ କରିଥିଲା। ଏପର୍ଯ୍ୟନ୍ତ ତା’ ନାଁରେ ୨୮ରୁ ଅଧିକ ନିବେଶକ ଅଭିଯୋଗ କରିସାରିଛନ୍ତି ଏବଂ ସେ ପାଖାପାଖି ୨୨କୋଟିରୁ ଅଧିକ ଟଙ୍କା ଠକିଥିବା ଜଣାପଡ଼ିଛି।