ଭୁବନେଶ୍ବର: ପାର୍ବଣ ପୂର୍ବରୁ କମିସନରେଟ୍ ପୁଲିସ କବ୍ଜାରେ ପଡ଼ିଛି ଏକ ବଡ଼ଧରଣର ବନ୍ଧୁକ ମାଫିଆ ଗ୍ୟାଙ୍ଗ୍। ବିହାରରୁ ବନ୍ଧୁକ ଆଣି ଓଡ଼ିଶାରେ ବିକୁଥିବା ଏହି ଗ୍ୟାଙ୍ଗ୍ର ୩ଜଣ ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ଫାଶରେ ପଡ଼ିଯାଇଛନ୍ତି। ସେମାନେ ହେଲେ ଗ୍ୟାଙ୍ଗ୍ର ମୁଖିଆ ଝାଡ଼ଖଣ୍ଡ ଲୋହାରଦାଗା ଅଞ୍ଚଳର ମହେଶ କୁମାର ଶାହା ଓରଫ ଟିପୁ(୫୦), ଖୋର୍ଦ୍ଧା ଜିଲ୍ଲା ଦେଉଳଟାଙ୍ଗୀର ମହମ୍ମଦ ସକାବତ୍(୪୮) ଓ ଖୋର୍ଦ୍ଧା ଜଙ୍କିଆ ଗୟାବନ୍ଧର ଫିରୋଜ୍ ଅଲ୍ଲୀ ଖାଁ(୫୩)। ସେମାନଙ୍କ ନିକଟରୁ ୮ଟି ବନ୍ଧୁକ, ୩୪ ରାଉଣ୍ଡ ଗୁଳି, ୧୦ଟି ମାଗ୍ଜିନ୍ ଓ ୩ଟି କାର୍ ଜବତ କରାଯାଇଛି। ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗ ମୋହନ ମୀନା ଏହି ଗ୍ୟାଙ୍ଗ୍ ସମ୍ପର୍କରେ କହିଛନ୍ତି। ଏହି ଗ୍ୟାଙ୍ଗ୍ରେ ଆହୁରି ୭ରୁ ଊର୍ଧ୍ବ ଅପରାଧୀ ସାମିଲ ଅଛନ୍ତି। ୩ ମାଫିଆଙ୍କୁ ରିମାଣ୍ଡ୍ରେ ଅଣାଯିବ ବୋଲି ସିପି କହିଛନ୍ତି।
ମୁଙ୍ଗେର ବନ୍ଧୁକର ଚାହିଦା ବେଶି
ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ଓଡ଼ିଶାର ଅପରାଧୀଙ୍କୁ ଯୋଗାଯାଉଥିଲେ ମୁଖିଆ ଟିପୁ। ଏଥିପାଇଁ ସେ ଓଡ଼ିଶା ଓ ବିହାରରେ ଏଜେଣ୍ଟ ରଖିଥିଲା। ବନ୍ଧୁକ ବିକ୍ରି ଡିଲ୍ ପାଇଁ ସେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କୋଡ୍ ୱାର୍ଡ ବ୍ୟବହାର କରୁଥିଲା। ବଡ଼ କଥା ହେଉଛି ଓଡ଼ିଶାରୁ ବରାଦ ପାଇବା ପରେ ଟିପୁ ମୁଙ୍ଗେରରୁ ୩୦ ହଜାର ଟଙ୍କାରେ ବନ୍ଧୁକ କିଣୁଥିଲା ଏବଂ ସକାବତ, ଫିରୋଜ ଓ ଅନ୍ୟ ସହଯୋଗୀଙ୍କୁ ୪୫ ହଜାର ଟଙ୍କାରେ ବିକ୍ରି କରୁଥିଲା। ସେମାନେ ଓଡ଼ିଶାର ଅପରାଧୀଙ୍କୁ ୮୦/୯୦ ହଜାର ଟଙ୍କାରେ ବନ୍ଧୁକ ବିକ୍ରି କରୁଥିଲେ। ଏଜେଣ୍ଟମାନେ ମୋଟା ରକମର କମିସନ ନେଇ ସୁରକ୍ଷିତ ଭାବେ ବନ୍ଧୁକଗୁଡ଼ିକୁ ଗ୍ରାହକଙ୍କ ପାଖରେ ପହଞ୍ଚାଉଥିଲେ।
୬ ଜିଲ୍ଲାରେ ଥିଲା ସାମ୍ରାଜ୍ୟ
ଝାଡ଼ଖଣ୍ଡୀ ଟିପୁ ଡୁମୁଡୁମା ଅଞ୍ଚଳରେ ଏକ ଭଡ଼ାଘରେ ରହୁଥିଲା। ୨୦୦୭ ମସିହାରେ ତାକୁ ଖାରବେଳନଗର ଥାନା ପୁଲିସ ଗିରଫ କରିଥିଲା। ଜାମିନରେ ଆସିବା ପରେ ସେ ୧୮ ବର୍ଷ ହେଲା ବନ୍ଧୁକ କାରବାର ଚଳାଇଥିଲା। ସକାବତ୍, ଫିରୋଜ୍ ଓ ଅନ୍ୟ ୫ରୁ ୭ ସଦସ୍ୟଙ୍କୁ ନେଇ ସେ ଗ୍ୟାଙ୍ଗ୍ ଗଢ଼ିଥିଲା। ରାଜଧାନୀ ସମେତ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ବ୍ରହ୍ମପୁରରେ ଏହି ଗ୍ୟାଙ୍ଗ୍ ପତିଆରା ଥିଲା। ବିଶେଷକରି ବାଲିଘାଟ, ଖଣି ଅଞ୍ଚଳ, ବଡ଼ବଡ଼ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ବନ୍ଧୁକ ମୁନରେ ଭୟଭୀତ କରି ଏମାନେ ବଟି ଆଦାୟ କରୁଥିଲେ। ଏହି ଗ୍ୟାଙ୍ଗ୍ ସମ୍ପର୍କରେ ସୂଚନା ପାଇବା ପରେ ସ୍ପେସାଲ୍ କ୍ରାଇମ୍ ୟୁନିଟ୍(ଏସ୍ସିୟୁ) ଏମାନଙ୍କୁ ଗିରଫ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ମଙ୍ଗଳବାର ଅପରାହ୍ଣ ସାଢ଼େ ୪ଟା ସମୟରେ ମହେଶ ଓ ସକାବତ୍ ଉତ୍କଳ ହସ୍ପିଟାଲ୍ ରୋଡ୍ରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ କରୁଥିବା ନେଇ ଏସ୍ସିୟୁ ଟିମ୍ ହାତରେ ଖବର ଲାଗିଥିଲା। ତୁରନ୍ତ ଏସ୍ସିୟୁର ୩ଟି ସ୍ବତନ୍ତ୍ର ଟିମ୍ ସେଠାରେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଦୁଇ ଅଭିଯୁକ୍ତ ବନ୍ଧୁକଗୁଡ଼ିକୁ ନିକଟସ୍ଥ ବଣକୁ ଫୋପାଡ଼ି ଫେରାର ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ହାତରୁ ଖସି ପାରିନଥିଲେ। ବଣରୁ ୪ଟି ବନ୍ଧୁକ ମିଳିଥିଲା। ଏହାପରେ ପୁଲିସ ଜଙ୍କିଆ ଅଞ୍ଚଳରେ ଚଢ଼ଉ କରି ଫିରୋଜ୍କୁ ବାନ୍ଧିବା ସହ ତା’ ଘରୁ ୪ଟି ବନ୍ଧୁକ, ଗୁଳି ଆଦି ଜବତ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ରାଜଧାନୀର ୫ଟି ଚର୍ଚ୍ଚିତ ଅପରାଧିକ ମାମଲାରେ ଏହି ଗ୍ୟାଙ୍ଗ୍ର ହାତ ରହିଛି।
ବନ୍ଧୁକ କାରବାରରୁ ଲଘୁ ଖଣିଜ ବେପାର
ପ୍ରଥମେ ଏହି ଗ୍ୟାଙ୍ଗ୍ କେବଳ ବନ୍ଧୁକ ବେପାର କରୁଥିଲା। ଏମାନଙ୍କ ଗ୍ରାହକ ଥିଲେ କିଛି ବାଲିଘାଟ ବ୍ୟବସାୟୀ ଓ ଲଘୁ ଖଣିଜ ବେପାରୀ। ବିହାର ବନ୍ଧୁକ କିଣିବାକୁ ଆଗ୍ରହ କରୁଥିବା ଚୋରା ଖଣି ବେପାରୀମାନେ ଏମାନଙ୍କୁ ତାଙ୍କ ବେପାରରେ ସାମିଲ ହେବାକୁ ପ୍ରସ୍ତାବ ଦେବା ପରେ ସେମାନେ ସେଥିରେ ମୁଣ୍ଡ ପୂରାଇଥିଲେ। ଧୀରେଧୀରେ ବାଲିଘାଟ, ପଥରଖାଦନ ବ୍ୟବସାୟରେ ଏହି ଗ୍ୟାଙ୍ଗ୍ ସକ୍ରିୟ ଭୂମିକା ଗ୍ରହଣକଲା। ମୁଖିଆ ଟିପୁ ଆଠଗଡ଼ ଖୁଣ୍ଟୁଣି ଅଞ୍ଚଳରେ ଏକ ଖାଦାନ ଅକ୍ତିଆର କରିଛି। ସେହିଭଳି ଫିରୋଜ ମଧ୍ୟ ଖୋର୍ଦ୍ଧା ଅଞ୍ଚଳରେ ଏକ ପଥର ଖଣି ଅଧିକାର କରିଛି। ତେଣୁ ଏହି ଗ୍ୟାଙ୍ଗ୍ କୋଟି କୋଟି କଳାଟଙ୍କାର ସମ୍ପତ୍ତିର ମାଲିକ ବୋଲି ଅନୁମାନ କରାଯାଉଛି।