ଭୁବନେଶ୍ବର : ପୁଲିସ ଆଖିରେ ଧୂଳି ଦେଇ ବାରମ୍ବାର ଚମ୍ପଟ ମାରୁଥିବା ଦେଶୀ ବନ୍ଧୁକ କାରବାରର ମାଷ୍ଟରମାଇଣ୍ଡ ଜଗତସିଂହପୁରର ଧନଞ୍ଜୟ ସାହୁ ଶେଷରେ ଧରାପଡ଼ିଛି। ପ୍ରାୟ ବର୍ଷେ ହେଲା ତାକୁ ପିଛା କରୁଥିବା ଏସ୍ଟିଏଫ୍ ରବିବାର ରାତିରେ ତାକୁ ଗିରଫ କରିବାରେ ସଫଳ ହୋଇଛି। ତା’ ଠାରୁ ୫ଟି ଦେଶୀ ବନ୍ଧୁକ ଓ ୬ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଜଗତସିଂହପୁର, ନିଆଳି, କଟକ, ପୁରୀ, ଖୋର୍ଦ୍ଧା ଅଞ୍ଚଳରେ ବହୁ ଦେଶୀ ବନ୍ଧୁକ ବିକ୍ରି କରିଥିବା ଧନଞ୍ଜୟ ସ୍ବୀକାର କରିଛି। ଏମିତିକି ତା’ ବନ୍ଧୁକ କାରବାରର ଚେର ରାଜ୍ୟ ବାହାରକୁ ମଧ୍ୟ ଲମ୍ବିଛି ବୋଲି ସେ ସୂଚନା ଦେଇଛି। ଯେଉଁମାନଙ୍କୁ ସେ ବନ୍ଧୁକ ବିକ୍ରି କରିଛି, ସେମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଓ ଖୁବ୍ ଶୀଘ୍ର ତାକୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍ଟିଏଫ୍ କହିଛି।
ଗତ ମେ’ ମାସରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସ୍ଟିଏଫ୍ ଟିମ୍ ଜଗତସିଂହପୁର ଦେବୀ ନଦୀ ଶିଖରଘାଟ ପୋଲ ନିକଟରେ ଚଢ଼ଉ କରିଥିଲା। ପୋଲ ତଳେ ବନ୍ଧୁକ କାରବାର ପାଇଁ ଯୋଜନା ହେଉଥିବା ଖବର ପାଇ ସେଠାରେ ଚଢ଼ଉ କରାଯାଇଥିଲା। ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା ଓ ବାଲି ତଳେ ପୋତା ହୋଇଥିବା ୮ଟି ଦେଶୀ ବନ୍ଧୁକ ଜବତ କରାଯାଇଥିଲା। ସେତେବଳେ ଧନଞ୍ଜୟ ଓ ତା’ର କିଛି ସହଯୋଗୀ ଖସି ପଳାଇଥିଲେ। ୨ ଅଭିଯୁକ୍ତଙ୍କୁ ୩ଦିନିଆ ରିମାଣ୍ଡ ଆଣି ଏସ୍ଟିଏଫ୍ ଖୋଳତାଡ଼ କରିଥିଲା। ସେମାନଙ୍କ ଠାରୁ ଧନଞ୍ଜୟ ଓ ତା’ ଗ୍ୟାଙ୍ଗ୍ ସମ୍ପର୍କରେ ସୂଚନା ମିଳିଥିଲା। ସେହିଭଳି ଗତ ୪ ଦିନ ତଳେ ଏସ୍ଟିଏଫ୍ ଜଗତସିଂହପୁରରେ ଚଢ଼ଉ କରି ଦୁଇ ଜଣଙ୍କୁ ଧରିଥିଲା। ସେତେବେଳେ ମଧ୍ୟ ଧନଞ୍ଜୟ ଫେରାର୍ ହେବାରେ ସକ୍ଷମ ହୋଇଥିଲା। ତେବେ ଗତକାଲି ରାତିରେ ସେ ଘରେ ଥିବାବେଳେ ଏସ୍ଟିଏଫ୍ ଚଢ଼ଉ କରି ତାକୁ ଗିରଫ କରିଥିଲା।
ସୂଚନାନୁସାରେ ଗୋଟିଏ ଦେଶୀ ବନ୍ଧୁକ ତିଆରି ପାଇଁ ୩ଶହରୁ ୫ ଶହ ଟଙ୍କା ଖର୍ଚ୍ଚ ହୁଏ। କାଷ୍ଟ ଆଇରନ୍ ପ୍ଲେଟ୍କୁ ଛାଞ୍ଚରେ ପକାଇ ବନ୍ଧୁକ ତିଆରି କରାଯାଏ। ତେବେ ମାତ୍ର ୫ ଶହ ଟଙ୍କାରେ ତିଆରି କରି ସେ ବନ୍ଧୁକ ଗୋଟାକୁ ୨ ହଜାର ଟଙ୍କାରେ ବିକ୍ରି କରୁଥିବା ସ୍ବୀକାର କରିଛି। ଲୁଟେରା, ଡକାୟତ ଓ ଠିକାଦାରଙ୍କୁ ଏହି ହାତ ତିଆରି ବନ୍ଧୁକ ଯୋଗାଣ ହେଉଛି। ଉଲ୍ଲେଖଯୋଗ୍ୟ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ଏସ୍ଟିଏଫ୍ ମୋଟ୍ ୩୭ ବନ୍ଧୁକ ଓ ୭୬ ଗୁଳି ଜବତ କରିଛି।