ସରକାରୀ କ୍ବାର୍ଟର୍ସରେ ବନ୍ଧୁକ କାରଖାନା ମାମଲା, କାହାକୁ ଓ କେତେ ବିକିଛି?

ଖଣ୍ଡଗିରି: ସ୍ଥାନୀୟ ଓୟୁଏଟି କଲୋନିସ୍ଥିତ ସରକାରୀ କ୍ବାର୍ଟର୍ସରୁ ଠାବ ହୋଇଥିବା ବନ୍ଧୁକ କାରଖାନା ମାମଲାକୁ କମିସନରେଟ୍‌ ପୁଲିସ ଗମ୍ଭୀରତାର ସହ ନେଇଛି। ଅଭିଯୁକ୍ତ ନୃସିଂହ ନାଏକର ଏହି କାରବାରର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ତାହାକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଦୀର୍ଘ ବର୍ଷ ହେବ ଏହି ମିନି ପ୍ଲାଣ୍ଟଟି ଚାଲିଥିବାରୁ ସେ ବହୁତଗୁଡ଼ାଏ ରିଭଲ୍‌ଭର୍‌ ବିକ୍ରି କରିଥିବା ପୁଲିସ ସନ୍ଦେହ କରୁଛି। ତେଣୁ ସେ କେତେ ବନ୍ଧୁକ ବିକିଛି ଓ କେଉଁମାନେ ତା’ର ଗ୍ରାହକ, ସେ ନେଇ ପୁଲିସ ତଦନ୍ତ ଆରମ୍ଭ ହୋଇଥିବ‌ା ସୂଚନା ମିଳିଛି। ଅଧିକ ଖୋଳତାଡ଼ ପାଇଁ ନୃସିଂହକୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ ଯୋଜନା କରିଛି। କିନ୍ତୁ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳା ରକ୍ଷା କାମରେ ଏବେ ପୁଲିସ ବ୍ୟସ୍ତ ରହୁଥିବାରୁ ୨୩ ତାରିଖ ପରେ ରିମାଣ୍ଡ ଆବେଦନ କରାଯିବ ବୋଲି ସ୍ଥିର ହୋଇଛି। ଏବେ ପୁଲିସ ତା’ ମୋବାଇଲ୍‌ ଫୋନ୍‌କୁ ଯାଞ୍ଚ କରିବା ଆରମ୍ଭ କରିଛି। ବନ୍ଧୁକ କାରବାର ବାବଦରେ ମୋବାଇଲ୍‌ ଫୋନ୍‌ରୁ ବହୁତ କିଛି ତଥ୍ୟ ମିଳିବା ସମ୍ଭାବନା ରହିଛି ‌େବ‌ାଲି ପୁଲିସ ନିଶ୍ଚିତ ହୋଇଥିବା ଜଣାପଡ଼ିଛି। ସେହିଭଳି ଖଣ୍ଡଗିରି ଥାନା ଅନ୍ତର୍ଗତ ନୃସିଂହର ଗାଁ ସରକନ୍ତରା ଓ ଆଖପାଖ ଡୁମୁଡୁମା, ଯଦୁପୁର, ରଘୁନାଥନଗର ଅଞ୍ଚଳରେ ସେ ଅପରାଧୀଙ୍କୁ ବୋମା ଓ ବନ୍ଧୁକ ଯୋଗାଉଥିବା ପୁଲିସ ସନ୍ଦେହ କରୁଛି। ଖାଲି ସେତିକି ନୁହେଁ, ଛିନ୍‌ତାଇ ଓ ଲୁଟେରା ଗ୍ୟାଙ୍ଗ୍‌ ଛଡ଼ା ଖୋର୍ଧା ଅଞ୍ଚଳର ବହୁ ପଥର ଓ ମୁଣ୍ଡିଆ ମାଫିଆ ମଧ୍ୟ ନୃସିଂହ ସହ କାରବାରରେ ଲିପ୍ତ ବୋଲି ପୁଲିସକୁ ସୁରାକ୍ ମିଳିଛି। ତଦନ୍ତକାରୀ ଅଧିକାରୀଙ୍କ କହିବା କଥା, ନୃସିଂହ ବହୁତ ବନ୍ଧୁକ ବିକିଥିବା ଅନୁମାନ କରାଯାଉଛି। ତା’ ବନ୍ଧୁକ ତିଆରି ଶୈଳୀ ହିଁ ପ୍ରମାଣ ଦେଉଛି। ବେଶ୍ ନିଖୁଣ ଭାବରେ ସେ ରିଭଲ୍‌ଭର୍‌ ତିଆରି କରୁଥିବାରୁ ସେ ବେଶ୍ ପୁରୁଣା ଓ ଦକ୍ଷ ବୋଲି ସ୍ପଷ୍ଟ ଜଣାପଡ଼ିଛି। ରିଭଲ୍‌ଭରର ସମସ୍ତ ପାର୍ଟସ ସେ ନିଜେ ତିଆରି କରିଥାଏ। ଏମିତିକି ୬ ରାଉଣ୍ଡ ଗୁଳି ରହିବା ପାଇଁ ବୋର୍‌ଗୁଡ଼ିକୁ ମଧ୍ୟ ସେ ନିଜେ ବେଶ୍ ସୁନ୍ଦର ଭାବେ ଡ୍ରିଲିଂ ମେସିନ୍‌ରେ କରିଥାଏ। ବିଭିନ୍ନ ସାଇଜ୍‌ର ଗୁଳି ତିଆରିରେ ମଧ୍ୟ ସେ ସିଦ୍ଧହସ୍ତ। ତେଣୁ ଏହି କାରବାର ନୂଆ ନୁହେଁ ଓ ସେ ବହୁତ ଦିନ ଧରି ଚଳାଇ ଆସିଥିବାରୁ ତା’ଠାରୁ ବହୁ ଅପରାଧୀ ବନ୍ଧୁକ କିଣିଥିବା ନିଶ୍ଚିତ।

ସମ୍ବନ୍ଧିତ ଖବର