ସରକାରୀ କ୍ବାର୍ଟର୍ସରେ, ବନ୍ଧୁକ କାରଖାନା

ବନ୍ଧା ହେଲେ ଓୟୁଏଟି କର୍ମଚାରୀ, ୩ ଅର୍ଧନିର୍ମିତ ରିଭଲ୍‌ଭର୍‌, ଗୁଳିଗୋଳା, ଖଣ୍ଡା ଓ ବିପୁଳ ବିସ୍ଫୋରକ ଜବତ

ଖଣ୍ଡଗିରି: ବିହାରର ମୁଙ୍ଗେର ନୁହେଁ। ଖୋଦ ରାଜଧାନୀ ଭୁବନେଶ୍ବର। ପୁଣି ଏକ ସରକାରୀ କ୍ବାର୍ଟର୍ସ। ତା’ ଭିତରୁ ଆଜି ଠାବ ହୋଇଛି ବନ୍ଧୁକ ତିଆରି କାରଖାନା। ଶହ ଶହ ସଂଖ୍ୟାରେ ବନ୍ଧୁକ ତିଆରି ହୋଇ ଅପରାଧୀମାନଙ୍କ ପାଖକୁ ପଠାଯାଇଛି। ଅପରାଧୀମାନେ ବନ୍ଧୁକ ମୁନରେ ଅନେକ ଅପରାଧ ମଧ୍ୟ ଘଟାଇଛନ୍ତି। ଦୀର୍ଘ ଦିନ ଧରି ଖଣ୍ଡଗିରି ଥାନା ଅଧୀନ ଶିରିପୁରଠାରେ ଥିବା ସରକାରୀ କ୍ବାର୍ଟର୍ସରେ ଏଭଳି କାରଖାନା ଚାଲୁଥିଲେ ମଧ୍ୟ କମିସନରେଟ ପୁଲିସର ଏ ସମ୍ପର୍କରେ କାଣିଚାଏ ସୂଚନା ମଧ୍ୟ ନ ଥିଲା। ତେବେ ଗତକାଲି ରାତିରେ ଏହି କାରଖାନା ଭିତରୁ ପ୍ରଚଣ୍ଡ ଶବ୍ଦ ହେବା ପରେ ପୁଲିସର ନଜର ସେହି କ୍ବାର୍ଟର୍ସ ଉପରେ ପଡ଼ିଥିଲା। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ଠାବ ହୋଇଥିଲା ଏହି କାରଖାନା। ଏ ନେଇ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହିତ କାରଖାନା ଚଳାଉଥିବା ଆର୍ଥାତ ବନ୍ଧୁକ ତିଆରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତା‌ଙ୍କ ନାଁ ନୃସିଂହ ଚାରଣ ନାଏକ। ସେ ଓୟୁଏଟିରେ ଚାକିରି କରୁଛନ୍ତି। ପୁଲିସ ଏହି କାରଖାନା ତଥା କ୍ବାର୍ଟର୍ସ ଭିତରୁ ୩ଟି ଅର୍ଧନିର୍ମିତ ରିଭଲ୍‌ଭର୍‌, ୬ଟି ଅଫୁଟା ଗୁଳି, ଶତାଧିକ ଖୋକା, ଗୋଟିଏ ଖଣ୍ଡା, ଓ ବୋମା ପାଇଁ ଉଦ୍ଦିଷ୍ଟ ବିପୁଳ ବିସ୍ଫୋରକ ସାମଗ୍ରୀ, ବନ୍ଧୁକ ତିଆରି ମେସିନ୍‌, ଉପକରଣ ଓ ସରଞ୍ଜାମ ଜବତ କରିଛି। ଆଜି ତାକୁ ନୃସିଂହକୁ କୋର୍ଟ ଚାଲାଣ କରିଛି ପୁଲିସ। ତେବେ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଛି। ଘଟଣାଟିର ପର୍ଦାଫାସ ହେବା ପରେ ‌ କମିସନରେଟ ପୁଲିସ ମଧ୍ୟ ଛାନିଆ ହୋଇ ଯାଇଛି। ସେହିପରି ଏହି ଘଟଣା ପରେ ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି।

ବୋମା ଫୁଟିବାରୁ ଧରାପଡ଼ିଲା କାରଖାନା
ରବିବାର ରାତି ପ୍ରାୟ ୧୧ଟାବେଳେ ଓୟୁଏଟି କଲୋନି ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଥିବା ନେଇ କେହି ଜଣେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍ କରି ଜଣାଇଥିଲେ। ଉକ୍ତ ସୂଚନାନୁସାରେ ଖଣ୍ଡଗିରି ଥାନା ପୁଲିସ ଓୟୁଏଟି କଲୋନିରେ ବହୁ ଖୋଜାଖୋଜି କରିବା ପରେ ନୃସିଂହଙ୍କ କ୍ବାର୍ଟର୍ସ ୧/୭ ପାଖରେ ଅଟକି ଯାଇଥି‌ଲା। ବାରୁଦ ଗନ୍ଧ ବାରି ପୁଲିସ ଉକ୍ତ ଘରକୁ ଟାର୍ଗେଟ୍‌ କରିଥିଲା। ପରେ ଜଣାପଡ଼ିଲା ଯେ ୧/୭ ପାଖ‌ରେ ଏକ ପରିତ୍ୟକ୍ତ ଘର ବେଶ୍ ଅନ୍ଧାରିଆ ହୋଇ ରହିଛି ଓ ଉକ୍ତ ବାଡ଼ି ଭିତରୁ ବାରୁଦ ଗନ୍ଧ ଆସୁଛି। ଏହା ପରେ ପୁଲିସ ଟିମ୍‌ ଉକ୍ତ ଦୁଇଟି ଘରକୁ ସିଲ୍‌ କରି ଯାଞ୍ଚ କରିଥିଲା। ପୁଲିସ ପହଞ୍ଚିବା ପୂର୍ବରୁ ନୃସିଂହ ଉକ୍ତ ପରିତ୍ୟକ୍ତ ଘରକୁ ଧୋଇ ଦେଇଥିଲେ ବି ସେଠାରୁ ଓଦା ସୁତୁଲି ବଣ୍ଡଲ୍‌ ମିଳିଥିଲା। ସେହିଭଳି ଅଗଣାରୁ ସଦ୍ୟ ବାରୁଦ ପୋଡ଼ା ଗନ୍ଧ ବାହାରୁଥିଲା। ତେଣୁ ଧରାପଡ଼ି ଯାଇଥିଲା ନୃସିଂହ। ଏହା ପରେ ପୁଲିସ ତା ନିଜ କ୍ବାର୍ଟର୍ସକୁ ବି ତଲାସି କରିଥିଲା। ସେଠାରେ ବନ୍ଧୁକ ତିଆରି କାରଖାନା ଦେଖିବା ପରେ ପୁଲିସର ହୋସ୍ ଉଡ଼ି ଯାଇଥିଲା। ଦୀର୍ଘ ଦିନ ଧରି ନୃସିଂହ ଏଠାରେ ଏହି କାରବାର ଚଳାଇଥିଲେ ବି ଭୟରେ କଲୋନିବାସୀ କେହି ମୁହଁ ଖୋଲିବାକୁ ସାହସ କରୁ ନଥିଲେ। ପ୍ରଥମତଃ ସେ ସ୍ଥାନୀୟ ସରକନ୍ତରା ଗାଁ ଲୋକ ହୋଇଥିବାବେଳେ ତା’ର ସମ୍ପର୍କୀୟ ଭାଇ ସୁଧୀର ରାଜଧାନୀର ଜଣେ ଜଣାଶୁଣା ଅପରାଧୀ। ୟୁନିଟ୍‌-୨ ଅଞ୍ଚଳର ଏହି କୁଖ୍ୟାତ୍‌ ଅପରାଧୀ ସୁଧୀର ନାଁରେ କ୍ୟାପିଟାଲ ଥାନାରେ ବହୁ ମାମଲା ରହିଛି। ତେଣୁ ନୃସିଂହକୁ ଓୟୁଏଟି କଲୋନିରେ ସମସ୍ତେ ଭୟ କରୁଥିଲେ। ତେବେ ଗତକାଲିର ବୋମା ବିସ୍ଫୋରଣ ଏହି କଳା କାର୍‌ନାମାର ପର୍ଦାଫାସ୍‌ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ମାସ ହେଲା ଖଣ୍ଡଗିରି ଥାନା ପୁଲିସ ଏହି କାରଖାନା ବାବଦରେ ସୂଚନା ପାଇଥିଲା ଓ ଉକ୍ତ କ୍ବାର୍ଟର୍ସ ଉପରେ କଡ଼ା ନଜର ରଖିଥିଲା। ମାତ୍ର ବଳିଷ୍ଠ ପ୍ରମାଣ ବିନା ପୁଲିସ ସେଠାରେ ଚଢ଼ଉ କରିବାକୁ ସାହସ ଜୁଟାଇ ପାରି ନଥିଲା।

ଅଧିକ ତଦନ୍ତ ଚାଲିଛି, ରିମାଣ୍ଡ‌ରେ ଅଣାଯିବ
ପୁଲିସ ଉକ୍ତ ଘରୁ ପ୍ରାୟ ୭/୮ କେଜି ଓଜନର ବିସ୍ଫୋରକ ସାମଗ୍ରୀ(ଯବକ୍ଷାର, କାର୍ବନ, ଗନ୍ଧକ, ମଣିଚୂର୍ଣ, ବ୍ଲାକ ପାଉଡର୍‌, ଲୁହାଗୁଣ୍ଡ, ମେଣ୍ଟାଲ) ଜବତ କରିଛି। ଏଠାରେ ସେ ରିଭଲ୍‌ଭର ଗୁଳି ଓ ବୋମା ତିଆରି କରୁଥିବ‌ା ସ୍ପଷ୍ଟ ହୋଇଛି। ତେବେ ଏହି ବନ୍ଧୁକ ଓ ଗୁଳିଗୋଳା ସେ କାହାକୁ ବିକୁଥିଲା ଓ ସମସ୍ତ ଉପକରଣ କେଉଁଠାରୁ କିଣୁଥିଲା, ତାହା ତଦନ୍ତ ଶେଷ ହେବା ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ତେବେ ଯଦୁପୁର, ସରକନ୍ତରା, ବାହାଦଲପୁର, ଡୁମୁଡୁମା, ରଘୁନାଥନଗର ଅଞ୍ଚଳ‌ ସହ ରାଜଧାନୀରେ ତା’ର ଏହି କାରବାର ଚାଲିଥିଲା ବୋଲି ପୁଲିସ ସ‌ନ୍ଦେହ କରୁଛି। ତେଣୁ ଅଧିକ ତଦନ୍ତ ପାଇଁ ତାକୁ ପୁଣି ଥରେ ରିମାଣ୍ଡରେ ଅଣାଯିବାକୁ ଯୋଜନା ଅଛି ବୋଲି ପୁଲିସ ସୂଚନା ଦେଇଛି।

ଖୋଳତାଡ଼ ପରେ ହେବ କାର୍ଯ୍ୟାନୁଷ୍ଠାନ: ଡିସିପି
ଖଣ୍ଡଗିରି ଥାନା ପୁଲିସ ଠାବ କରିଥିବା ବନ୍ଧୁକ କାରଖାନାରେ ପ୍ରଥମେ ବାଣ ଭିଡ଼ା ଯାଉଥିଲା। ଅଭିଯୁକ୍ତ ନୃସିଂହର ବାପା ଏହାକୁ ଚଳାଉଥିଲେ। କିନ୍ତୁ ୭/୮ ମାସ ହେବ ନୃସିଂହ ଏହାକୁ ଚଳାଇବା ସହିତ ବନ୍ଧୁକ ତିଆରି କରୁଥିଲା। ଏଥିପାଇଁ ସେ ସମସ୍ତ ସରଞ୍ଜାମ ମଧ୍ୟ କିଣିଥିଲା। ତେବେ ଏଠାରୁ ପ୍ରସ୍ତୁତ ବନ୍ଧୁକ ସେ କାହାରିକୁ ବିକ୍ରି କରିଛନ୍ତି କିମ୍ବା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ଯଦି ସେ କାହାରିକୁ ବିକ୍ରି କରିଥିବେ ସେ ସମ୍ପର୍କରେ ମଧ୍ୟ ଅଧିକ ଖୋଳତାଡ଼ ହେବ ବୋ‌ଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି। ଆବଶ୍ୟକ ହେଲେ ନୃସିଂହକୁ ରିମାଣ୍ଡରେ ଅଣା ଯାଇ ତାକୁ ଜେରା କରାଯିବ ବୋଲି ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ପୂର୍ବରୁ ଆପରାଧିକ ମାମଲା ରହିଛି
ନୃସିଂହ ନାଁରେ ପୂର୍ବରୁ ବହୁ ଆପରାଧିକ ମାମଲା ରହିଛି। ସେ ଗାଁରେ ରହୁଥିବାବେଳେ ଗ୍ରାମବାସୀମାନଙ୍କ ସହ ଝଗଡ଼ା କରିଥିଲା ଓ ଗ୍ରାମବାସୀମାନଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲା। ତେଣୁ ଗ୍ରାମବାସୀଙ୍କ ଉପରେ ପ୍ରତିଶୋଧ ନେବାକୁ ସେ ସବୁବେଳେ ଉଦ୍ୟମ କରି ବୋମା ଭିଡ଼ା କାମରେ ମନ ନିବେଶ କରିଥିଲା। ୨୦୦୬ ମସିହାରେ ତା ସାନ ଭାଇ ନାରାୟଣ ନାଏକ ବୋମା ନେଇ ବାଇକ୍‌ରେ ଯାଉଥିବାବେଳେ ବିସ୍ଫୋରଣ ହେବାରୁ ମୃତ୍ୟୁବରଣ କରିଥିଲା। ତେବେ ସେହିଦିନଠାରୁ ନୃସିଂହର ଗଣ୍ଡଗୋଳ କମି ଯାଇଥିଲା। କିନ୍ତୁ ଭିତରେ ଭିତରେ ସେ ଏହି ଭୟଙ୍କର କାରବାର ଜାରି ରଖିଥିଲା।

ସମ୍ବନ୍ଧିତ ଖବର