ଭୁବନେଶ୍ୱର : କିଛି ଦିନର ନିରବତା ପରେ ରାଜଧାନୀରେ ପୁଣି ଗର୍ଜିଛି ବନ୍ଧୁକ। ବହୁଚର୍ଚ୍ଚିତ ଖଣ୍ଡଗିରି ଥାନା ସରକନ୍ତରା କୃତ୍ତିବାସ ପରିଜା ଓରଫ ସୋନୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆ ଉପରକୁ ଗୁଳିମାଡ଼ ହୋଇଛି। ତେବେ ସଞ୍ଜୟ ଦୌଡ଼ି ଦୌଡ଼ି ଘରେ ପଶି ଯିବାରୁ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛି। ଘଟଣାଟି ଆଜି ସକାଳେ ତମାଣ୍ଡୋ ଥାନା କେ-୪ ଅଞ୍ଚଳରେ ଘଟିଛି। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି। ପୁଲିସ୍ ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରିଛି। ସଞ୍ଜୟଙ୍କ ବୟାନକୁ ଭିତ୍ତି କରି ଦୁର୍ବୃତ୍ତଙ୍କ ସମ୍ପର୍କରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। କିନ୍ତୁ ଦୁର୍ବୃତ୍ତଙ୍କ ଟେର୍ ମିଳିପାରିନାହିଁ।
ମିଳିଥିବା ସୂଚନା ଅନୁସାରେ, ୨୦୧୪ ମସିହାରେ ଘଟିଥିବା ସୋନୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ସଞ୍ଜୟ ଖୁଣ୍ଟିଆ। କିଛି ଦିନ ତଳେ ସେ ଝାରପଡ଼ା ଜେଲରୁ ମୁକୁଳିଥିଲା। ତା’ ନିଜ ଘର ସରକନ୍ତରା ହୋଇଥିଲେ ମଧ୍ୟ ସେ ଗାଁକୁ ନ ଯାଇ ନିକଟସ୍ଥ କଳିଙ୍ଗନଗର କେ-୪ ଅଞ୍ଚଳରେ ଭଡ଼ାରେ ରହୁଥିଲା। ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ସ୍ଥାନୀୟ ଲକ୍ଷ୍ମୀମଣ୍ଡପ ଦେଇ ସେ ଚାଲି ଚାଲି ଯାଉଥିଲା। ଏତିକିବେଳେ ଏକ ବାଇକ୍ରେ ଥିବା ତିନି ଜଣ ଦୁର୍ବୃତ୍ତ ଆସି ଫିଲ୍ମ ଷ୍ଟାଇଲରେ ତା’ ଉପରକୁ ଗୁଳି ଚଳାଇଥିଲେ। ତେବେ ଏହା ଜାଣିପାରି ସଂଜୟ ଜୀବନ ବଞ୍ଚାଇବାକୁ ଯାଇ ଦୌଡ଼ି ଦୌଡ଼ି ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଶି ଯାଇଥିଲା। ଏହା ପରେ ତିନି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ବୃତ୍ତମାନେ ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ ବୋଲି ସଞ୍ଜୟ ପୁଲିସ ଆଗରେ କହିଛି। ଗତ କିଛି ଦିନ ହେଲା ତା’ ପାଖକୁ କିଛି ଅଜଣା ନମ୍ବରରୁ ଆସୁଥିବା ଫୋନ୍ କଲ୍କୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ସରକନ୍ତରା ଗାଁର ସୋନୁକୁ ୨୦୧୪ ନଭେମ୍ବର ୨ ତାରିଖରେ ହତ୍ୟା କରାଯାଇଥିଲା। ୨ ଦିନ ପରେ ସରକନ୍ତରାଠାରୁ ଆରମ୍ଭ କରି ଧଉଳି ପର୍ଯ୍ୟନ୍ତ ପୁଲିସ୍କୁ ସୋନୁର ଖଣ୍ଡଖଣ୍ଡ ଦେହାବଶେଷ ମିଳିଥିଲା। ଡିଏନ୍ଏ ପରୀକ୍ଷା ପରେ ଏହା ସୋନୁର ବୋଲି ସ୍ପଷ୍ଟ ହୋଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୁଲିସ ସଞ୍ଜୟ ଖୁଣ୍ଟିଆ, ଭରତ ସାହୁ ଓ ସାଗର ପୃଷ୍ଟିକୁ ଗିରଫ କରିଥିଲା। କରଜ ଟଙ୍କା ଶୁଝିବାକୁ କେନ୍ଦ୍ର କରି ଏହି ୩ଜଣ ଅତି ନୃଶଂସ ଭାବେ ସୋନୁଙ୍କୁ ହତ୍ୟା କରି ଶହେରୁ ଅଧିକ ଖଣ୍ଡ କରି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/firing.jpg)