ଭୁବନେଶ୍ବର: ରାଜଧାନୀରେ ବନ୍ଧୁକଧାରୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଲୁଟେରାମାନେ ସ୍ପଷ୍ଟ ଦିବାଲୋକରେ ଗୁଳି ଫୁଟାଇ ଲୁଟ୍‌ କରୁଛନ୍ତି। କେବଳ ଲୁଟେରା ନୁହଁନ୍ତି, ଅପରାଧ ଜଗତରେ ନୂଆ କରି ପାଦ ରଖୁଥିବା ଯୁବକଙ୍କ ହାତରେ ବି ବନ୍ଧୁକ ରହିଲାଣି। ତେଣୁ ଛୋଟ ଛୋଟ କଥାରେ ବି ଗର୍ଜୁଛି ବନ୍ଧୁକ। ପୁଣି ଲୁଚାଛପାରେ କି ଗଳିକନ୍ଦିରେ ନୁହେଁ, ଜନଗହଳିପୂର୍ଣ୍ଣ ସ୍ଥାନରେ ବନ୍ଧୁକ ଫୁଟୁଛି। ଅପରାଧ ଜଗତର ନବା‌ଗତମାନେ ହାତରେ ବନ୍ଧୁକ ଧରିବା ପରେ ସ୍ଥାନ, କାଳ, ପାତ୍ର କିଛି ଦେଖୁ ନାହାନ୍ତି। ପତିଆରା ଦେଖାଇବା ପାଇଁ ଯେଉଁଠି ବି ହେଉନା କାହିଁକି ବନ୍ଧୁକ ଫୁଟାଇବାକୁ ପଛାଉ ନାହାନ୍ତି।

Advertisment

ଗତ ମାର୍ଚ୍ଚ ମାସରେ ରାଜଧାନୀରେ ଘଟିଥିବା ଚାରି ଚାରିଟି ମାମଲାରୁ ରାଜଧାନୀର ଏହି ଚିତ୍ର ସ୍ପଷ୍ଟ ହୋଇଛି। ପରିତାପର କଥା, ପୁଲିସ ଗୋଟିଏ ମାମଲାରେ ଅପରାଧୀମାନଙ୍କୁ ଘଟଣାସ୍ଥଳରୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ସବୁ ମାମଲାରେ ଦୁର୍ବୃତ୍ତମାନଙ୍କୁ ଠାବ କରିପାରିନାହିଁ। ଅପରାଧୀମାନଙ୍କୁ ଧରିପାରୁନଥିବାରୁ ରାଜଧାନୀକୁ ଚାଲାଣ ହେଉଥିବା ବନ୍ଧୁକ କାରବାରର ଚେର ପୁଲିସ ହାତରେ ଲାଗି ପାରିନାହିଁ।

ଗତ ମାସ‌ରେ ରାଜଧାନୀରେ ଚାରିଟି ମାମଲା ପୁଲିସର ନିଦ ହଜେଇ ଦେଇଛି। ୧୬ ତାରିଖର ଘଟଣା; ଦିନ ଦି’ ପହରେ ରାଜଧାନୀ ଉପକଣ୍ଠ ଇନ୍‌ଫୋଭ୍ୟାଲି ଥାନା ଯାଁଳା ବଜାରସ୍ଥିତ ସାଗରିକା ଜୁଏଲାର୍ସରେ ବନ୍ଧୁକ ଗର୍ଜନ କରିଥିଲା। ଦୁଇ ଲୁଟେରା ଉକ୍ତ ଦୋକାନରୁ ପ୍ରାୟ ୨୦ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନାଗହଣା ଲୁଟିନେଲେ। ଦୋକାନ ମାଲିକ ଓ ପାଖ ପଡ଼ୋଶୀ ଲୋକ ସେମାନଙ୍କୁ କାବୁ କରିବାକୁ ଉଦ୍ୟମ କରିବାରୁ ସେମାନେ ୩ ରାଉଣ୍ଡ ଗୁଳି ଫୁଟାଇଥିଲେ ଓ ଫେରାର୍ ହୋଇଯାଇଥିଲେ। ସୌଭାଗ୍ୟକୁ ଗୁଳିକାଣ୍ଡରେ କାହାର କିଛି କ୍ଷତି ହୋଇନଥିଲେ ବି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା।

ପରେ ପରେ ୨୦ତାରିଖ ଅପରାହ୍‌ଣରେ ତମାଣ୍ଡୋ ବଜାରରେ ଗୁଳି ଫୁଟିଲା। କାର୍‌ ମରାମତି କରିବାକୁ କେନ୍ଦ୍ର କରି ତମାଣ୍ଡୋ ବଜାରସ୍ଥିତ ଗ୍ୟାରେଜ୍‌ରେ ଗୁଳି ଫୁଟିଥିଲା। କଥା କିଛି ବଡ଼ଧରଣର ନଥିଲା। କାର୍‌ର ପାର୍ଟ୍ସ ମିଳୁ ନଥିବା କହି ମରାମତି କରିବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ। ଏଇ ସାମାନ୍ୟ କଥାରେ ଦୁର୍ବୃତ୍ତମାନେ ମେକାନିକ୍‌କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ଗୁଳି ମାଡ଼ରେ ମେକାନିକ୍‌ଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଅବଶ୍ୟ ଖବର ପାଉ ପାଉ ତୁରନ୍ତ ପୁଲିସ ସେଠାରେ ପହଞ୍ଚି ଦୁର୍ବୃତ୍ତମାନଙ୍କୁ କାବୁ କରିଥିଲା।

ପରେ ଯାଞ୍ଚ ବେଳେ ଜଣାପଡ଼ିଲା, ବନ୍ଧୁକଧାରୀ ୫ ଦୁର୍ବୃତ୍ତ ଏକ ପେସାଦାର ଗ୍ୟାଙ୍ଗ୍‌। ସେମାନଙ୍କ ନାଁରେ ହତ୍ୟାଠୁ ଆରମ୍ଭ କରି ଡକାୟତି ଓ ନିଶା କାରବାର ଭଳି ସଙ୍ଗିନ୍‌ ଅଭିଯୋଗ ରହିଛି। ସେହିଭଳି ୨୭ ତାରିଖରେ ଝାରପଡ଼ା ଜନଗହଳିପୂର୍ଣ୍ଣ ଏକ ପେ‌ଟ୍ରୋଲ ପମ୍ପରେ ଗୁଳିମାଡ଼ ହେଲା। ସାମାନ୍ୟ କଥାରୁ ବି ଏହି ଗୁଳିକାଣ୍ଡ ଘଟିଥିଲା। ଗାଡ଼ିରେ ଆଗ ତେଲ ପକାଇବାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଗୁଳିକାଣ୍ଡ କରିଥିଲେ। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଲକ୍ଷ୍ୟ କରି ସେମାନେ ଗୁଳି ଫୁଟାଇଥିବା ବେଳେ ଗୁଳିମାଡ଼ରେ ଅନ୍ୟ ଜଣେ ଗ୍ରାହକ ଆହତ ହୋଇଥିଲେ। ସେହିଭଳି ଗତ ୩୦ତାରିଖ ସକାଳୁ ସକାଳୁ ବନ୍ଧୁକଧାରୀ ଲୁଟେରାମାନେ ରାଜଧାନୀରେ ଆତଙ୍କ ଖେଳାଇ ଦେଇଥିଲେ।

ମର୍ଣ୍ଣିଂୱାକ୍‌ରେ ଯାଉଥିବା ଲୋକଙ୍କୁ ଟାର୍ଗେଟ୍‌ କରି ଲୁଟେରାମାନେ ଏକାବେଳେ ୬ଟି ସିରିଜ୍ କରି ଫେରାର୍ ହୋଇଯାଇଥିଲେ। ଗୋଠାପାଟଣାରୁ ପୁରୁଣା ଭୁବନେଶ୍ବର ଓ ଶେଷରେ ବାଣୀବିହାର ନିକଟରେ ଲୁଟ୍‌ କରିବା ପରେ ଲୋକଙ୍କୁ ଭୟଭୀତ କରିବାକୁ ଗୁଳି ଫୁଟାଇ ଫେରାର୍ ହୋଇଗଲେ। ଏସବୁ ଘଟଣାକୁ ଲକ୍ଷ୍ୟ କଲେ, ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଅପରାଧୀମାନେ ଆଉ ପୁଲିସକୁ ଭୟ କରୁନାହାନ୍ତି। ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଫୁ’ କରି ଉଡ଼ାଇ ଦେଉଛନ୍ତି।

ସୂଚନାଯୋଗ୍ୟ, ୨୦୨୧ ମସିହାରେ ପୁଲିସ ରାଜଧାନୀରୁ ୧୨ଟି ବନ୍ଧୁକ ଜବତ କରିଛି। ସେହିଭଳି ଏସ୍‌ଟିଏଫ୍‌ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରୁ ୮୬ଟି ବନ୍ଧୁକ ଜବତ କରିଛି। କିନ୍ତୁ ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ଦ୍ବାରା ସ୍ଥିତିରେ କିଛି ବି ସୁଧାର ଆସିନାହିଁ। ବରଂ ପୁଲିସ ଯେତିକି ବନ୍ଧୁକ ଜବତ କରୁଛି, ତା’ଠାରୁ ବହୁତ ବେଶି ମାମଲା ଘଟୁଛି। କାରଣ ପୁଲିସ କେବଳ କୌଣସି ଘଟଣାର ଅପରାଧୀଙ୍କୁ ଧରି ଚୁପ୍ ବସୁଛି। ସେମାନେ କେଉଁଠୁ ବନ୍ଧୁକ ପାଇଲେ, ସେନେଇ ଆବଶ୍ୟକ ଖୋଳତାଡ଼ ହେଉନାହିଁ। ଏବେ ବ୍ରାଉନ୍‌ସୁଗାର ବେପାରୀଙ୍କ ହାତରେ ବି ବନ୍ଧୁକ ରହୁଛି। ଯଦି ଏମିତି ସ୍ଥିତି ଲାଗି ରହେ, ତେବେ ରାଜଧାନୀରେ ସାଧାରଣ ଜୀବନଯାପନ ଆଗକୁ ବିପନ୍ନ ହୋଇପଡ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।