ଭୁବନେଶ୍ବର: ଇନ୍ଫୋଭ୍ୟାଲି ଥାନା ଦେଉଳିଆପାଟଣାସ୍ଥିତ ଭାଇଭାଇ ଆଶ୍ରମରେ ଘଟିଥିବା ଗୁଳିକାଣ୍ଡ ମାମଲାରେ କମିସନରେଟ୍ ପୁଲିସକୁ ସଫଳତା ମିଳିଛି। ଘଟଣାର ୬ ଦିନ ପରେ ଗୁଳିକାଣ୍ଡ ଘଟାଇଥିବା ୩ ଦୁର୍ବୃତ୍ତଙ୍କୁ ପୁଲିସ କାବୁ କରିଛି ଏବଂ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟଜଣକୁ ପୁଲିସ ଧରିବା ପାଇଁ ଚଢ଼ଉ ଚଳାଇଛି। ସେମାନେ କାହିଁକି ଆଶ୍ରମକୁ ଟାର୍ଗେଟ୍ କରିଥିଲେ, ତାକୁ ନେଇ ସେମାନଙ୍କୁ ମାରାଥନ୍ ଜେରା କରାଯାଉଛି। ପ୍ରାଥମିକ ତଦନ୍ତରୁ ଅର୍ଥାତ୍ ଅଟକ ୩ ଦୁର୍ବୃତ୍ତଙ୍କୁ ପଚରାଉଚରା କରିବାରୁ ଜଣାପଡ଼ିଛି ଯେ ଦୁର୍ବୃତ୍ତମାନଙ୍କ ଟାର୍ଗେଟ୍ରେ ଆଶ୍ରମର ବାବା ଥିଲେ। ଏକ ଘଟଣାକ୍ରମେ ବାବାଙ୍କ ପାଇଁ ଦୁର୍ବୃତ୍ତମାନ ଅପମାନିତ ହୋଇଥିଲେ। ତେଣୁ ସେହି ରାଗର ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ। ରାଗରେ ରକ୍ତ ଚାଉଳ ଚୋବାଉଥିବା ଦୁର୍ବୃତ୍ତମାନେ ବାବାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ୫ ତାରିଖ ରାତିରେ ବାବା ଆଶ୍ରମରେ ଥିବା ଜାଣିବା ପରେ ୪ଜଣ ଦୁର୍ବୃତ୍ତ ୨ଟି ବାଇକ୍ରେ ଆସି ଆଶ୍ରମଠାରୁ କିଛି ଦୂରରେ ଛକି ରହିଥିଲେ। ରାତି ବଢ଼ିବା ସୁଯୋଗ ପାଇ ସେମାନେ ବାବାଙ୍କୁ ଟାର୍ଗେଟ୍ କରି ଆଖିବୁଜା ଗୁଳି ୮ ରାଉଣ୍ଡ ଗୁଳି ଚଳାଇଥିଲେ। ସୌଭାଗ୍ୟବଶତଃ ଗୁଳି ବାବଙ୍କ ଦେହରେ ନ ବାଜି ସୁନୀଲ ବାରିକଙ୍କ ପେଟ, ହାତ ଓ ଛାତିରେ ବାଜିଥିଲା। ଗୋଟିଏ ଗୁଳି ଅଜୟ ମହାନ୍ତିଙ୍କ ମୋବାଇଲ୍ରେ ବାଜି ପେଟରେ ଘଷି ହୋଇଯାଇଥିଲା।
ରାଜଧାନୀରେ ଦୁଇ ଦୁଇ ଜଣଙ୍କୁ ଗୁଳି କରିବା ମାମଲାକୁ ନେଇ କମିସନରେଟ୍ ପୁଲିସର ମୁଣ୍ଡବିନ୍ଧା ବଢ଼ିଯାଇଥିଲା। ପୁଣି ଏକାଥରକେ ୮ରାଉଣ୍ଡ ଗୁଳି କରିବା ବଡ଼ କଥା ଥିଲା। ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳରେ ସିସିଟିଭି ନଥିବାରୁ ଦୁର୍ବୃତ୍ତମାନଙ୍କୁ ଧରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଆଶ୍ରମର କେହି ବି ଜଣେ ହେଲେ ଦୁର୍ବୃତ୍ତଙ୍କ ସମ୍ପର୍କରେ କିଛି କହି ନଥିଲେ। ଦୁଇଦିନ ତଳେ ସୁନୀଲ ସୁସ୍ଥ ହେବା ପରେ ପୁଲିସ ସମ୍ମୁଖରେ ମୁହଁ ଖୋଲିଥିଲେ। ଗୁଳିକାଣ୍ଡ ସମୟରେ କିଏ କିଏ ଆସିଥିଲେ, କେତେ ଜଣ ଆସିଥିଲେ, ସେ ସମ୍ପର୍କରେ ସୁନୀଲ ପୁଲିସକୁ ତଥ୍ୟ ଦେଇଥିଲେ। ଏହାଛଡ଼ା ତାଙ୍କର ପୂର୍ବ ଶତ୍ରୁତାକୁ ନେଇ କାହା ସହ ବିବାଦ ଥିଲା ବୋଲି ପୁଲିସ ପଚାରିବାରୁ ସୁନୀଲ ତାର ମଧ୍ୟ ଜବାବ ରଖିଥିଲେ। ଏହାପରେ ଡିସିପି ଜଗମୋହନ ମୀନାଙ୍କ ନିର୍ଦେଶକ୍ରମେ ସ୍ପେସାଲ ସ୍କ୍ବାଡ୍ ଓ ଇନ୍ଫୋଭ୍ୟାଲି ଥାନା ପୁଲିସକୁ ନେଇ ୩ଟି ଟିମ୍ ଗଠନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ୩ଜଣଙ୍କୁ କାବୁ କରିବା ସହ ଗୋଟିଏ ବନ୍ଧୁକ ଜବତ କରିଛି। ଆସନ୍ତାକାଲି ଅର୍ଥାତ ଶନିବାର ଦିନ ପୂରା ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ଜଣାପଡ଼ିଛି।
ପ୍ରକାଶ ଥାଉ କି ୫ ତାରିଖ ରାତି ପାଖାପାଖି ସାଢ଼େ ୮ଟା ହେବ ଆଶ୍ରମରେ ଅଜୟ ମହାନ୍ତି ପରିବା କିଣିବା ପାଇଁ ବାହାରକୁ ଆସୁଥିଲେ। ଅନ୍ୟମାନେ ଆଶ୍ରମରେ ବସିଥାଆନ୍ତି। ଏହି ସମୟରେ ଦୁର୍ବୃତ୍ତ ହଠାତ୍ ଆଶ୍ରମ ଉପରକୁ ଆଖିବୁଜା ବନ୍ଧୁକ ଚଳାଇଥିଲେ। ଫଳରେ ପ୍ରଥମେ ଗୋଟିଏ ଗୁଳି ଅଶୋକ ମହାନ୍ତିଙ୍କ ମୋବାଲ୍ରେ ବାଜି ପେଟରେ ଘଷିହୋଇଯାଇଥିଲା। ଆଉ ୩ଟି ଗୁଳି ସୁନୀଲ ବାରିକଙ୍କ ହାତ, ପେଟ ଓ ଛାତିରେ ବାଜିଥିଲା। ଗୁଳି ଗର୍ଜନ ଶୁଣି ଆଶ୍ରମରେ ଯିଏ ଯୁଆଡ଼େ ପାରିଥିଲେ ଜୀବନ ବିକଳରେ ଦୌଡ଼ିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।