ଭୁବନେଶ୍ବର: ରାଜଧାନୀରେ ବିଲ୍ଡରଙ୍କୁ ଗୁଳିମାଡ଼ ଘଟଣାରେ ଆସିଛି ନୂଆମୋଡ଼। ଏହି ମାମଲାରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା‌ ପୋକପୁର ଅଞ୍ଚଳର ରୁବିନା ମହାନ୍ତି(୩୫)। ତାଙ୍କ ସ୍ବାମୀ ଜାତୀୟ ରାଜନୀତିରେ ଜଣେ ସକ୍ରିୟ ସଂଗଠକ ଓ ତାଙ୍କର ଜଗତସିଂହପୁର ଜିଲ୍ଲା ରାଜନୀତିରେ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ପୁଲିସ କହିଛି। ତେବେ ତାଙ୍କର ମଧ୍ୟ ଏହି ମାମଲାରେ ସମ୍ପୃକ୍ତି ଥିବାରୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରିରଖିଛି। ତେବେ ପୁଲିସ ପ୍ରଥମେ ଏହି ଘଟଣାରେ ୨ଜଣଙ୍କୁ କାବୁ କରି ମାରାଥନ ଜେରା କରିଥିଲା। ସେମାନଙ୍କ ମଧ୍ୟରୁ ରୁବିନାଙ୍କୁ ଗିରଫ ଦେଖାଇଥିବା ବେଳେ ଅନ୍ୟ ବ୍ୟକ୍ତିଜଣକ କୁଆଡ଼େ ଗଲେ? ରାଜନୈତିକ ଚାପରେ ପୁଲିସ ସେମାନଙ୍କୁ ଛାଡ଼ିଦେଲା କି? ଏଭଳି ଅନେକ ପ୍ରଶ୍ନ ଏହି ମାମଲାକୁ ରହସ୍ୟମୟ କରିପକାଇଛି।

Advertisment

ତଦନ୍ତରୁ ଜଣା ପଡ଼ିଛି ଯେ, କିଛିଦିନ ତଳେ ଜଗତସଂହପୁର ଅଞ୍ଚଳର ମାନସ ଭୋଇ ନାମକ ଜଣେ ଯୁବକ ଜମି ଦେବା ପାଇଁ ରଙ୍ଗମାଟିଆ ଅଞ୍ଚଳର ଦେବାଶିଷ ଦାଶଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ମାନସ ଜମି ଦେବା ତ ଦୂରର କଥା ଟଙ୍କା ବି ଫେରାଇ ନଥିଲେ। ଟଙ୍କା ମାଗିବାରୁ ପାଲଟା ଧମକ ଚମକ ଦେଉଥିଲେ। ୨୩ ତାରିଖ ଅପରାହ୍‌ଣରେ ଦେବାଶିଷ ଓ ତାଙ୍କ ବ୍ୟାବସାୟିକ ସହଯୋଗୀ ପ୍ରଦୋଷ ‌ଚୌଧୁରୀ ବଡ଼ଗଡ଼ ସ୍ଥିତି ଅଫିସ୍‌ରେ ଥିବା ବେଳେ ମାନସ ଓ ତା’ର ୫ରୁ ଊର୍ଦ୍ଧ୍ବ ସହ‌ଯୋଗୀ ସେଠାରେ ପହଞ୍ଚିଥିଲେ। ଅଫିସ୍‌ରେ‌ ହୋ ହଲ୍ଲା କରିବା ସହ ଟଙ୍କା ଦେବାକୁ ମନା କରିଥିଲେ। ପ୍ରତିବାଦ କରିବାରୁ ମାନସର ସହଯୋଗୀ ଦେବାଶିଷଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୌଭାଗ୍ୟବଶତଃ ଗୁଳି ତାଙ୍କ ଦେହରେ ନବାଜି ପ୍ରଦୋଷଙ୍କ ଦେହରେ ବାଜିଥିଲା। ସେ ତଳେ ପଡ଼ିଯିବା ପରେ ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଥିଲେ। ପ୍ରଦୋଷଙ୍କୁ ଚିକିତ୍ସା ପାଇଁ ଦେବାଶିଷ ଓ ତାଙ୍କ ସହଯୋଗୀମାନେ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତିକରିଥିଲେ। ଖବରପାଇ ବଡ଼ଗଡ଼ ଥାନା ପୁଲିସ ସେଠାରେ ପହଞ୍ଚି ପଚରାଉଚରା କରିବା ପରେ ଅଭିଯୁକ୍ତଙ୍କ ସମ୍ପର୍କରେ ଖବର ପାଇ ଜଗତସିଂପୁର ଅଞ୍ଚଳରେ ଚଢ଼ଉ କରି ୨ଜଣଙ୍କୁ ଉଠାଇ ଆଣିଥିଲା। ସେମାନଙ୍କ ମଧ୍ୟରେ ରୁବିନା ଥିଲେ। ସେମାନଙ୍କୁ ଢେର୍‌ ସମୟ ଧରି ଜେରା କରିବା ପରେ ଗତକାଲି ପୁଲିସ ରୁବିନାଙ୍କୁ ଗିରଫ ଦର୍ଶାଇବା ସହ କୋର୍ଟ ଚାଲାଣ କରିଛି। ଅନ୍ୟମାନଙ୍କୁ ଗିରଫ ପାଇଁ ତନାଘନା ଜାରି ରଖିଛି। କିନ୍ତୁ ରୁବିନା ସହ ଜଗତସିଂହପୁରରୁ ଉଠାଇଥିବା ଅନ୍ୟଜଣେ କିଏ ସେ ନେଇ ରହସ୍ୟ ବଢ଼ିବାରେ ଲାଗିଛି।