କଥା କଥାକେ ଉଠୁଛି ବନ୍ଧୁକ; ୫ ଦିନରେ ରାଜଧାନୀର ବିଭିନ୍ନ ଥାନାରେ ୩ ମାମଲା

ପୁଲିସ ଝିଅ ନାଁରେ ଏତଲା

ଭୁବନେଶ୍ବର : ଏବେ କଥା କଥାକେ ଉଠୁଛି ବନ୍ଧୁକ। ଗତ ୫ ଦିନ ଭିତରେ ରାଜଧାନୀର ବିଭିନ୍ନ ଥାନାରେ ଆର୍ମ ଆକ୍ଟଜନିତ ୩ଟି ମାମଲା ରୁଜୁ ହୋଇଛି। ଏମିତିକି ଜଣେ ପୁଲିସ ଅଧିକାରୀଙ୍କ ଝିଅ ବନ୍ଧୁକ ଉଠାଇଥିବା ନେଇ ଅଭିଯୋଗ ବି ହୋଇଛି। ମାତ୍ର କୌଣସି ଗୋଟିଏ ମାମଲା‌ରେ ବି ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିନାହିଁ କି ବନ୍ଧୁକ ଜବତ ହୋଇପାରିନାହିଁ।

ସୂଚନାନୁସାରେ ଜୁଲାଇ ୧୫ରୁ ୧୯ ମଧ୍ୟରେ ୨ଟି ଥାନାରେ ୩ ମାମଲା ରୁଜୁ ହୋଇଛି। ଏୟାରଫିଲ୍ଡ ଥାନାରେ ଗୋଟିଏ ଓ ଖଣ୍ଡଗିରି ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଏୟାରଫିଲ୍ଡ ଥାନାରେ ହୋଇଥିବା ମାମଲା ଅନୁସାରେ ବୋତଣ୍ଡା ଗାଁ ହରେକୃଷ୍ଣ ଭିଲ୍ଲାରେ ନିର୍ମାଣ କାମ ଚାଲିଥିବା ବେଳେ ୧୦ଜଣ ଯୁବକ ଏକ ଟାଟା ଏସ୍ ଯୋଗେ ସେଠାରୁ ପ୍ରାୟ ୨ଲକ୍ଷ ଟଙ୍କାର ଲୁହା ରଡ୍, ସିମେଣ୍ଟ, ୬୦ହଜାର ଟଙ୍କାର ବିଭିନ୍ନ ସାମଗ୍ରୀ ଓ ଗୋଟିଏ ବାଇକ୍‌ ନେଇ ପଳାଇଥିଲେ। ସେଠା‌ରେ ଉପସ୍ଥିତ ଥିବା ସୁଶାନ୍ତ କୁମାର ସ୍ବାଇଁ ଓ ତାଙ୍କ ସହଯୋଗୀ ଯୁବକମାନଙ୍କୁ ବିରୋଧ କରିବାରୁ ସେମାନେ ସୁଶାନ୍ତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇଥିଲେ। ଏନେଇ କନଷ୍ଟ୍ରକ୍‌ସନ୍ ସାଇଟ୍‌ର ସୁପରଭାଇଜର୍ ଶତ୍ରୁଘ୍ନ ଦାସ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ ମାମଲା ରୁଜୁ କରିନଥିଲା। ତେବେ ଶତ୍ରୁଘ୍ନ କୋର୍ଟର ଦ୍ବାରସ୍ଥ ହେବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏୟାରଫିଲ୍ଡ ଥାନା ପୁଲିସ ୨ ମୁଖ୍ୟ ଅଭିଯୁକ୍ତ ହାଇଟେକ୍ ପ୍ଲାଜାର ସୁନୀଲ ପାତ୍ର ଓ ୟୁନିଟ୍-୯ର କିଶୋର ରାଉତଙ୍କ ବିରୋଧରେ ଆର୍ମସ୍ ଆକ୍ଟ ୨୫ ଓ ୨୭ ସମେତ ୭ଟି ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସେହିଭଳି ୧୫ତାରିଖରେ ଖଣ୍ଡଗିରି ଥାନାରେ ମଧ୍ୟ ଆର୍ମସ୍ ଆକ୍ଟରେ ମାମଲା ରୁଜୁ ହୋଇଛି। ଅଭିଯୋଗକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପଡ଼ୋଶୀ ଗଣେଶଚନ୍ଦ୍ର ସ୍ବାଇଁ ଘରକୁ ବଳପୂର୍ବକ ବିଦ୍ୟୁତ୍ ସଂଯୋଗ ନେଉଥିବା ବେଳେ ସେ ବିରୋଧ କରିବାରୁ ଗଣେଶଙ୍କ ଝିଅ ମୋନାଲିସା ତାଙ୍କ ବାପାଙ୍କ ସର୍ଭିସ ବନ୍ଧୁକ ଆଣି ହିମାଂଶୁଙ୍କୁ ହତ୍ୟା ଧମକ ଦେଇଥିଲେ। ଏନେଇ ହିମାଂଶୁ ପ୍ରଥମେ ଖଣ୍ଡଗିରି ଥାନା ଓ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହୋଇଛନ୍ତି। ଅପରପକ୍ଷେ ଗଣେଶଙ୍କ ପତ୍ନୀ ରଂଜିତା ମଧ୍ୟ ହିମାଂଶୁଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟ ଏକ ଘଟଣା‌ରେ ଜାଗମରା ଅଞ୍ଚଳର ଇକ୍‌ବାଲ୍ ଖାଁ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ଗତ ୧୯ତାରିଖ ଦିନ ୫ଜଣ ଯୁବକ ବନ୍ଧୁକ ଧରି ତାଙ୍କ ଘରେ ପଶି ତାଙ୍କୁ ଏବଂ ତାଙ୍କ ପତ୍ନୀକୁ ନିସ୍ତୁକ ମାଡ଼ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ତେବେ ପୁଲିସ ସୁଚନାନୁସାରେ ସାମାନ୍ୟ ଗଣ୍ଡଗୋଳ ହୋଇଥିଲେ ବି ଆକ୍ରୋଶମୂଳକ ଭାବେ ଅଭିଯୋଗକାରୀମାନେ ବନ୍ଧୁକ ଉଠାଇବା କଥାକୁ ଏତଲାରେ ଉଲ୍ଲେଖ କରୁଛନ୍ତି। କିନ୍ତୁ ପରେ ଏହାର କୌଣସି ସତ୍ୟତା ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ତଦନ୍ତ ଶେଷ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ।

ସମ୍ବନ୍ଧିତ ଖବର