ଲକ୍‌ଡାଉନ୍‌ରେ ରାଜଧାନୀରେ ବନ୍ଧୁକ ଡିଲ୍: ଆଚାର୍ଯ୍ୟବିହାରରୁ ଜଣେ ଗିରଫ, ସହଯୋଗୀ ଫେରାର

୪ ବନ୍ଧୁକ, ୧୦ ଗୁଳି ଜବତ, ଜଗତସିଂହପୁରରୁ ଆସୁଛି ଚୋରା ବନ୍ଧୁକ

ଭୁବନେଶ୍ବର: ଲକ୍‌ଡାଉନ୍‌ରେ ମାତିଛନ୍ତି ଅପରାଧୀ, ମାଫିଆ। ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ଡିଲ୍। କେତେବେଳେ ବ୍ରାଉନସୁଗାର ତ ଆଉ କେତେବେଳେ ବନ୍ଧୁକ। ତା ସାଙ୍ଗକୁ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ବି ବେଧଡ଼କ ଚାଲାଣ ହେଉଛି। ବନ୍ଧୁକ ଡିଲ୍ କରିବାକୁ ଆସିଥିବା ବେଳେ ଗତକାଲି ଆଚାର୍ଯ୍ୟବିହାର ଛକ ନିକଟରେ ଏସଟିଏଫ୍ ହାତରେ ଧରାପଡ଼ିଛି ଜଣେ ବେପାରୀ। ତା’ ନିକଟରୁ ୪ଟି ବନ୍ଧୁକ, ୧୦ ରାଉଣ୍ଡ ଗୁଳି ଜବତ ହୋଇଥିବା ବେଳେ ସହଯୋଗୀ ଫେରାର ହୋଇଯାଇଛି। ଗିରଫ ବେପାରୀ କଟକ କନ୍ଦରପୁର ଅଞ୍ଚଳର ସଞ୍ଜୟ କୁମାର ସାହୁ ବୋଲି ଜଣାପଡ଼ିଛି। ସଞ୍ଜୟକୁ ସହିଦନଗର ପୁଲିସକୁ ହସ୍ତାନ୍ତର କରାଯାଇଛି। ଅଧିକ ତଥ୍ୟ ପାଇବା ପାଇଁ ସଞ୍ଜୟକୁ ମାରାଥନ୍ ଜେରା କରାଯାଉଥିବା ସହିଦନଗର ଥାନାଧିକାରୀ କହିଛନ୍ତି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ। ଅଧିକ ଜେରା ପାଇଁ ରିମାଣ୍ଡରେ ବି ଅଣାଯାଇପାରେ ବୋଲି ସେ କହିଛନ୍ତି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଞ୍ଜୟ ଜଣେ ପେସାଦାର ଅପରାଧୀ। ତା’ ନାଁରେ ପାରାଦୀପ, କନ୍ଦରପୁର, କଟକ ସମେତ ଏକାଧିକ ଥାନାରେ ମାମଲା ରହିଛି। ଗତକାଲି ଜଣେ ସହଯୋଗୀ ସହ ମିଶି ଆଚାର୍ଯ୍ୟ ବିହାର ଛକ ନିକଟରେ ବନ୍ଧୁକ ବିକିବା ଲାଗି ଡିଲ୍ କରିବାକୁ ଯାଇଥିଲା। ଜଣେ ଅପରାଧୀ, ଜଣେ ଜମି ମାଫିଆଙ୍କୁ ସେ ଏହି ବନ୍ଧୁକ ବିକ୍ରି କରିବା ପାଇଁ ଅପେକ୍ଷା କରିଥିଲା। ଏ ସମ୍ପର୍କରେ ଖବର ପାଇ ଏସଟିଏଫ୍‌ର ଏକ ଟିମ୍ ସଞ୍ଜୟକୁ ଧରିବାକୁ ଯିବା ସମୟରେ ସହଯୋଗୀଜଣକ ଗାଡ଼ି ଧରି ଫେରାର ହୋଇ ଯାଇଥିଲା। ତେବେ ସଞ୍ଜୟକୁ ଏସଟିଏଫ୍ କାବୁ କରି ନେଇଥିଲା।
ଏହି ବନ୍ଧୁକ ଜଗତସିଂହପୁର ଅଞ୍ଚଳରୁ ସେ ଆଣିଥିବା ଜଣାପଡ଼ିଛି। ଏପ୍ରିଲରେ ଏସଟିଏଫ୍ ହାତରେ ଧରାପଡ଼ିଥିବା ଦୁଇ ଅପରାଧୀ ସୁରେଶ କୁମାର ଦାସ ଓ ସୌମ୍ୟରଞ୍ଜନ ଦଳେଇଠାରୁ ବନ୍ଧୁକ କାରବାରରେ ସକ୍ରିୟ ଥିଲେ। ଉଭୟଙ୍କଠାରୁ ଏକାଥରକେ ୮ ବନ୍ଧୁକ, ୨୦ ଗୁଳି ଜବତ ହୋଇଥିଲା। ସେମାନଙ୍କ ସହ ସଞ୍ଜୟର ସମ୍ପର୍କ ଥିବା ସନ୍ଦେହ କରୁଛି ଏସଟିଏଫ୍। ଖାଲି ସେତିକି ନୁହେଁ, ଚାଉଳିଆଗଞ୍ଜ ପୁଲିସ ହାତରେ ଗତକାଲି ଜଗତସିଂହପୁର ଜିଲ୍ଲାର ଜଣେ କୁଖ୍ୟାତ ଅପରାଧୀ ଧରାପଡ଼ିଛି। ତା ସହ ମଧ୍ୟ ସମ୍ପର୍କ ଥାଇପାରେ ବୋଲି ଏସଟିଏଫ୍ ଅନୁମାନ କରୁଛି। ସେହିପରି ଜିଲ୍ଲା ପୁଲିସ ମଧ୍ୟ ଗତ କିଛିମାସ ମଧ୍ୟରେ ୧୦ରୁ ଅଧିକ ବନ୍ଧୁକ ଜବତ କଲାଣି। ତେବେ ଜଗତସିଂହପୁର ଚୋରା ବନ୍ଧୁକ କାରବାରର ଖଣି ଅଞ୍ଚଳ ପାଲଟି ଯାଇଥିବା କୁହାଯାଉଛି। ଅପରାଧୀଙ୍କ ପାଖରେ ବିପୁଳ ପରିମାଣରେ ଚୋରା ବନ୍ଧୁକ ରହିଥିବା ଜଣାପଡ଼ିଛି। କିନ୍ତୁ ଏ ସବୁ ବନ୍ଧୁକ କେଉଁଠି ଆସୁଛି, କିଏ ଯୋଗାଉଛି ତାହାର ଚେର ଏସଟିଏଫ୍ କିମ୍ବା ପୁଲିସ ଖୋଜି ପାଇପାରି ନାହିଁ। ଯାହା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଏସଟିଏଫ୍ ଏବେ ସୁଦ୍ଧା ୩୧ ବନ୍ଧୁକ ଓ ୬୯ଗୁଳି ଜବତ କରିଛି। ଏକାଧିକ ଅପରାଧୀ ଓ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି। କିଛି ଦିନ ତଳେ ଭଦ୍ରକରୁ ବିହାର ମୁଙ୍ଗେରର ବନ୍ଧୁକ ବେପାରୀ ରବୀନ୍ଦ୍ର ପ୍ରସାଦକୁ ଏସଟିଏଫ୍ ଗିରଫ କରିଥିଲା। ଓଡ଼ିଶାରେ ରହି ବନ୍ଧୁକ ବେପାର କରୁଥିବା ଏସଟିଏଫ୍ ଜାଣିବାକୁ ପାଇଥିଲା।

ସମ୍ବନ୍ଧିତ ଖବର