ଚନ୍ଦ୍ରଶେଖରପୁର: ଆଜି ସ୍ବାଭାବିକ ଭାବେ ରଙ୍ଗମାଟିଆ ଡିଏଚ୍ପିଏଲ୍ ହୋମସ୍ରେ ରାତି ପାହିଥିଲା। କିନ୍ତୁ ସବୁକିଛି ପୂର୍ବ ଭଳି ସ୍ବାଭାବିକ ନଥିଲା। ସକାଳୁ ସକାଳୁ ଚଳଚଞ୍ଚଳ ହୋଇପଡ଼ୁଥିବା ଏହି କଲୋନିର ପରିବେଶ ଥିଲା ପୂରା ଗୁମ୍ସୁମ। କାହା ମୁହଁରେ ନଥିଲା ସରସତା। ବହୁ ବାସିନ୍ଦା ତ ସକାଳୁ ଘରୁ ବାହାରି ନଥିଲେ। ମହିଳାମାନଙ୍କୁ ତ ଦେଖିବାକୁ ମିଳିନଥିଲା। ଯିଏ ବି ବାହାରକୁ ଆସୁଥିଲେ, କର୍ମଜଞ୍ଜଳାରେ ସମସ୍ତେ ଯେମିତି ଯନ୍ତ୍ରବତ୍ ଚଳପ୍ରଚଳ ହେଉଥିଲେ। କେହି କାହାକୁ ଦେଖିଲେ ‘ଗୁଡ୍ ମର୍ଣ୍ଣିଂ’ ବା ‘ଶୁଭ ସକାଳ’ କହୁ ନଥିଲେ। ବିଶେଷକରି ବରିଷ୍ଠ ନାଗରିକମାନଙ୍କ ମୁହଁରୁ ବାରି ହୋଇପଡ଼ୁଥିଲା ଏକ ଅସମ୍ଭବ ପ୍ରକାରର ଅସ୍ବାଭାବିକତା। ଯା’ଆସ କରିବା ଭିତରେ ସମସ୍ତଙ୍କ ନଜର କିଛି ମୁହୂର୍ତ୍ତ ପାଇଁ ଚାଲିଯାଉଥିଲା ପ୍ରଥମ ମହଲାର ୧୦୮ ନମ୍ବର ଘରଆଡ଼କୁ। ଗତକାଲି ଆଇନ ଅଧ୍ୟାପକ ପୁଅ ଅନିରୁଦ୍ଧ ଓରଫ୍ ଟିକୁଲ୍ ହାତରେ ହତ୍ୟାର ଶିକାର ହୋଇଥିବା ବରିଷ୍ଠ ନାଗରିକ ସୁନୀଲ ଚୌଧୁରୀଙ୍କ କଥା ଭୁଲିପାରୁ ନଥିଲେ ସେମାନେ। ସୁନୀଲ ବାବୁଙ୍କ ଭଲି ଭଲ ଲୋକଙ୍କ ଭାଗ୍ୟରେ ପୁଣି ଘଟିବାର ଏମିତି ଥିଲା! ଏହି କଥାଟି ହିଁ ଅସ୍ପଷ୍ଟ ଭାବେ ସମସ୍ତଙ୍କ ଭିତରୁ ବାହାରି ଆସୁଥିଲା।
ପୁଅର ଋଣ ଶୁଝିବାକୁ ଜମି ବିକା ପ୍ରସ୍ତୁତି ସାରିଥିଲେ ସୁନୀଲ
ପୁଅ ଅନିରୁଦ୍ଧ ପାଖାପାଖି ୩୦ ଲକ୍ଷ ଟଙ୍କା କରଜ କରିଥିଲେ। କରଜ ବୋଝରୁ ମୁକୁଳିବା ପାଇଁ ବାପାଙ୍କୁ ଟଙ୍କା ମାଗୁଥିଲେ। ଜମି ବିକିବାକୁ ଜିଦ୍ କରି ବାପାଙ୍କ ସହ ଝଗଡ଼ା ବି କରୁଥିଲେ। ପିପିଲିରେ ଥିବା ୪୦ ଲକ୍ଷ ଟଙ୍କାର ଜମିକୁ ୨୫ ଲକ୍ଷରେ ବିକିଦେବାକୁ ବାପାଙ୍କୁ ଧମକାଉଥିଲେ। ଶେଷରେ ଜଣେ ଗ୍ରାହକ ୩୨ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ। ପୁଅକୁ ଋଣମୁକ୍ତ କରିବା ସହ ତା’ର ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ଲାଗି ସୁନୀଲ କଷ୍ଟାର୍ଜିତ ସମ୍ପତ୍ତିକୁ କମ୍ ଦରରେ ବିକିକାକୁ ବୁଝାମଣା କରିଥିଲେ। ମାତ୍ର ଦୁର୍ଭାଗ୍ୟ ଏହି କଥାଟି ପୁଅ ଅନିରୁଦ୍ଧକୁ ଜଣାନଥିଲା। ତେଣୁ ଧୈର୍ଯ୍ୟହରା ପୁଅ ପାଲଟିଗଲା ପିତୃହନ୍ତା।
ଅନିରୁଦ୍ଧ ସାର୍ କହୁଥିଲେ, ‘ଆଇନଠାରୁ ବଡ଼ କିଛି ନାହିଁ’
ପଟିଆସ୍ଥିତ ଘରୋଇ ବିଶ୍ବବିଦ୍ୟାଳୟରେ ଆଇନ ଅଧ୍ୟାପକ ଥିବା ଅନିରୁଦ୍ଧଙ୍କୁ ଛାତ୍ରଛାତ୍ରୀମାନେ ବେଶ୍ ଭଲ ପାଉଥିଲେ। ଛାତ୍ରୀ ଅନସୂୟା ନାଥଙ୍କ କହିବା କଥା ଅନିରୁଦ୍ଧ ସାର୍ ସବୁବେଳେ ସମ୍ବିଧାନ ଓ ଆଇନକୁ ସମ୍ମାନ ଦେବାକୁ କହୁଥିଲେ। ସେ କହୁଥିଲେ,‘ ଆଇନଠାରୁ ବଡ଼ କିଛି ନାହିଁ, ଯଦି ଅଛି ସେ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ।’ ମାତ୍ର ସେ ଯେ ଶେଷରେ ଏମିତି କାଣ୍ଡ କରି ବସିବେ, ତାହା ଆଦୌ ବିଶ୍ବାସ କରିହେଉନାହିଁ। ସେମିତି ବଡ଼ଧରଣର ଚାପଗ୍ରସ୍ତ ନ ହେଲେ, ଅନିରୁଦ୍ଧ ସାର୍ଙ୍କ ଭଳି ମଣିଷ ଏମିତି କରିପାରିବେ ନାହିଁ ବୋଲି ଅନସୂୟା କହିଛନ୍ତି। ସେହିଭଳି ଛାତ୍ର ପ୍ରସାଦ ବୋଷଙ୍କ କହିବା କଥା ଆଇନକୁ ହାତକୁ ନେବାକୁ ସବୁବେଳେ ବାରଣ କରୁଥିବା ଜଣେ ଆଇନ ବିଶାରଦଙ୍କ ହାତରେ ଏଭଳି କାଣ୍ଡ ଘଟିଯିବ, ସେକଥା ଚିନ୍ତା କରିହେଉନାହିଁ। ତେଣୁ ତାଙ୍କୁ ନରହନ୍ତା ରାକ୍ଷସ ସଜାଇଥିବା କାରଣଟି କ’ଣ, ତାହାକୁ ଖୋଜି ବାହାର କରିବା ଜରୁରି।
ଫିକାଫିକା ଚା’ ଖଟି
ଆଜି ସକାଳଟି ଏହି ଆପାର୍ଟମେଣ୍ଟ ପାଇଁ ଏକପ୍ରକାର ନିରବ ମାହୋଲ ସୃଷ୍ଟି କରିଥିଲା। କିନ୍ତୁ ସବୁଦିନ ଭଳି ଆଜି ସନ୍ଧ୍ୟାରେ ସୁନୀଲଙ୍କ ବନ୍ଧୁମାନେ ମଞ୍ଚେଶ୍ବର ବଜାରକୁ ଚା’ ପିଇବା ପାଇଁ ଆସିଥିଲେ। କିନ୍ତୁ ଚା’ ଖଟିରେ ନଥିଲା ପୂର୍ବର ଥଟ୍ଟା ତାମସା। କେବଳ ଅଭ୍ୟାସ ଓ ମନସ୍ତାପରୁ ବର୍ତ୍ତିବାକୁ ସେମାନେ ଚା’ ଖଟିକୁ ଆସିଥିବା ଭଳି ଜଣାପଡ଼ୁଥିଲା। ସମସ୍ତେ ଚିନ୍ତିତ ଥିଲେ ସୁନୀଲଙ୍କ ପାରିବାରିକ ସମସ୍ୟାକୁ ନେଇ। ବନ୍ଧୁ ଅଶ୍ବନୀ କୁମାର ବିଶ୍ବାଳ ଏବାବଦରେ କିଛିଟା ଜାଣିଥିଲେ ବୋଲି କହିଥିଲେ। କିନ୍ତୁ କଥା ଏତେ ଦୂର ଯାଇଛି ବୋଲି ସେ ବୁଝିପାରି ନଥିଲେ। ସାମାନ୍ୟ ବୁଝାମଣା ଅଭାବରୁ ସୁନୀଲଙ୍କ ଜୀବନ ଚାଲିଗଲା ଏବଂ ପୁଅ ଅନିରୁଦ୍ଧର ବାକି ଜୀବନ ନଷ୍ଟ ହୋଇଗଲା ବୋଲି ସେ କହିଥିଲେ। ବରିଷ୍ଠ ନାଗରିକ ଆର୍ତ୍ତତ୍ରାଣ ଜେନା ସୁନୀଲଙ୍କ ଚଳଣିକୁ ପ୍ରଶଂସା କରିଥିଲେ। ବାଜେ ଖର୍ଚ୍ଚକୁ ନାପସନ୍ଦ କରୁଥିବା ସୁନୀଲ ଶେଷରେ ପୁଅର ବାଜେ ଖର୍ଚ୍ଚ ଯୋଗୁ ପୁଅ ହାତରେ ହିଁ ହତ୍ୟାର ଶିକାର ହେଲେ ବୋଲି ସେ କହିଥିଲେ। ଗୋଟିଏ ବୋଲି ପୁଅ ପାଇଁ ସଞ୍ଚିଥିବା କୋଟିକୋଟି ଟଙ୍କାର ସମ୍ପତ୍ତି ଶେଷରେ ସୁନୀଲଙ୍କ ଅକାଳ ମୃତ୍ୟୁର କାରଣ ହେଲା ବୋଲି ସେ କହିଥିଲେ।