ଭୁବନେଶ୍ବର: କଥା କଥାକେ ଫୁଟୁଛି ଗୁଳି, ଥରୁଛି ରାଜଧାନୀ। ପୁଲିସ ପରିବର୍ତ୍ତେ ଗର୍ଜୁଛି ଅପରାଧୀଙ୍କ ବନ୍ଧୁକ। ତେବେ ଅପରାଧୀଙ୍କ ହାତକୁ କେଉଁଠୁ ଆସୁଛି ଏତେ ବନ୍ଧୁକ? ପୁଲିସ୍ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ବିଫଳ ହେଉଥିବା ବେଳେ କେବଳ ଅନ୍ଧାରରେ ବାଡ଼ି ବୁଲାଉଛି। ବିଭିନ୍ନ ଜିଲ୍ଲାଗୁଡ଼ିକରୁ ନୂଆ ଅପରାଧୀମାନେ ସହରରୁ ପ୍ରବେଶ କରି ଅପରାଧ ଘଟାଉଛନ୍ତି। ଯାହା କମିସନରେଟ ପୁଲିସର ଚିନ୍ତା ବଢ଼ାଇଛି। ଚଳିତ ବର୍ଷ ମାର୍ଚ୍ଚ ୯ ତାରିଖରେ ଚନ୍ଦକା ସଂଘର୍ଷବିହାର ଛକରେ ସୋମନାଥ ସାହୁ ଗୁଳିମାଡ଼ ଘଟଣାରେ ଦୁଇଜଣ ଦୁର୍ବୁତ୍ତ ଦୁଇଟି ବନ୍ଧୁକରେ ଗୁଳିମାଡ଼ କରିଥିଲେ। ଏପ୍ରିଲ ୨୦ରେ ଅଭିଯୁକ୍ତ ଦୀପ୍ତ ରଂଜନ ମହାପାତ୍ର ପ୍ରତିପକ୍ଷଙ୍କୁ ଫସାଇବା ପାଇଁ ଚୋରାବନ୍ଧୁକ ଯୋଗାଡ଼ କରି ନିଜ ଉପରକୁ ଗୁଳିମାଡ କରି ଆହତ ହୋଇଥିଲେ ଓ ପରେ ଜେଲ୍ ଯାଇଥିଲେ। ଗତ ୭ ତାରିଖରେ ଚନ୍ଦକା ଅଞ୍ଚଳରେ ଜାଗାବାଡ଼ି ବିବାଦକୁ କେନ୍ଦ୍ରକରି ଗୁଳିମାଡ଼, ଏହାର ୪ ଦିନ ପରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବାର୍ ଭିତରେ ଗଣ୍ଡଗୋଳକୁ କେନ୍ଦ୍ରକରି ଶିବା ଗ୍ୟାଙ୍ଗ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା।
ନିକଟରେ କଟକ ବୟାଳିଶମୌଜାରେ ଚୋରା ବନ୍ଧୁକ କାରଖାନା ଠାବ ହୋଇଥିଲା। ବିହାର, ମୁଙ୍ଗେର, କୋଲକାତାରୁ ୪ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ବହୁ ପରିମାଣର ବନ୍ଧୁକ ତିଆରି ଯନ୍ତ୍ରାଂଶ ଜବତ ହୋଇଥିଲା। କାଇମ୍ବ୍ରାଞ୍ଚ୍ ତଦନ୍ତରେ ଏସବୁ ଚୋରା ବନ୍ଧୁକ କଟକ, ଭୁବନେଶର, ଗଞ୍ଜାମ, ବାଲେଶ୍ବର, ପୁରୀ ସମେତ ରାଜ୍ୟ ବାହାରକୁ ଚାଲାଣ ହୋଇଥିବା ଜଣାପଡ଼ିଥିଲା। ଏହାର କିଛି ଦିନ ପରେ ଗଞ୍ଜାମରେ ଚୋରାବନ୍ଧୁକ ମିଳିବା ପଛରେ ବୟାଳିଶମୌଜାର ବନ୍ଧୁକ ଲିଙ୍କ୍ ମିଳିଥିଲା। ଏବେବି ଏହା ପଛର ମାଷ୍ଟର୍ମାଇଣ୍ଡ୍ ଆଲୋକ ପ୍ରଧାନ ଫେରାର ରହିଛି। ଏହିସବୁ ଘଟଣା ଦର୍ଶାଉଛି ଚୋରାବନ୍ଧୁକ ହାତେଇବା ଅପରାଧୀଙ୍କ ପାଇଁ କେତେ ସହଜ ହୋଇଛି।
ମିଳିଥିବା ତଥ୍ୟ ଅନୁସାରେ, ଗଲାବର୍ଷ ରାଜଧାନୀରୁ ୨୦ରୁ ଅଧିକ ଚୋରା ବନ୍ଧୁକ ଜବତ ହୋଇଥିଲା। ସ୍ବତନ୍ତ୍ର ଅପରାଧ ଶାଖା ୧୨ଟି ଓ ସହରାଞ୍ଚଳ ପୁଲିସ ୮ଟି ବନ୍ଧୁକ ଜବତ କରିଥିଲା। ସେହିପରି ଦ୍ବୈତନଗରୀର ୨୦୨୩ ବର୍ଷର ତଥ୍ୟ ଅନୁସାରେ ୩୮ଟି ବନ୍ଧୁକ ଜବତ ହୋଇଥିଲା ବେଳେ ଏଗୁଡ଼ିକ ବିହାରର ମୁଙ୍ଗେର, ଉତ୍ତରପ୍ରଦେଶ, କୋଲକାତାରୁ ଆସୁଛି। ଏଥିସହିତ ଦେଶୀ ବନ୍ଧୁକ, କଟକ, ନୟାଗଡ, ପୁରୀ, ଖୋର୍ଦ୍ଧାରୁ ଆସୁଛି। ଏଥିପୂର୍ବରୁ ୨୦୨୧ରେ ୧୨ଟି, ୨୦୨୦ରେ ୯ଟି ବନ୍ଧୁକ ଜବତ କରିଥିଲା ଭୁବନେଶ୍ବର ସହରାଞ୍ଚଳ ପୁଲିସ। ସେପଟେ ଚୋରାବନ୍ଧୁକ କାରବାର ନେଇ ରାଜ୍ୟ ପୁଲିସର ତଥ୍ୟ ମଧ୍ୟ ଆଖି ତରାଟିଲା ଭଳି। ଗତ ୫ ବର୍ଷ ଭିତରେ ୯୨୮ଟି ଚୋରା ବନ୍ଧୁକ ସହ ୧୫୦୦ରୁ ଅଧିକ ଗୁଳି ଜବତ ହୋଇଛି। ତେବେ ଏନେଇ ପୁଲିସ କମିସନର ଏସ୍. ଦେବଦତ୍ତ ସିଂହ କହିଛନ୍ତି, ଚୋରାବନ୍ଧୁକ ନେଇ ସ୍ବତନ୍ତ୍ର ଅଭିଯାନ କରାଯାଉଛି।