ରାଜଧାନୀ ବନ୍ଧୁୁକ ବ୍ୟବସାୟର ପେଣ୍ଠ : କାହା ପାଇଁ ଏତେ କାରବାର

ଅନ୍ତଃରାଜ୍ୟ ବନ୍ଧୁକ ବେପାରୀ ସଂଗ୍ରାମ ଗିରଫ, ବିହାରରୁ ଆଣି ୩ ଗୁଣ ଚଢ଼ା ଦାମ୍‌ରେ ବିକୁଥିଲେ, ପୂର୍ବରୁ କ୍ବାର୍ଟର୍ସରୁ ଠାବ ହୋଇଥିଲା କାରଖାନା, ରିମାଣ୍ଡରେ ଆଣି‌ ଗ୍ରାହକଙ୍କୁ ଖୋଜିବ ପୁଲିସ

ଭୁବନେଶ୍ୱର : ରାଜଧାନୀ ଛାତି ଉପରେ ଚାଲୁଥିଲା ବନ୍ଧୁକ କାରଖାନା। ତାହା ପୁଣି ସରକାରୀ କ୍ବାର୍ଟର୍ସରେ। ସୋମବାର ପୁଲିସ ଉକ୍ତ କାରଖାନାକୁ ଠାବ କରିଥିଲା। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିଲା। ଆଉ ଆଜି ଜବତ ହୋଇଛି ୪ଟି ବନ୍ଧୁକ ଓ ଗୁଳି। ଗିରଫ ହୋଇଛନ୍ତି ଜଣେ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀ। ବିହାରର ମୁଙ୍ଗେର୍‌ ଅଞ୍ଚଳରୁ ଆସୁଥିବା ଏହି ବନ୍ଧୁକ ଏଠାରେ ୩ ଗୁଣ ଦରରେ ବିକ୍ରି ହେଉଥିଲା। ପୂର୍ବରୁ ମଧ୍ୟ ଏକାଧିକ ବନ୍ଧୁକ ଜବତ ହେବା ସହିତ ବେପାରୀ ଗିରଫ ହୋଇଛନ୍ତି। ଏବେ ସାଧାରଣରେ ପ୍ରଶ୍ନ ଉଠିଛି, ଏତେ ବନ୍ଧୁକ ରାଜଧାନୀକୁ କାହା ପାଇଁ ଆସୁଥିଲା? କିଏ ଏସବୁ ବିପଜ୍ଜନକ ସାମଗ୍ରୀର ଗ୍ରାହକ? ଚଢ଼ାଦର ଦେଇ ଏହାକୁ କିଣୁଥିଲେ କିଏ? କେବେଠାରୁ ରାଜଧାନୀ ଏତେ ବଡ଼ ବନ୍ଧୁକ ବଜାର ପାଲଟିଲା? ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ ଆଜି ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସର ଏକ ମିଳିତ ଟିମ୍‌ ଏୟାରଫିଲ୍‌ଡ ଥାନା ଭୀମଟାଙ୍ଗି ହାଉସିଂବୋର୍ଡ କଲୋନିର ସଂଗ୍ରାମ ନାଥ ଓରଫ ବାବୁଲିକୁ ଗିରଫ କରିଥିଲେ। ସେ ଆଜି ହାୱଡ଼ା-ଚେନ୍ନାଇ ଏକ୍ସପ୍ରେସ୍‌ରେ ବନ୍ଧୁକ ଧରି ଭୁବନେଶ୍ବର ଆସୁଥିବା ଖବର ପାଇ ସ୍ପେସାଲ ସ୍କ୍ବାଡ୍‌ ଓ ଲକ୍ଷ୍ମୀସାଗର ଥାନା ଭାରପ୍ରାପ୍ତ ଅଧିକାରୀ ଦୟାନିଧି ନାୟକଙ୍କ ଅଧୀନରେ ଏକ ଯୁଗ୍ମ ଦଳ ଷ୍ଟେସନ୍‌ରେ ଛକି ରହିଥିଲେ। ଟ୍ରେନ୍‌ ପହଞ୍ଚିବା ପରେ ଏହି ଟିମ୍‌ ତାକୁ ମାଡ଼ି ବସିଥିଲେ। ତା’ଠାରୁ ଦୁଇଟି ୦.୭୬୫ ଏମ୍‌ଏମ୍‌ ମାଗାଜିନ୍‌ଯୁକ୍ତ ଦୁଇଟି ପିସ୍ତଲ, ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ସିଙ୍ଗିଲ୍‌ ସଟ୍‌ ପିସ୍ତଲ; ୦.୭୬୫ କ୍ୟାଲିବର୍‌ର ୪ ରାଉଣ୍ଡ ଓ ୯ ଓ ୦.୩୨ କ୍ୟାଲିବର୍‌ର ଜୀବନ୍ତ ଗୁଳି ସହ ଦୁଇଟି ଖାଲି ଖୋକା ଜବତ କରାଯାଇଛି। ସେ ବିହାରର ମୁଙ୍ଗେର୍‌ କରୱା ମୈଦାନ୍‌ ଅଞ୍ଚଳରୁ ଏଭଳି ପିସ୍ତଲ ଆଣି କଟକ, ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା ଅଞ୍ଚଳରେ ବେପାର କରୁଥିଲା। ସହିଦ୍‌ ନଗର, ଲକ୍ଷ୍ମୀସାଗର, ଖୋର୍ଦ୍ଧା, ଟାଙ୍ଗୀ ପ୍ରଭୃତି ଥାନା‌ରେ ତା’ ନାମରେଏକାଧିକ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି। ସେ ବ୍ରାଉନ୍‌ ସୁଗା‌ର ବେପାର କଲା ବେଳେ ଟାଙ୍ଗୀ ପୁଲିସ ଦ୍ବାରା ଧରାପଡ଼ି ଜେଲ୍‌ ଯାଇଥିଲା। ୧୦ବର୍ଷ ଜେଲ୍‌ ଦଣ୍ଡ ଭୋଗୀ ନିକଟରେ ଫେରିଥିଲା। ସଂଗ୍ରାମ ବିହାରରୁ ୧୨ରୁ ୧୪ ହଜାର ଟଙ୍କାରେ ବନ୍ଧୁକ କିଣି ଏଠାରେ ୩୦ରୁ ୩୫ ହଜାର ଟଙ୍କାରେ ବିକ୍ରି କରୁଥିବା କହିଛି। ତାକୁ ରିମାଣ୍ଡରେ ଅଣାଯାଇ ଅଧିକ ଖୋଳତାଡ଼ କରାଯିବ ବୋଲି ଲକ୍ଷ୍ମୀସାଗର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର