ସରକାରୀ କ୍ବାର୍ଟର୍ସରେ ବନ୍ଧୁକ କାରଖାନା, ଗିରଫ ଓୟୁଏଟି କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର: ସରକାରୀ କ୍ବାର୍ଟର୍ସରେ ବନ୍ଧୁକ କାରଖାନା ଚଳାଇ ଗିରଫ ହୋଇଥିବା ଓୟୁଏଟି ଅଫିସ୍‌ ଆସିଷ୍ଟାଣ୍ଟ ନୃସିଂହ ନାୟକ ନିଲମ୍ବିତ ହୋଇଛନ୍ତି। ଆନୁଷ୍ଠାନିକ ଭାବେ ପୁଲିସ ଠାରୁ ତାଙ୍କ ଗିରଫଦାରୀ ବାବଦରେ ସୂଚନା ପାଇବା ପରେ ଆଜି ଓୟୁଏଟି କୁଳପତି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ତାଙ୍କୁ ବହିଷ୍କୃତ କରିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। କେଉଁ ପରିସ୍ଥିତିରେ ସେ ସରକାରୀ କ୍ବାର୍ଟର୍ସରେ ଏଭଳି ବେଆଇନ କାରଖାନା ଚଳାଇଥିଲେ ସେ ନେଇ ତାଙ୍କ ଠାରୁ ରିପୋର୍ଟ ତଲବ କରାଯାଇଛି। ଜାମିନ୍‌ରେ ଆସିବା ପରେ ସେ ଏହି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ହେବ। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ପ୍ରକିୟା ଆରମ୍ଭ ହୋଇଥିବା ଓୟୁଏଟି ପକ୍ଷରୁ ସୂଚନା ମିଳିଛି। ତଦନ୍ତବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପଦାକୁ ଆସିଛି। ତାଙ୍କ ନାମରେ ଓୟୁଏଟି କର୍ତ୍ତୃପକ୍ଷଙ୍କ ପାଖରେ ଅନେକ ଅଭିଯୋଗ ରହିଥିଲା। ସେ ଏଠାରେ ଦୀର୍ଘ ଦିନ ହେବ କାମ କରୁଥିଲେ। କିନ୍ତୁ ନିଜେ କାମ ନ କରି ଅନ୍ୟ ଜଣକୁ ରଖିଥିଲେ। କେତେକ କର୍ମଚାରୀଙ୍କୁ ଦୁର୍ବ୍ୟବହାର ନେଇ ମଧ୍ୟ କୁଳପତିଙ୍କ ପାଖରେ ଅଭିଯୋଗ ରହିଥିଲା। ଏ ନେଇ ଅଭିଯୋଗ ହେବା ପରେ ଖୋଳତାଡ଼ ହୋଇଥିଲା। ଅଭିଯୋଗ ପ୍ରମାଣିତ ହେବା ପରେ ୩ ମାସ ତଳେ ତାଙ୍କୁ ଚିପିଲିମା ସ୍ଥାନାନ୍ତର କରାଯାଇଥିଲା। କୁଳପତିଙ୍କ ଆଦେଶ ସତ୍ତ୍ବେ ସେ ଯାଇନଥିଲେ। ଏଠାରୁ ରିଲିଭ୍‌ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟଗତ କାରଣ ଦେଖାଇ ୩ ମାସ ହେବ ସେ ଛୁଟିରେ ଥିଲେ। ଏହି ସମୟରେ ସେ ବନ୍ଧୁକ ତିଆରିରେ ଲାଗି ପଡ଼ିଥିଲେ। ବିଶ୍ବବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା କ୍ବାର୍ଟର୍ସ ନମ୍ବର ୱାନ୍‌ ଆର ୧/୭ରେ ସେ ରହୁଥିଲେ। ପାଖରେ ଥିବା ୧/୬ ନମ୍ବର କ୍ବାର୍ଟର୍ସକୁ ମାଡ଼ି ବସିଥିଲେ। ୧/୬ ପରିତ୍ୟକ୍ତ ଅବସ୍ଥାରେ ମରାମତି ଅଭାବରୁ ପଡ଼ି ରହିଥିଲା। ଏହାର ସୁଯୋଗ ନେଇ ସେ ଏହାକୁ ବନ୍ଧୁକ ତିଆରି କାରଖାନା ପାଇଁ ବ୍ୟବହାର କରୁଥିଲେ। ୧୪ ତାରିଖ ରାତିରେ ବନ୍ଧୁକ ତିଆରି କରୁଥିବା ବେଳେ ଏକ ବାରୁଦ ପ୍ୟାକେଟ୍‌ ବିସ୍ଫୋରଣ ହେବାରୁ ଘଟଣା ପଦାକୁ ଆସିଥିଲା। ସ୍ଥାନୀୟ ଲୋକେ ଖବର ଦେବା ପରେ ପୁଲିସ ପହଞ୍ଚି ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର